ଘରର ସୁଖଶାନ୍ତି ପାଇଁ ନିଜ ସ୍ତ୍ରୀକୁ ବଳି ଦେଲା ନରହନ୍ତା ସ୍ବାମୀ

Published By : Prameya-News7 Bureau | November 04, 2018 IST

ସମ୍ବଲପୁର ୪/୧୧: ଅନ୍ଧବିଶ୍ବାସର ଏକ କରୁଣ ପରିଣତି ଦେଖିବାକୁ ମିଳିଛି ରେଢାଖୋଲର ନାକଟିଦେଉଳରେ । ଘରେ ସୁଖ, ଶାନ୍ତି,ଧନ, ସମ୍ପତି  ମିଳିବ ଓ ପରିବାର ହସଖୁସିରେ ରହିବେ  ଏଥତ୍ପାଇଁ ଦେବାକୁ ପଡିବ ନରବଳୀ। ଏଭଳି ଏକ  ଅନ୍ଧବିଶ୍ବାସକୁ ନେଇ ନିଜ ସ୍ତ୍ରୀ କୁ ହତ୍ୟାକରି ହାତ ପାପୁଲି କାଟି ,ରକ୍ତ ଦେଇ ତନ୍ତ୍ରମନ୍ତ୍ର ପୂଜାପାଠ କରିଛି ସ୍ବାମୀ । ପୋଲିସ ନରହନ୍ତା ସ୍ବାମୀ କୁ ଗିରଫ କରି ମୃତଦେହକୁ ଜବତ କରି  ଘଟଣାର ତଦନ୍ତ କରୁଛି । ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା ହିତସରା ଗାଁ ରୁ  ଚାରିଦିନ ତଳେ ନିଖୋଜ ଥିବା  ସୁଲୋଚନା ସେଠୀ ଙ୍କ ହାତର ପାପୁଲି କଟା ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା ଅବସ୍ଥାରେ ମୃତଶରୀର ନିକଟସ୍ଥ  ଡବେରରନ ନାଳ ପାଖରୁ  ମିଳିଥିଲା। ମୃତଦେହ ଦେଖି ଏହା ଏକ ହତ୍ୟା ତଥା ବଳି ଦିଆଯାଇଥିବା ଗାଁ ଲୋକଙ୍କ ସନ୍ଦେହ ହୋଇଥିଲା।  ମୃତ ସୁଲୋଚନାଙ୍କ ସ୍ବାମୀ ଚଗଲା ସେଠୀର ହାବଭାବରୁ  ନିଜେ ଚଗଲା ଏହି ହତ୍ୟାକାଣ୍ଡ କରିଥିବା  ଗାଁ,ପରିବାର ଅଭିଯୋଗ କରିଥିଲେ । ନାକଟିଦେଉଳ ପୋଲିସ ଚଗଲାକୁ ଗିରଫ କଲାପରେ ହତ୍ୟାର କାରଣ ଜଣାପଡିଲା, ଯାହା ସମସ୍ତଙ୍କୁ  ଚକିତ କରିଥିଲା । ଘରେ ସୁଖଶାନ୍ତି,ଧନସମ୍ପତି ପାଇବା ପାଇଁ ଶେଷରେ  ନିଜ  ସ୍ତ୍ରୀକୁ ଘରଭିତରେ ମାରି ହାତର ପାପୁଲି କାଟି ସେଥିରୁ ରକ୍ତନେଇ ଘର ପଛପଟରେ ଥିବା  ଏକ ଦେବୀପୀଠରେ ପୂଜା କରିଥିଲା ଚଗଲା । ଆଉ ମୃତ ଦେହକୁ ପାଖ ଡବରେନ ନାଳ ପାଖରେ ପକାଇ ଦେଇଥିଲା। କିଛିବର୍ଷ ହେଲା ଚଗଲା ସେଠୀ ନିଜ ଘରେ ତନ୍ତ୍ରମନ୍ତ୍ର ,ଗୁଣିଗାରେଡି ଶିଖୁଥିଲା। ଗାଁରେ ଏ ନେଇ ପାଟିତୁଣ୍ଡ ହୋଇଥିବାବେଳେ ଶନିବାର ଓ ମଂଗଳବାର ପୂଜାକରୁଥିବା  ଚଗଲାର ପୁଅ ଓ ଗାଁଲୋକେ ଅଭିଯୋଗକରିଛନ୍ତି। ହତ୍ୟାକାରୀ ସ୍ବାମୀ  ଚଗଲା, ସ୍ତ୍ରୀ ସୁଲୋଚନା  ଓ ଦୁଇ ପୁଅ ଝିଅ ସହ ବୁଢା ବାପାମାଁ ସହିତ ଘରେ ରହୁଥିଲା । ଗାଁରେ ଗାଇଗୋରୁ ଚରାଇ ପରିବାର ଚଳାଉଥିଲା ।  କିଛିବର୍ଷ ହେବ ଚଗଲା ଗୁଣିଗାରେଡି ବିଦ୍ୟା ସାଧନାକରୁଥିଲା ଓ  ନରବଳି ଦେଲେ ଘରେ ସୁଖଶାନ୍ତି  ଆସିବାର ଅନ୍ଧବିଶ୍ବାସ ତାର ମନକୁ ଆସିଯାଇଥିଲା।ଏଥତ୍ପାଇଁ ସେ କୁଆଡେ ପ୍ରଥମେ ତାର ପୁଅକୁ ଟାର୍ଗେଟ କରିଥିଲା।  ପରେ ନିଜ ସ୍ତ୍ରୀ ସୁଲୋଚନାକୁ ଟାର୍ଗେଟ କରିଥିଲା ।  ଗତ ମଙ୍ଗଳବାର ରାତିରେ ସାଧନାର ରୂପାୟନ ଦେବା ପାଇଁ ଘରେ ହତ୍ୟା କରି ପାପୁଲି କାଟି ରକ୍ତ ନେଇ ପୂଜା କରିଥିଲା । ପରେ ଶବକୁ ନେଇ ଡବରେନ ନାଳରେ ପକାଇ ଦେଇଥିବା ପୋଲିସ ଆଗରେ  ଚଗଲା ସ୍ବୀକାର କରିଛି । ତେବେ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ପୋଲିସ  ଜବତ କରିଥିବା ବେଳେ  କଟା ପାପୁଲି ନମିଳିବା ଓ ଏହି ଗୁଣିଗାରେଡିକୁ ନେଇ ହତ୍ୟାରେ ସମ୍ପୃକ୍ତି ଥିବା ଅନ୍ୟ ମାନଙ୍କୁ ଗିରଫ କରିବା ଦାବୀ କରି  ଗାଁ ମହିଳା ମାନେ  କିଛି ସମୟ ଶବକୁ ଛାଡିନଥିବାରୁ ଉତେଜନା ସୃଷ୍ଟି ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.