ସ୍ୱାମୀ ସାଜିଲା ସୁପାରୀ କିଲର : ସ୍ତ୍ରୀକୁ ରାସ୍ତାରୁ ହଟାଇବାକୁ କରିଥିଲା ବ୍ଲୁ ପ୍ରିଣ୍ଟ, ୩ ଲକ୍ଷରେ ଡିଲ୍
23/09/2023 at 1:07 PM

କେନ୍ଦୁଝର ୨୩।୦୯ : ଭଲ ପାଇ ବାହା ହୋଇଥିଲେ । ବିବାହ ପରେ ପ୍ରତିଦିନ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗିରହିଥିଲା ତିକ୍ତତା । ଶେଷରେ ରାସ୍ତାରୁ ହଟାଇବାକୁ ଯୋଜନା କଲା ସ୍ୱାମୀ । ଆଉ ସ୍ତ୍ରୀକୁ ମାରିବାକୁ ଦେଲା ସୁପାରୀ । ପ୍ରଥମେ ୧ ଲକ୍ଷ ଟଙ୍କା କାମ ଶେଷ ପରେ ୨ ଲକ୍ଷ ଟଙ୍କା ଦେବାକୁ ହୋଇଥିଲା ସ୍ଥିର ହୋଇଥିଲା । ପୋଲିସ ହାବୁଡ଼ରେ ପଡିବା ପରେ ସବୁ ସତ ଓଗାଳିଛି ଅଭିଯୁକ୍ତ ସ୍ୱାମୀ ସୁରେଶ । କେନ୍ଦୁଝର ଜିଲ୍ଲା ବାରିଆ ଥାନା ପୋଡା ସିମଳ ଗାଁର ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି ।
ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ବାରିଆ ଥାନା ପୋଡାସିମଳା ଗାଁର ସୁରେଶ ପରିଡା ସହିତ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ସାରକୁଣ୍ଡା ଗାଁର ସୁନିତା ଘଣାଙ୍କ ସହିତ ୫ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସୁରେଶ ପୂର୍ବରୁ ବିବାହ କରି ପ୍ରଥମ ପତ୍ନୀ ଏବଂ ୨ ସନ୍ତାନକୁ କେନ୍ଦୁଝର ସହରରେ ଏକ ଭଡାଘରେ ରଖିଥିଲା। ସୁନିତାକୁ ବିବାହ କରିବା ପରେ କାଶୀପୁରରେ ଆଉ ଏକ ଘରଭଡ଼ା ନେଇ ରଖିଥିଲା । ତେବେ ସୁନିତା ଜିଦିଆ ମନୋବୃତ୍ତି ଯୋଗୁ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ବଚସା ହେଉଥିଲା। ସୁରେଶଙ୍କ ଅନୁପସ୍ଥିତରେ ସେ ଅନେକ ଲୋକଙ୍କ ସହିତ ମିଳାମିଶା କରୁଥିଲା । ଯାହା ସ୍ୱାମୀ ସୁରେଶକୁ ପସନ୍ଦ ନଥିଲା । ସୁନିତା ବିବାହ କରିବାର ୬ ବର୍ଷ ପରେ ମଧ୍ୟ ସନ୍ତାନ ସନ୍ତତି ନଥିଲେ।
ଗତ ରଥଯାତ୍ରା ସମୟରେ ସୁରେଶଙ୍କ ପ୍ରଥମ ପତ୍ନୀଙ୍କ ଝିଅକୁ ସୁନିତା ପାରିବାରିକ ବିବାଦରୁ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲା। ଏହି ଘଟଣା ପରେ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଥିଲା । ସୁନିତାକୁ ଜୀବନରୁ ହଟାଇ ଦେବାକୁ ସୁରେଶ ନିଜର ବନ୍ଧୁମାନଙ୍କ ସହିତ ଆଲୋଚନା କରିଥିଲା । ପେଷାରେ ଏକ ଖଣି କମ୍ପାନୀର ମେସିନ୍ ଚାଳକ ହୋଇଥିବାରୁ ବାଂଶପାଳ ଅଞ୍ଚଳର ସେହି ବନ୍ଧୁମାନଙ୍କ ସହିତ ପାରିବାରିକ ଅଶାନ୍ତି ସମ୍ପର୍କରେ ଆଲୋଚନା କରି ହତ୍ୟାକାଣ୍ଡର ବ୍ଲୁ ପ୍ରିଣ୍ଟ ନିଜେ ସୁରେଶ ପ୍ରସ୍ତୁତ କରିଥିଲା। ହତ୍ୟା ପୂର୍ବରୁ ଘଟଣାସ୍ଥଳକୁ ଏକାଧିକ ଥର ଯାଇ ସ୍ଥାନ ନିରୂପଣ କରିଥିଲା । ଶେଷରେ ୩ ତାରିଖରେ ସୁନିତାକୁ ଖଣ୍ଡାଧାର ବୁଲାଇବାକୁ ନେଇ ଅନ୍ୟ ୩ ବନ୍ଧୁଙ୍କ ସହିତ ମିଶି ତଣ୍ଟି ଚିପି ହତ୍ୟା କରିବା ପରେ ନଦୀକୁ ମୃତଦେହ ପକାଇ ଘରକୁ ଫେରି ଆସିଥିଲା ।
ସୁନିତା ହତ୍ୟା ପାଇଁ ୩ ଲକ୍ଷ ଟଙ୍କାର ଡ଼ିଲ୍ ହୋଇଥିବା ବେଳେ ଅଗ୍ରୀମ ୧ ଲକ୍ଷ ଟଙ୍କା ଓ ହତ୍ୟାକାଣ୍ଡ ପରେ ଅବଶିଷ୍ଟ ୨ ଲକ୍ଷ ଦେଇଥିବା ପୁଲିସ ନିକଟରେ ସୁରେଶ ସ୍ୱୀକାର କରିଛି । ସୁପାରି କିଲରଙ୍କ ନାମ ପ୍ରକାଶ କରିବା ପରେ ପୁଲିସ ଜଣଙ୍କୁ ଅଟକ ରଖି ଜେରା କରିଥିବା ବେଳେ ଅନ୍ୟ ୨ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସର ୨ଟି ଟିମ୍ ଅନ୍ୟ ଜିଲ୍ଲାକୁ ଯାଇଥିବା ସୂଚନା ମିଳିଛି । ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ପ୍ରମାଣ ପାଇସାରିଛି । ଅଭିଯୁକ୍ତ ସ୍ୱାମୀ ସୁରେଶକୁ ମଧ୍ୟ ଗିରଫ କରିଛି ।
ଆହୁରି ପଢନ୍ତୁ :