ସ୍ତ୍ରୀକୁ ହତ୍ୟା କରିବା ପରେ ଶ୍ବଶୁର ଘରକୁ ଫୋନ୍ କରି ଜଣେଇଲା ସ୍ବାମୀ : ଥାନାରେ ଆତ୍ମସମର୍ପଣ କରି କହିଲା , ‘କ’ଣ ହେଲା ମୁଁ ଜାଣିନି’

Published By : Prameya-News7 Bureau | December 07, 2020 IST

ଜୋଧପୁର ୭/୧୨: ରାଜସ୍ଥାନର ଜୋଧପୁରରେ ମହାମନ୍ଦିର ଥାନା ଅଞ୍ଚଳର ବିଜେଏସ୍ କଲୋନୀରେ ରବିବାର ରାତିରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରିଛି। ହତ୍ୟା ପରେ ସ୍ବାମୀ ନିଜେ ପୋଲିସକୁ ଫୋନ୍ କରିଥିଲା। ଏହା ସହିତ ନିଜ ଶାଶୁ ଘରେ ଶ୍ବଶୁରକୁ ଫୋନ୍ କରି କହିଥିଲା ଯେ ଆପଣଙ୍କ ଝିଅକୁ ମୁଁ ହତ୍ୟା କରି ଦେଇଛି। ପୋଲିସ୍ ଆସିବା ଯାଏଁ ହତ୍ୟାକାରୀ ନିଜ ପତ୍ନୀଙ୍କ ଶବ ପାଖରେ ବସି ମୋବାଇଲରେ ଗେମ୍ ଖେଳୁଥିଲା।

ବର୍ତ୍ତମାନ ପୋଲିସ୍ ଘଟଣାସ୍ଥଳରୁ ହତ୍ୟାକାରୀ ସ୍ବାମୀକୁ ଗିରଫ କରି ନେଇଛି। ଅଭିଯୁକ୍ତର ନାଁ ବିକ୍ରମ ସିଂହ ଏବଂ ମୃତ ପତ୍ନୀଙ୍କ ନାଁ ଶିବା କଓ୍ବଁର। ପଚରାଉଚରାରେ ଅଭିଯୁକ୍ତ କହିଥିଲା ଯେ କଇଁଚିରେ ସେ ତା ପତ୍ନୀକୁ ହତ୍ୟା କରିଛି। ହଠାତ୍ ସେ ମାନସିକ ଭାରସାମ୍ୟ ହରାଇବାରୁ ରାତିରେ ଉଠି ନିଜ ପତ୍ନୀଙ୍କୁ ହତ୍ୟା କରିଦେଇଥିଲା।

ବିକ୍ରମ ଏବଂ ଶିବଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ପୋଲିସର କହିବା ଅନୁସାରେ ବିକ୍ରମ ସିଂହର ପରିବାର ଫଲୋଦିର କିନ୍ତୁ ବିଜେଏସ୍ କଲୋନୀରେ ତାଙ୍କର ଆଉ ଗୋଟିଏ ଘର ରହିଛି। ଏଠାରେ ସେମାନେ ଦୀର୍ଘ ଦିନରୁ ରହି ଆସୁଥିଲେ।

ଅଭିଯୁକ୍ତ ଦୀର୍ଘ ଦିନରୁ ବେକାର ଥିଲା। ପତ୍ନୀ ପୂର୍ବରୁ ଘରେ ସିଲେଇ କାମ କରୁଥିଲେ,ପରେ ସହକାରୀ ଷ୍ଟୋରରେ କାମ ଆରମ୍ଭ କରି ଦେଇଥିଲେ। ଏଥିରେ ଘରର ଗୁଜୁରାଣ ମେଣ୍ଟୁଥିଲା କିନ୍ତୁ ପତ୍ନୀର ଷ୍ଟୋରରେ କାମ କରିବାକୁ ବିକ୍ରମ ପସନ୍ଦ କରୁନଥିଲା।

ମୃତ ମହିଳାଙ୍କ ଭାଇ କହିଥିଲେ ଯେ ୨୦୦୮ମସିହାରେ ତାଙ୍କ ଭଉଣୀଙ୍କ ବିକ୍ରମ ସହ ବିବାହ ହୋଇଥିଲା। ବହୁତ ଦିନ ହେବ ବିକ୍ରମ କାମ କରୁନଥିଲା। ଟଙ୍କାପଇସା ପାଇଁ ମାଡ଼ପିଟ କରୁଥିଲା। ତାଙ୍କ ଭଉଣୀ ଘର ଚଲାଉଥିଲେ। ଭଉଣୀଙ୍କ ଝିଅ ତାଙ୍କ ପାଖରେ ଥିବାବେଳେ ପୁଅ ନିଜ ଦାଦା ପାଖରେ ଅକଥନା ଗାଁରେ ରହୁଥିଲା।

ବର୍ତ୍ତମାନ ପୋଲିସ୍ ମୃତ ମହିଳାଙ୍କ ଶବକୁ ପୋଷ୍ଟମର୍ଟମ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମହିଳାଙ୍କ ବାପା ବିକ୍ରମ ସିଂହ ବିରୋଧରେ ହତ୍ୟା ମାମଲା ରୁଜୁ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.