ସ୍ତ୍ରୀକୁ ଦେଖା କରିବାକୁ ଆସିଥିବା ପ୍ରେମିକକୁ ହତ୍ୟା କଲା ସ୍ୱାମୀ, ପାଳଗଦାରେ ପୋଡ଼ିଦେଲା

Published By : Prameya-News7 Bureau | December 11, 2022 IST

ନୟାଗଡ଼, ୧୧/୧୨: ଶୈଳେନ୍ଦ୍ର ନାମକ ଜଣେ ବ୍ୟକ୍ତି ନିଖୋଜ ଘଟଣାରେ ନୟାଗଡ ପୋଲିସକୁ ମିଳିଛି ସଫଳତା । ଶୈଳେନ୍ଦ୍ରଙ୍କୁ ହତ୍ୟା କରାଯିବା ପରେ ପୋଡି ଦିଆଯାଇଥିବା ପୋଲିସ୍‌ ଜାଣିବାକୁ ପାଇଛି । ଏଥିସହିତ ପୋଡ଼ିଯିବା ପରେ ହାଡ଼ଗୁଡିକ ବସ୍ତାରେ ପୁରାଇ ପୋଖରୀରେ ଫିଙ୍ଗି ଦେଇଥିବା ପ୍ରାଥମିକ ଭାବେ ଜଣାପଡିଛି । ତେବେ ଅଧିକ ତଦନ୍ତ ଚାଲିଥିବାରୁ ପୋଲିସ ଏ ସମ୍ପର୍କରେ ମୁହଁ ଖୋଲିନାହିଁ ।

ସୂଚନା ଥାଉକି ନୂଆଗାଁ ଥାନା ପାଟୁଳିସାହି ଗାଁର ଦିପୁ ଏବଂ ତାର ସ୍ତ୍ରୀ କଟକରେ ରହୁଥିଲେ । ସେହି ସମୟରେ ଶୈଳେନ୍ଦ୍ରଙ୍କର ଦିପୁର ସ୍ତ୍ରୀ ସୁନିତାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦିପୁ ଏ ସମ୍ପର୍କରେ ଜାଣିବାପରେ ସୁନିତାଙ୍କୁ ବାରଣ କରିଥିଲେ ମଧ୍ୟ ସେ ନଶୁଣିବାରୁ କିଛିଦିନ ହେଲା ପରିବାର ସହ ଗାଁରେ ଆସି ରହୁଥିଲେ । ଗତ ୩ତାରିଖ ଦିନ ଶୈଳେନ୍ଦ୍ର ସୁନିତାଙ୍କୁ ଦେଖା କରିବାକୁ ଆସିଥିବା ସମୟରେ ଶୈଳେନ୍ଦ୍ରକୁ ଧରି ଏକ ଲୁହାରଡରେ ଆକ୍ରମଣ କରିବା ସହ ତାଙ୍କୁ ହତ୍ୟା କରିଥିଲେ ।

ପରେ ସହଯୋଗୀଙ୍କ ସହ ମିଶି ଶୈଳେନ୍ଦ୍ରଙ୍କୁ ସୁନିତାଙ୍କ ଘରଠାରୁ ପ୍ରାୟ ୨କିମି ଦୂର ଏକ ନିଛାଟିଆ ସ୍ଥାନରେ ପାଳଗଦାରେ ପୋଡିବା ପରେ ହାଡ଼ଗୁଡିକ ଏକ ବସ୍ତାରେ ପୁରାଇ ନିକଟରେ ଥିବା ଏକ ପୋଖରୀରେ ପକାଇଦେଇଥିଲେ । ପୋଲିସ ଆଜି ପୋଖରୀରୁ ହାଡ଼ଗୁଡିକ ଜବତ କରିଥିବା ପ୍ରାଥମିକ ଭାବେ ଜଣାପଡିଛି । ଘଟଣାରେ ସମ୍ପୃକ୍ତ ଦିପୁର ସ୍ତ୍ରୀ, ତାର ମା ଏବଂ ସହଯୋଗୀ ଗ୍ୟାରେଜ ମାଲିକ ସୁରେଶ ସାହୁଙ୍କୁ ପୋଲିସ ଅଟକ ରଖିଥିବାବେଳେ ଦିପୁ ଏବଂ ତାର ବାପା ଭାବ ସାହୁ ଫେରାର୍ ଅଛନ୍ତି । ସୁରେଶ ଦିପୁଙ୍କ ଘର ନିକଟରେ ଏକ ଗ୍ୟାରେଜ କରିଥିବା ଜଣାପଡିଛି । ଆସନ୍ତା କାଲି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଆସି ତଦନ୍ତ କରିବାପରେ ପୋଲିସ ପ୍ରେସ୍ ମିଟ୍ କରି ହତ୍ୟାକାଣ୍ଡର ଖୁଲାସା କରିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.