ସ୍ୱାମୀଙ୍କୁ ୪୦ ଥର କଟୁରିରେ ଆକ୍ରମଣ କଲା ସ୍ତ୍ରୀ; ପ୍ରେମିକ ସହ ଅଭିଯୁକ୍ତ ପତ୍ନୀକୁ ବାନ୍ଧିଲା ପୋଲିସ
21/01/2023 at 8:43 PM

ଭଦ୍ରକ ୨୧/୦୧: ପାଇଁ କଣ୍ଟା ସାଜିଲା ସ୍ୱାମୀ। ତେଣୁ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ କଲା ସ୍ତ୍ରୀ। ନୃଶଂସ ଭାବେ ସ୍ୱାମୀଙ୍କୁ ୪୦ ଥର ଭୁଜାଲିରେ ହାଣିଲା ସ୍ତ୍ରୀ। ଏପରି ଏକ ଲୋମହର୍ଷଣ କାରୀ ଘଟଣା ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି। ଆକ୍ରମଣର ଶୀକାର ହୋଇଥିବା ବ୍ୟକ୍ତିଙ୍କ ପରିଚୟ ଶମ୍ଭୁନାଥ ଦଳେଇ। ସେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧୀନ କମାରଗାଁର ବାସିନ୍ଦା। ଏବେ ଶମ୍ଭୁନାଥ ଗୁରୁତର ହୋଇ ଭଦ୍ରକ ଜିଲ୍ଲା ମୁ୍ଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ଖବର ଅନୁସାରେ, ଶମ୍ଭୁନାଥ ସାବରଙ୍ଗ ଥାନା ଏରଡାର ଲିଜାଙ୍କୁ ବୈଦିକ ରିତିନୀତିରେ ବିବାହ କରିଥିଲେ। କିନ୍ତୁ ଲିଜାଙ୍କର ରବି ନାମକ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ରବି ଭଦ୍ରକ ଗ୍ରାମାଞ୍ଚଳ ଥାନା ବଣିଆ ଅଞ୍ଚଳର ବାସିନ୍ଦା ତେବେ ୨ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସତ୍ତ୍ୱେ ଲିଜା ଶମ୍ଭୁନାଥଙ୍କୁ ବାହା ହୋଇଥିଲେ। ତାଙ୍କର ୨ଟି ସନ୍ତାନ ମଧ୍ୟ ଅଛନ୍ତି। ଅଭିଯୋଗ ଅନୁସାରେ ଲିଜା ଓ ତାଙ୍କ ପ୍ରେମିକ ରବି ମିଶି ସ୍ୱାମୀଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ। ଯୋଜନା ଅନୁସାରେ ଲିଜା ଶମ୍ଭୁନାଥଙ୍କୁ ସାଙ୍ଗରେ ନେଇ ତାଙ୍କ ବାପ ଘର ଏରଡ଼ାକୁ ଆସିଥିଲେ।

ସେଠାରେ ବିଳମ୍ବିତ ରାତିରେ ଶମ୍ଭୁନାଥଙ୍କୁ ଶୋଇବା ବେଳେ ଲିଜା ତାଙ୍କୁ କଟୁରିରେ ଆକ୍ରମଣ କରିଥିଲେ। ପରେ ଶମ୍ଭୁନାଥ ନିଦରୁ ଉଠିଯିବାରୁ ଲିଜା ଠାରୁ କତା ନେଇ ରବି ଆକ୍ରମଣ କରିଥିଲେ। ରବି ଓ ଲିଜା ମିଶି ନିର୍ମମ ଭାବେ ଶମ୍ଭୁନାଥଙ୍କ ପ୍ରାୟ ୪୦ଥର ଆକ୍ରମଣ କରିଥିଲେ ବୋଲି ଜଣାପଡ଼ିଛି। ଏହି ସମୟରେ ସ୍ଥାନୀୟ ଲୋକେ ଶମ୍ଭୁନାଥଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏହି ନାରକିୟ କାଣ୍ଡ ଭିଆଇବା ୨ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ସାବରଙ୍ଗ ପୋଲିସ ଏନେଇ ଅଭିଯୋଗ ପାଇବା ପରେ ଉଭୟଙ୍କୁ ଭୁବନେଶ୍ୱର ଏୟାରପୋର୍ଟ ପାଖରୁ ଗିରଫ କରି କୋର୍ଟ ଚାଲାଣ କରିଛି।