ଛାଡପତ୍ର ପାଇଁ ବାହାନା ନ ମିଳିବାରୁ ପତ୍ନୀକୁ HIV ସଂକ୍ରମିତଙ୍କ ରକ୍ତ ଇଞ୍ଜେକ୍ସନ ଲଗାଇଦେଲା ସ୍ୱାମୀ, ଥାନାରେ ମାମଲା

Published By : Prameya-News7 Bureau | December 18, 2022 IST

ଅମରାବତୀ ୧୮।୧୨:   ଆନ୍ଧ୍ର ପ୍ରଦେଶରେ ଜନୈକ ବ୍ୟକ୍ତି କଥିତ ରୂପେ ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ଛାଡପତ୍ର ଦେବା ପାଇଁ ବାହାନା ଖୋଜିବାରେ ଏଚଆଇଭି ସଂକ୍ରମିତଙ୍କ ରକ୍ତ ଇଞ୍ଜେକ୍ସନରେ ଦେଇଛନ୍ତି। ଏ ନେଇ ମହିଳା ପୋଲିସରେ ଅଭିଯୋଗ କରିବା ପରେ ତାଡେପଲ୍ଲୀ ପୋଲିସ ଏମ.ଚରଣ ନାମକ ବ୍ୟକ୍ତିଙ୍କୁ ଗିରଫ କରି ପଚରା ଉଚରା କରୁଛି। ପୋଲିସ ପଚରା ଉଚରାରେ ଚରଣ ଜଣେ କ୍ୱାକ୍‌ଙ୍କ ଦ୍ୱାରା ଗର୍ଭବତୀ ପତ୍ନୀଙ୍କୁ ଏଚଆଇଭି ରୋଗୀଙ୍କ ରକ୍ତ ଇଞ୍ଜେକ୍ସନ ଦେଇଥିବା କଥା କହିଛି।

ପୀଡ଼ିତା ପୋଲିସକୁ କହିଛନ୍ତି ଯେ ଚରଣ ତାଙ୍କୁ ଛାଡପତ୍ର ଦେବା ଲାଗି ଉଚିତ ବାହାନା ଖୋଜୁଥିବା ବେଳେ ତା ମୁଣ୍ଡରେ ଏହି ଦୁର୍ବୁଦ୍ଧି ପଶିଥିଲା। ଯୋଜନା ଅନୁସାରେ ସେ ପତ୍ନୀଙ୍କୁ ଜଣେ କ୍ୱାକ୍‌ଙ୍କ ପାଖକୁ ନେଇଯାଇଥିବା ବେଳେ ଏହି ଇଞ୍ଜେକ୍ସନ ଗର୍ଭାବସ୍ଥାରେ ଭଲ ସ୍ୱାସ୍ଥ୍ୟ ପାଇଁ ବୋଲି ସେ କହିଥିଲେ। ତେବେ ପରେ ମହିଳା ଏକ ହସ୍ପିଟାଲରେ ସ୍ୱାସ୍ଥ୍ୟ  ଯାଞ୍ଚ କରିବା ବେଳେ ସେ ଏଚଆଇଭି ପଜିଟିଭ ଥିବା ଜାଣିବାକୁ ପାଇଥିଲେ ବୋଲି ପୋଲିସକୁ କହିଛନ୍ତି।

ପୀଡିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ବିବାହ ପରଠାରୁ ଯୌତୁକ ଲାଗି ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ଏଥିରେ ସେ ପୁଅଟିଏ ହେଉ ବୋଲି ଜବରଦସ୍ତି କରୁଥିଲେ। ଦମ୍ପତ୍ତିଙ୍କର ଏକ ଝିଅ ମଧ୍ୟ ଅଛି। ପୋଲିସ ଏବେ ଅଭିଯୁକ୍ତକୁ ପଚରା ଉଚରା କରୁଥିବା ବେଳେ ମହିଳାଙ୍କ ମେଡିକାଲ ଯାଞ୍ଚ ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ କରିବ ବୋଲି କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.