ସ୍ୱାମୀଙ୍କର ଅଛି ପରକୀୟା ପ୍ରୀତି, ଅଭିଯୋଗ ଆଣି ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ସ୍ତ୍ରୀ
24/04/2023 at 5:58 PM

ବ୍ରହ୍ମପୁର୨୪/୦୪: ଘରେ ପୁରାଇ ଦେଉନାହାଁନ୍ତି ଶାଶୂଘର ଲୋକ । ଏସପିଙ୍କୁ ସୁରକ୍ଷା ମାଗିଲା ବୋହୂ । ଶାଶୂ ଘର ଲୋକ ଓ ସ୍ୱାମୀର ନିର୍ଯାତନାରେ ଅତିଷ୍ଠ ହୋଇ ଶେଷରେ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହାୟତାରେ ବ୍ରହ୍ମପୁର ଏସପିଙ୍କ ଦ୍ୱାରସ୍ଥ ହୋଇଛି ଜଣେ ଶିକ୍ଷୟତ୍ରୀ ବୋହୂ ।
ଗୋଳନ୍ଥରା ଥାନା ଅନ୍ତର୍ଗତ ସୁନପୁର ଗ୍ରାମର କନକଲତା ବେହେରା ଗତ କିଛି ବର୍ଷ ତଳେ ସୋରଳ ଗ୍ରାମର ବସନ୍ତଙ୍କୁ ବିବାହ କରିଥିଲେ । ସେହି ସମୟରେ ସ୍ୱାମୀ ବସନ୍ତ ଦିଲ୍ଲୀରେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ । କନକ ଜଣେ ସରକାରୀ ଶିକ୍ଷୟିତ୍ରୀ ହୋଇଥିବାରୁ ସ୍ୱାମୀ ବସନ୍ତଙ୍କୁ ଗାଁକୁ ଆଣି ସରକାରୀ ଚାକିରୀ ପାଇଁ ପ୍ରିପାରେସନ୍ କରାଇବା ସହ ତାଙ୍କର ଚାକିରି ଅବକାରୀ ଏସ୍ ଆଇ ଭାବେ ହୋଇଥିଲା ।
ଏହା ପରେ ସେମାନେ ସୁନପୁର କରଣ ସାହିରେ ଘର କରି ରହୁଥିବା ବେଳେ ସ୍ୱାମୀ ବସନ୍ତ ଅନ୍ୟ ଜଣେ ବିଭାଗୀୟ ମହିଳା ଅଧିକାରୀ ସହ ପ୍ରେମ ସମ୍ପର୍କ ରଖି ନିର୍ଯାତନା ଦେଇ ଘରୁ ବାହାର କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି । ଏନେଇ ସେ ଥାନାରେ ମାମଲା କରିବା ସହ ଘରେ ରହିବାକୁ ତାଙ୍କୁ ସୁରକ୍ଷା ଦେବା ନେଇ ହାଇକୋର୍ଟରେ ମାମଲା କରିଥିଲେ ।
କିନ୍ତୁ ପୁଣି ୧୭ ତାରିଖରେ ସେ ସ୍କୁଲକୁ ଯାଇ ଫେରିଲା ବେଳକୁ ଘରେ ତାଲା ପକାଇ ଦେବା ସହ ଘର ଭିତରକୁ ପ୍ରବେଶ ବେଳେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ସେ ଏସପିଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି ।