ପ୍ରତାରଣାର ଅଭିନବ ପ୍ରତିଶୋଧ: ମହାଳୟାରେ ଜିବୀତ ଥିବା ସ୍ତ୍ରୀଙ୍କୁ ପିଣ୍ଡଦାନ କଲେ ୧୦୦ଜଣ ନିର୍ଯ୍ୟାତିତ ସ୍ୱାମୀ
Published By : Prameya-News7 Bureau | October 08, 2018 IST
ମହାରାଷ୍ଟ୍ର ୮/୧୦ : ପରଲୋକରେ ଥିବା ପିତୃପୁରୁଷଙ୍କୁ ମହାଳୟାରେ ପିଣ୍ଡଦାନ କରିବାର ବିଧି ହିନ୍ଦୁଶାସ୍ତ୍ରରେ ରହିଛି । ପବିତ୍ର ନଦୀ, ପୁଷ୍କରିଣୀ ଓ ତୀର୍ଥକ୍ଷେତ୍ରର ଜଳାଶୟରେ ପିଣ୍ଡଦାନ ଓ ତିଳ ତର୍ପଣ ହୋଇଥାଏ । ଗଂଗାନଦୀ ଭଳି ଗୋଦାବରୀ ନଦୀକୁ ଅତ୍ୟନ୍ତ ପବିତ୍ର ବୋଲି ବିଚାର କରାଯାଏ । ଏଠାରେ ପ୍ରତ୍ୟକ ବର୍ଷ ହଜାର ହଜାର ଲୋକ ମହାଳୟା ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥାନ୍ତି । କିନ୍ତୁ ଚଳିତ ମହାରାଷ୍ଟ୍ରର ନାସିକରେ ଗୋଦାବରୀ ନଦୀରେ ରବିବାର ଦିନ ୧୦୦ ରୁ ଅଧିକ ସ୍ୱାମୀ ନିଜ ନିଜ ଜୀବିତ ସ୍ତ୍ରୀଙ୍କୁ ପିଣ୍ଡଦାନ କରିଛନ୍ତି | ସ୍ତ୍ରୀ ମାନଙ୍କ ଦ୍ୱାରା ପ୍ରତାରିତ ହୋଇଥିବା ସ୍ବାମୀମାନେ ଏଭଳି କରିଛନ୍ତି । ପ୍ରତାରିତ ଓ ନିର୍ଯ୍ୟାତିତ ଏହି ସ୍ବାମୀମାନେ ବିଧିବଦ୍ଧ ଭାବେ ମନ୍ତ୍ରପାଠ କରି, ବୈଦିକ ରୀତିନୀତି ଅନୁସାରେ ଗୋଦାବରୀ ନଦୀରେ ପିଣ୍ଡଦାନ କରିଛନ୍ତି | ସ୍ତ୍ରୀମାନଙ୍କ ପ୍ରତାରଣାର କାହାଣୀ ସମସ୍ତଙ୍କୁ ଜଣାଇବା ପାଇଁ ଏଭଳି ଅଭିନବ କାର୍ଯ୍ୟକ୍ରମ ବୋଲି ପିଣ୍ଡଦାନ ଆୟୋଜନ କରିଥିବା ବାସ୍ତବ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି।ଏହାକୁ ଏକ ପ୍ରକାର ସଚେତନତା କାର୍ଯ୍ୟକ୍ରମ ବୋଲି କୁହାଯାଉଥିଲେ ମଧ୍ୟ ପ୍ରତାରଣା କରିଥିବା ସ୍ତ୍ରୀମାନଙ୍କ ଉପରେ ପ୍ରତାରିତ ସ୍ବାମୀମାନଙ୍କ ଅଭିନବ ପ୍ରତିଶୋଧ ବୋଲି ମଧ୍ୟ କୁହାଯାଉଛି।
ଫାଉଣ୍ଡେସନର ଅଧ୍ୟକ୍ଷ ଅମିତ ଦେଶପାଣ୍ଡେ କହିଥିଲେ ' ବିବାହ ବେଳେ ସ୍ୱାମୀ ସ୍ତ୍ରୀ ଅଗ୍ନିଙ୍କୁ ସାକ୍ଷୀ ରଖି ସାତ ଫେରା ନେଇ ସାତ ଜନ୍ମପାଇଁ ସମ୍ପର୍କ ଯୋଡିଥାନ୍ତି । ଦୁହେଁ ଦୁହିଁଙ୍କ ପ୍ରତି ବିଶ୍ବସ୍ତ ରହିବା ସହ ପରସ୍ପର ମଧ୍ୟରେ ବୁଝାମଣା ରଖିବେ ବୋଲି ନିୟମ କରିଥାନ୍ତି | କିନ୍ତୁ ବିବାହର କିଛି ଦିନ ପରେ ହିଁ ଦୁହିଁଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଝଗଡା ହେବା ଆରମ୍ଭ ହୋଇଯାଏ | ଏମିତି ଛୋଟ ଛୋଟ କଥାରୁ ଆରମ୍ଭ ହୋଇ ଧୀରେ ଧୀରେ ସେହି ସମ୍ପର୍କ ବିବାହ ବିଚ୍ଛେଦ ଆଡକୁ ଗତି କରେ | କିନ୍ତୁ ଏହି ସବୁ ମାମଲାରେ ପ୍ରାୟତଃ ସମସ୍ତେ ମହିଳାମାନଙ୍କୁ ହିଁ ସହଯୋଗ କରିଥାନ୍ତି | ଏଭଳି କ୍ଷେତ୍ରରେ ପୁରୁଷମାନଙ୍କୁ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଏବଂ ତାଙ୍କୁ ସହଯୋଗ କରିବା ପାଇଁ ବାସ୍ତବ ଫାଉଣ୍ଡେସନର କାମ କରୁଛି |ଏହା ପୂର୍ବରୁ ବାରଣାସୀରେ ମଧ୍ୟ ଜୀବିତ ସ୍ତ୍ରୀମାନଙ୍କୁ ପିଣ୍ଡଦାନ ଭଳି ଘଟଣା ଘଟିସାରିଛି।
ତେଣେ ପିଣ୍ଡଦାନ କରିଥିବା ପୁରୁଷମାନେ ପୁରୁଷ କମିଶନ ଗଠନ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି | ଏହି ପିଣ୍ଡଦାନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁ ସମ୍ପର୍କକୁ ଶେଷ କରିବା ପାଇଁ ଦିଆଯାଇଛି | ଯେହେତୁ ହିନ୍ଦୁ ଧର୍ମରେ ମୃତ ବ୍ୟକ୍ତିଙ୍କୁ ପିଣ୍ଡଦାନ କରାଯାଏ, ସେହିଭଳି ମୃତ ସମ୍ପର୍କକୁ ମଧ୍ୟ ପିଣ୍ଡଦାନ କରାଯାଏ ବୋଲି ସେମାନେ ଯୁକ୍ତି କରିଛନ୍ତି | ବେଳେ ବେଳେ ପୁରୁଷଙ୍କ କିଛି ଭୁଲ ନଥାଇ ମଧ୍ୟ ତାଙ୍କୁ ଦଣ୍ଡ ଭୋଗିବାକୁ ପଡିଥାଏ | କାହାକୁ କାହାକୁ ଜେଲ ମଧ୍ୟ ଯିବାକୁ ପଡିଥାଏ |