ସ୍ତ୍ରୀକୁ ମାରୁଥିଲେ ଗୁଳି କିନ୍ତୁ ବାଜିଲା ପଡ଼ୋଶୀ ଘର ପୁଅ ବେକରେ : ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
3/12/2020 at 10:43 AM

ମୁରାଦାବାଦ ୩/୧୨: ଉତ୍ତରପ୍ରଦେଶର ଜନପଦ ମୁରାଦାବାଦରେ ସ୍ବାମୀ-ସ୍ତ୍ରୀଙ୍କ ପାରସ୍ପରିକ ବିବାଦରେ ସ୍ବାମୀ ଚଲାଇଥିବା ଗୁଳି ପଡ଼ୋଶୀଙ୍କ ଛାତରେ ନିଜ ମା ସହ ବସିଥିବା ୭ବର୍ଷର ପୁଅ ଦେହରେ ବାଜିଛି। ଚିକିତ୍ସାଧୀନ ଅବସ୍ଥାରେ ପୁଅର ମୃତ୍ୟୁ ଏବଂ ମା ଗୁରୁତର ହେବାର ସୂଚନା ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ୍ ଅଧିକାରୀଙ୍କ ଅନୁସାରେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରାଯାଉଛି।

ସୂଚନା ଅନୁସାରେ,ମୁରାଦାବାଦ ଥାନାର ସିଭିଲ ଲାଇନର ହିମଗିରି କଲୋନୀରେ ଖୁବ ସିଂହଙ୍କ ନିଜ ପତ୍ନୀ ମମତାଙ୍କ ଝଗଡ଼ା ଏତେ ବଢ଼ିଯାଇଥିଲା ଯେ ଖୁବ୍ ନିଜ ପତ୍ନୀଙ୍କୁ ଜୀବନରେ ମାରିବା ପାଇଁ ଲାଇସେନ୍ସ ଯୁକ୍ତ ବନ୍ଧୁକ ନେଇ ଛାତ ଉପରେ ପହଞ୍ଚି ଯାଇଥିଲେ। ଖୁବ୍ ସିଂହ ମମତା ଉପରେ ଗୁଳି ଚଲାଇଥିବାବେଳେ ସେ ବଞ୍ଚି ଯାଇଥିଲେ କିନ୍ତୁ ଘର ସାମନାରେ ଛାତ ଉପରେ ନିଜ ମା ସହ ବସି ପାଠ ପଢ଼ୁଥିବା ୭ବର୍ଷୀୟ ପୁନିତର ଗଳାରେ ଗୁଳି ବାଜିଥିଲା। ଏହା ସହିତ ମା ରଚନା ମଧ୍ୟ ଆହତ ହୋଇଥିଲେ।

ଗୁଳି ଶବ୍ଦ ସହ ଚିତ୍କାର ଶୁଣି ଆଖପାଖର ଲୋକେ ଏକାଠି ହୋଇଯାଇଥିଲେ ଏବଂ ମା-ପୁଅ ଉଭୟଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ତୁରନ୍ତ ନେଇ ଯାଇଥିଲେ ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ପୁନିତର ମୃତ୍ୟୁ ଘଟିଥିଲା। ରଚନାଙ୍କ ଅବସ୍ଥା ଏବେ ଗୁରୁତର ରହିଛି।

ମୃତ ପୁନିତର ବାପା ରିଙ୍କୁଙ୍କ ଅଭିଯୋଗ ଅନୁସାରେ ପଡ଼ୋଶୀ ଖୁବ୍ ସିଂହଙ୍କ ସହ ତାଙ୍କର ଶତୃତା ରହିଛି। ସେ ପୂର୍ବରୁ ମଧ୍ୟ ସେମାନଙ୍କୁ ବନ୍ଧୁକ ଦେଖାଇ ସାରିଛନ୍ତି। ଖୁବଙ୍କ ଭାଇ ମଧ୍ୟ ବେଆଇନ୍ ବନ୍ଧୁକ ଧରି ବୁଲୁଥାନ୍ତି। ଆଜି ତାଙ୍କ ପୁଅକୁ ଗୁଳି କରିଥିଲେ ଯେଉଁଥିରେ ତାଙ୍କ ପୁଅର ମୃତ୍ୟୁ ହୋଇଯାଇଛି। ଅଭିଯୁକ୍ତକୁ ଗିରଫ କରାଯିବା ସହ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦିଆଯାଇଛି।
