ଫୋନ୍ ପାଇଁ ବର୍ବର କାଣ୍ଡ; ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ସ୍ୱାମୀ ଗିରଫ
28/12/2022 at 6:03 PM

ଉଦଳା ୨୮/୧୨: ସାମାନ୍ୟ ମୋବାଇଲ ନମିଳିବାରୁ ସ୍ୱାମୀ ଭୁଲିଗଲା ହିତାହିତ ଜ୍ଞାନ। ପ୍ରଥମେ ସ୍ତ୍ରୀର ହାତ କାଟି ପରେ ଗାଁ ଦାଣ୍ଡରେ ସ୍ତ୍ରୀକୁ ପଥରରେ ଛେଚି କଲା ନିର୍ମମ ଆକ୍ରମଣ। ଏଭଳି ନାରକିୟ କାଣ୍ଡ ଉଦଳା ଥାନା ଉପରତାଳଡିହା ଗାଁରେ ହୋଇଛି। ଖବର ଅନୁସାରେ ସୋନାଲି ହାଁସଦା ଘରେ ଥିବା ବେଳେ ତାଙ୍କ ସ୍ୱାମୀ ରାଜୁ ମଙ୍ଗଳବାର ରାତିରେ ଘରେ ଫୋନ ଖୋଜିଥିଲେ। ଫୋନ୍ ନମିଳିବାରୁ ସ୍ତ୍ରୀ ସୋନାଲିକୁ ପଚାରି ଥିଲେ। ସ୍ତ୍ରୀ ମୋବାଇଲ ଦେଇ ନ ପାରିବାରୁ ରାଜୁ ଉତ୍କ୍ଷିପ୍ତ ହୋଇଥିଲା।
ପରେ ସେ ଛୁରୀ ଆଣି ସୋନାଲିର ହାତ କାଟି ଦେଇଥିଲେ। ଫଳରେ ସ୍ତ୍ରୀ ସୋନାଲି ଗୁରୁତର ହୋଇଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପୁଣି ବୁଧବାର ଗାଁ ଦାଣ୍ଡରେ ଏକ ପଥରରେ ସ୍ତ୍ରୀ ସୋନାଲି ମୁଣ୍ଡକୁ ରାଜୁ ନୃଶଂସ ଭାବେ ଛେଚି ଥିଲା। ସ୍ଥାନୀୟ ଲୋକେ ସ୍ୱାମୀକୁ ଧରିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ସୈତାନ ସ୍ୱାମୀକୁ ଗିରଫ କରିଛି। ସେପଟେ ସୋନାଲି ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।