ବ୍ରାସିଲିଆ: ବିନା ଚାର୍ଜରରେ ଆଇଫୋନ୍ ବିକ୍ରି କରୁଥିବାରୁ ଆପଲ କମ୍ପାନୀ ଉପରେ ପୁଣି ରାଗିଲେ ବ୍ରାଜିଲ୍ ସରକାର। ଫଳରେ ବ୍ରାଜିଲ୍ର ବିଭିନ୍ନ ଆଇଫୋନ ଷ୍ଟୋର ଉପରେ ଚଢ଼ାଉ କରାଯାଇଛି। ଏମିତି କି ଆପଲ ଅନୁମତିପ୍ରାପ୍ତ ଷ୍ଟୋରଗୁଡ଼ିକରେ ମଧ୍ୟ ଚଢ଼ାଉ କରାଯାଇ ଶତାଧିକ ଆଇଫୋନ୍ ଜବତ କରାଯାଇଛି। ଆବଶ୍ୟକୀୟ ସାମଗ୍ରୀ ନ ଦେଇ ସ୍ମାର୍ଟଫୋନ୍ ବିକ୍ରି କରୁଥିବାରୁ କମ୍ପାନୀ ଏପରେ ଏଭଳି କାର୍ଯ୍ୟାନୁଷ୍ଠାନ କରିଛନ୍ତି ବ୍ରାଜିଲ୍ ସରକାର।
ପରିବେଶ ପ୍ରଦୂଷଣ ଆଳରେ ବଡ଼ ଚତୁରତାର ସହ ବିନା ଚାର୍ଜରେ ଆଇଫୋନ୍ ବିକ୍ରି କରୁଛି ସ୍ମାର୍ଟଫୋନ୍ ଓ ଟେକ୍ ଗେଜେଟ୍ ନିର୍ମାତା କମ୍ପାନୀ ଆପଲ। ଏପଟେ ବଜାରରେ ଚାର୍ଜରୁ ଅଲଗା ବିକ୍ରି କରି ଗ୍ରାହକଙ୍କ ଠାରୁ ଅଧିକ ଟଙ୍କା ନେଉଛି। ଅପଲ ଏହି ଚରୁରତା ପାଇଁ କମ୍ପାନୀ ଅନେକ ଥର ସମାଲୋଚିତ ହେବା ସହିତ ସରକାରୀ କାର୍ଯ୍ୟାନୁଷ୍ଠାନର ଶିକାର ବି ହୋଇଛି।
ଆପଲ ଉପରେ ବ୍ରାଜିଲ ସରକାରଙ୍କର ଏଭଳି କାର୍ଯ୍ୟାନୁଷ୍ଠାନ ନୂଆ ନୁହେଁ। ଏଥିପାଇଁ ପୂର୍ବରୁ ମଧ୍ୟ କମ୍ପାନୀ ଉପରେ ଦୁଇଥର ଫାଇନ୍ କରିଛନ୍ତି ବ୍ରାଜିଲ ସରକାର। ଅପରେସନ ଡିସ୍ଚାର୍ଜ ଅଭିଯାନରେ କମ୍ପାନୀରେ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ କରିଛନ୍ତି ବ୍ରାଜିଲ୍ ସରକାର।
ଆଇଫୋନ୧୨ ସିରିଜ୍ ଲଞ୍ଚ ପରେ କମ୍ପାନୀ ଏଥିରେ ଚାର୍ଜର ଦେଇ ନଥିଲା। ଯାହାକୁ ବ୍ରାଜିଲ୍ରେ ବିରୋଧ କରାଯାଇଥିଲା। ଚାର୍ଜର ସହିତ ଫୋନ୍ ବିକ୍ରି କରିବାକୁ ନୂଆ ନିୟମ କରିଥିଲେ ବ୍ରାଜିଲ୍ ସରକାର। ହେଲେ କମ୍ପାନୀ ଏହାକୁ ପାଳନ ନ କରିବାରୁ ଆପଲ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି।
ତେବେ ଫୋନଗୁଡ଼ିକ ସିଜ୍ ହେବା ପରେ ବ୍ରାଜିଲର ଆପଲ ଶାଖା ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି। ଶେଷ ନିଷ୍ପତ୍ତି ନ ଆସିବା ଯାଏ କମ୍ପାନୀକୁ ମୋବାଇଲ୍ ବିକ୍ରି କରିବାକୁ ଅନୁମତି ଦିଆଯାଇଥିଲା। ତେଣୁ ସେହି ଅନୁମତି ଅନୁଯାୟୀ ସେତେବେଳ ପର୍ଯ୍ୟନ୍ତ ଫୋନ୍ ବିକ୍ରି କରିବାକୁ ଅନୁମତି ଦିଆଯାଉ ବୋଲି କମ୍ପାନୀ ବ୍ରାଜିଲ ସରକାରଙ୍କୁ ଅନୁରୋଧ କରିଛି।
ସୂଚନା ଥାଉକି, ସମାନ ଅଭିଯୋଗ ନେଇ ଗତ ଅକ୍ଟୋବରରେ କମ୍ପାନୀକୁ ୧୦୦ ମିଲିୟନ ବ୍ରାଜିଲ ମୂଦ୍ରା( ପାଖାପାଖି ୧୫୦ କୋଟି) ଫାଇନ୍ କରାଯାଇଥିଲା। ଏଥିରେ କମ୍ପାନୀ କୋର୍ଟର ଦ୍ୱାରସ୍ଥ ହେବ ବୋଲି କହିଥିଲା। ଏହାପରେ ଋଣକର୍ତ୍ତା, ଗ୍ରାହକ ଓ କରଦାତାଙ୍କ ସଂଘ ଏନେଇ ସାଓପାୱଲୋ ରାଜ୍ୟର ଏକ କୋର୍ଟରେ ଆବେଦନ କରିଥିଲେ।
ଏଭଳି କରି କମ୍ପାନୀ ଗ୍ରାହକଙ୍କୁ ଠକିବା ସହିତ ପରମ୍ପରା ଖରାପ କରୁଛି ବୋଲି ଆବେଦନରେ କୁହାଯାଇଥିଲା। ଏହାର ଶୁଣାଣି କରି କୋର୍ଟ କମ୍ପାନୀ ବିରୋଧରେ ରାୟ ଦେଇଥିଲେ।
ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ମଧ୍ୟ ଏହି କାରଣରୁ କମ୍ପାନୀ ଉପରେ ୨.୫ ମିଲିୟନ ଆମେରିକୀ ଡଲାର ଫାଇନ କରାଯାଇଥିଲା। ଏହାପରେ ବ୍ରାଜିଲ୍ରେ ଫୋନ୍ ବିକ୍ରି କରିବାକୁ ଅପଲକୁ ବ୍ୟାନ୍ କରାଯାଇଥିଲା। ହେଲେ ପରେ ଏହି ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି ନ ଆସିବା ଯାଏ କମ୍ପାନୀକୁ ସ୍ମାର୍ଟଫୋନ୍ ବିକ୍ରି କରିପାରିବ ବୋଲି ଅନୁମତି ଦେଇଥିଲେ କୋର୍ଟ।
ତେଣୁ ଚୂଡ଼ାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଦେଶରେ ଫୋନ୍ ବିକ୍ରି କରିବାକୁ ଦିଆଯାଉ ବୋଲି କମ୍ପାନୀ ଏବେ ସରକାରଙ୍କୁ ଅନୁରୋଧ କରିଛି। ଆପଲ ଲାଭଖୋର ମାନସିକତା ରଖି ପରିବେଶ ପ୍ରଦୂଷଣ ଆଳରେ ଫୋନ୍ ସହିତ ଚାର୍ଜ ନ ଦେଇ ଲୋକଙ୍କୁ ଠକୁଛି। ଗ୍ରାହକଙ୍କୁ ଅଧିକ ଖର୍ଚ୍ଚାନ୍ତ କରି ନିଜେ ଲାଭ ଉଠାଉଛି ବୋଲି ବ୍ରାଜିଲ ସରକାର ବିଚାର କରୁଛନ୍ତି। ଏଥିପାଇଁ କମ୍ପାନୀକୁ ବାରମ୍ବାର ଚେତାବନୀ ଓ କାର୍ଯ୍ୟାନୁଷ୍ଠାନ ହେଉଛି।