ୱାସିଂଟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆମେରିକୀୟ କୋର୍ଟରେ ରୁଜୁ ୧୦୦ ନିୟୁତ ଡଲାରର ଲ ସୁଟ୍ ଖାରଜ ହୋଇଯାଇଛି। ଅଭିଯୋଗକାରୀ କାଶ୍ମୀର-ଖାଲିସ୍ତାନୀ ରେଫରେଣ୍ଡମ ଫ୍ରଣ୍ଟ ଲଗାତାର ୨ଟି ତାରିଖରେ ହାଜର ନ ହେବାରୁ କୋର୍ଟ ଏହି ପଦକ୍ଷେପ ନେଇଛନ୍ତି।
ଆମେରିକାରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମର କିଛି ଦିନ ପୂର୍ବରୁ ୧୯ ସେପ୍ଟେମ୍ବର ୨୦୧୯ରେ ଟେକ୍ସାସ ଦକ୍ଷିଣ ଜିଲ୍ଲା ଆମେରିକା ଜିଲ୍ଲାକୋର୍ଟରେ ଏହି ମୋକଦ୍ଦମା ରୁଜୁ ହୋଇଥିଲା। ଯେଉଁଥିରେ ଭାରତ ସଂସଦର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଜମ୍ମୁ ବିଭାଜନକୁ ବିରୋଧ କରାଯିବା ସହ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହ ଓ ଲେଫ୍ଟନାଣ୍ଟ ଜେନେରାଲ କନୱଲଜିତ୍ ସିଂ ଧିଲୋନଙ୍କୁ ପକ୍ଷ କରି୧୦୦ ନିୟୁତ ଡଲାର କ୍ଷତିପୂରଣ ଦାବି କରାଯାଇଥିଲା।
ତେବେ ପରବର୍ତ୍ତି ସମୟରେ କାଶ୍ମୀର ଖାଲିସ୍ତାନ ରେଫରେଣ୍ଡମ ଫ୍ରଣ୍ଟ କୋର୍ଟରେ ମୋକଦ୍ଦମା ପରିଚାଳନା ଲାଗି କୌଣସି ପଦକ୍ଷେପ ନେଇ ନଥିବା ବେଳେ ପରବର୍ତ୍ତି ଶୁଣାଣି ଲାଗି ମଧ୍ୟ ହାଜର ହୋଇ ନାହିଁ। ଏଣୁ ବିଚାରପତି ଜଷ୍ଟିସ୍ ଏଣ୍ଡ୍ର୍ୟୁ ଏସ୍ ହାନେନ୍ଙ୍କ କୋର୍ଟ ଅକ୍ଟୋବର ୨୨ ତାରିଖରେ ମୋକଦ୍ଦମା ରଦ୍ଦ କରିଦେଇଥିଲେ। ସେପଟେ ଆମେରିକୀୟ କୋର୍ଟରେ ଏପରି ଅଭିଯୋଗ ଆଣିଥିବା ୨ କାଶ୍ମୀର ଖାଲିସ୍ତାନୀ ବିଛିନ୍ନତାବାଦୀ ଏପର୍ଯ୍ୟନ୍ତ ଚିହ୍ନଟ ହୋଇପାରିନାହାନ୍ତି। ସେମାନଙ୍କର କେବଳ ଏସଏମଏସ୍ ଓ ଟିଫକେ ଯାହା ଅଛି। ଏହା ବ୍ୟତୀତ ସେମାନଙ୍କ ଅନ୍ୟ କୌଣସି ଚିହ୍ନଟ ନଥିବା ସେମାନଙ୍କ ଲାଗି କୋର୍ଟରେ ମୋକଦ୍ଦମା ରୁଜୁ କରିଥିବା ଓକିଲ ଗୁରୁପତୱନ୍ତ ସିଂହ ପନନ କହିଛନ୍ତି।
ତେବେ କୋର୍ଟଙ୍କ ରେକର୍ଡ ଅନୁସାରେ କାଶ୍ମୀର ଖାଲିସ୍ତାନ ରେଫରେଣ୍ଡମ ଫ୍ରଣ୍ଟ କେବଳ ମୋଦି, ଶାହ ଓ ଧିଲୋନଙ୍କ ବିରୋଧରେ ୧୮ ଫେବୃଆରୀ ୨୦୨୦ରେ ହଷ୍ଟନସ୍ଥିତ କନସୁଲେଟ୍କୁ କୋର୍ଟରୁ ସମନ ଜାରିକରିବାରେ ସକ୍ଷମ ହୋଇଥିଲେ। ସେହି ଅନୁସାରେ କୋର୍ଟ ଅଗଷ୍ଟ ୨ ତାରିଖରେ କନଫରେନ୍ସ ସ୍ଥିର କରିଥିବା ବେଳେ ପରବର୍ତ୍ତି କନଫରେନ୍ସ ଅକ୍ଟୋବର ୬କୁ ଧାର୍ଯ୍ୟ କରିଥିଲେ। ତେବେ ଉଭୟ ତାରିଖରେ କାଶ୍ମୀରଖାଲିସ୍ତାନ ରେଫରେଣ୍ଡମ ଫ୍ରଣ୍ଟ ଯୋଗଦେଇନାହାନ୍ତି। ଏଣୁ ବିଚାରପତି ଷ୍ଟାସୀ ଲ ସୁଟ୍ ଡିସମିସ୍ ଲାଗି ନିର୍ଦ୍ଦେଶ ଦେଇଥିବା ବେଳେ ପରେ ବିଚାରପତି ହାନନ୍ ଏହାକୁ ରଦ୍ଦ କରିଦେଇଛନ୍ତି।