ପୋଖରୀରୁ ବସ୍ତାରେ ଭର୍ତ୍ତି ନରକଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ
11/03/2023 at 10:52 AM

ଜଳେଶ୍ବର ୧୧।୩: ବସ୍ତାରୁ ମିଳିଲା ନରକଙ୍କାଳ । ବାଲେଶ୍ବର ଜିଲ୍ଲା ସିଂଲା ଥାନା ପାଣିଶୁଳିଆ ଦୁରୁଣ୍ଡି ଖାଲରୁ ନରକଙ୍କାଳ ଉଦ୍ଧାର ହୋଇଛି । ଗାଁ ପୋଖରୀରୁ ବସ୍ତାରେ ଭର୍ତ୍ତି ହୋଇଥିବା ନରକଙ୍କାଳ ଉଦ୍ଧାର କରାଯାଇଛି । ବସ୍ତାରେ ମଣିଷ ଖପୁରୀ ଓ ହାଡ ଜବତ କରାଯାଇଛି । ମାଛ ଧରିବା ପାଇଁ ପୋଖରୀ ଶୁଖାଇବା ବେଳେ ଏହି ନରକଙ୍କାଳ ଉଦ୍ଧାର ହୋଇଛି ।

ସୂଚନାଯୋଗ୍ୟ ଯେ, ଶନିବାର ସକାଳ ସମୟରେ ବାଲେଶ୍ବର ଜିଲ୍ଲା ସିଂଲା ଥାନା ପାଣିଶୁଳିଆ ଗ୍ରାମର ଆଦିକନ୍ଦ ଦୋଳି ନାମକ ବ୍ୟକ୍ତି ଦୁରୁଣ୍ଡି ଖାଲକୁ ମାଛ ଧରିବାକୁ ଯାଇଥିଲା ବେଳେ ବସ୍ତାଟି ମୁହଁ ବନ୍ଧା ହୋଇ ପଡିଥିବା ଦେଖିବାକୁ ପାଇଥିଲେ । ସେ ବସ୍ତା ମୁହଁ ଖୋଲିବାରୁ ସେଥିରୁ ମଣିଷ ଖପୁରୀ ଓ ହାଡ଼ ଥିବା ଦେଖିବାକୁ ପାଇଥିଲେ । ସେ ସଂଗେ ସଂଗେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ ।

ଘଟଣା ସମ୍ପର୍କରେ ସିଂଲା ପୋଲିସକୁ ଖବର ଦିଆଯାଇଥିଲା । ତେବେ କେହି ଦୁର୍ବୃତ୍ତ ହତ୍ୟା କରି ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ବସ୍ତାରେ ପୁରାଇ ଫିଙ୍ଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସିଂଲା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି କୁହାଯାଉଛି ।