ବାଣପୁର ୧୮|୧୦: ଖୋର୍ଦ୍ଧା ଜିଲ୍ଲାର ଐତିହାସିକ ଶକ୍ତି ପୀଠର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ । ପୁରାଣ ବର୍ଣ୍ଣିତ ତନ୍ତ୍ର ପୀଠ ବାଣପୁରର ମା’ ଭଗବତୀଙ୍କ ପୀଠରେ ପ୍ରତୀକ ନରବଳି ପ୍ରଥା ରହିଛି । ଏଠାରେ କାହିଁ କେଉଁ କାଳରୁ ଶାରଦୀୟ ଦୁର୍ଗାପୂଜରେ ଅର୍ଥାତ୍ ଷୋଡଶପୂଜାର ନବମୀ ତିଥିର ବିଳମ୍ବିତ ରାତ୍ରରେ ମା’ ଭଗବତୀଙ୍କୁ ସନ୍ତୁଷ୍ଟ କରି ଆଶିଷ ଲାଭ ନିମିତ ନରବଳି ଦିଆଯାଉଥିଲା । ମାତ୍ର ପରବର୍ତ୍ତୀ ସମୟରେ ପ୍ରତୀକ ନରବଳି ବ୍ୟବସ୍ଥା ପ୍ରଚଳିତ ହେଲା । ମା’ ଭଗବତୀ ନିଜେ ଆଉ ଜଣେ ମା’ ର ମନକଥା ବୁଝିପାରି ପ୍ରତୀକ ନରବଳି ବ୍ୟବସ୍ଥା ନିଜେ ହିଁ କରିଛନ୍ତି ବୋଲି ବିଶ୍ବାସ ରହିଛି । କୌଣସି ପରିବାରକୁ ନିଃବଂଶ ନକରି ବଂଶ ରକ୍ଷା ନିମିତ୍ତ ଏହି ପ୍ରତୀକ ନରବଳି ବ୍ୟବସ୍ଥା ନିଜେ ମା’ ଭଗବତୀ କରିଥିବା ନେଇ ଏକ ସୁନ୍ଦର ଲୋକକଥା ମଧ୍ୟ ରହିଛି ।ସେହି କ୍ରମରେ ମହାନବମୀର ମଧ୍ୟରାତ୍ରିରେ ବଳିଜେନା ପରିବାରର ରବୀନ୍ଦ୍ର ବଳିଜେନାଙ୍କୁ ଏଥର ପ୍ରତୀକ ବଳି ଦିଆଯାଇଛି।
ଖୋର୍ଦ୍ଧା ଜିଲ୍ଲା ବାଣପୁର ମାଳ-ଅଞ୍ଚଳର ଆଦିବାସୀ ମାନଙ୍କ ପ୍ରତ୍ୟକ୍ଷ ଠାକୁରାଣୀ ହେଉଛନ୍ତି ମା’ ଭଗବତୀ । ଏହି ପୀଠରେ ରାଜ-ରାଜୁଡା ସମୟରୁ ନରବଳି ପ୍ରଥା ରହିଥିଲା । ବାଲୁଗାଁ ନିକଟସ୍ଥ ସିଙ୍ଗେଶ୍ଵର ଗ୍ରାମର ବଳିଜେନା ପରିବାରର ଜଣେ ବ୍ୟକ୍ତି ବଳି ପଡିବା ପରମ୍ପରା ମଧ୍ୟ ରହିଥିଲା । ପ୍ରତି ବର୍ଷ ବଳି ପଡିବା ଦ୍ଵାରା ବଳି ଜେନା ପରିବାର ନିଃବଂଶ ହୋଇଯାଉଥିଲା । ବଳି ଭୟରେ ସେହି ବଂଶର ଜଣେ ମା’ ନିଜର ଏକମାତ୍ର ପୁତ୍ରକୁ ନେଇ ଗାଁ ଛାଡି ଅନ୍ୟତ୍ର ପଳାଉଥିବା ବେଳେ ମା’ ଭଗବତୀ ଏ କଥା ଜାଣିପାରିଥିଲେ । ମା’ ଭଗବତୀ ହଠାତ ସନ୍ଧ୍ୟାବେଳେ ସେହି ମା-ଛୁଆ ଙ୍କ ନିକଟରେ ଆବିର୍ଭୂତ ହୋଇ ଦର୍ଶନ ଦେଇଥିଲେ ।ଫଳରେ ନିଜର ବଂଶରକ୍ଷା ପାଇଁ ବଳିଜେନା ପରିବାରର ମହିଳା ଭଗବତୀଙ୍କୁ ନିଜ ସନ୍ତାନର ଜୀବନ ଭିକ୍ଷା କରିଥିଲେ ।ବଂଶରକ୍ଷା ପାଇଁ ଅକୁଳ ନିବେଦନ ଶୁଣି ମା’ଭଗବତୀଙ୍କ ମାତୃ ହୃଦୟ ତରଳିଯାଇଥିଲା । ମା’ ଭଗବତୀ ସଂପୃକ୍ତ ମହିଳାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଏଥିସହ ତାଙ୍କ ପୂଜାରେ କେବଳ ପ୍ରତୀକ ନରବଳି ହେବ ବୋଲି ପୂଜକଙ୍କୁ ସ୍ବପ୍ନାଦେଶ କରିଥିଲେ ପୁରାଣରେ ଏକଥା ବର୍ଣ୍ଣିତ ବୋଲି କୁହାଯାଏ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ପ୍ରଥା ପ୍ରଚଳିତ ହୋଇଆସୁଛି । ଏଥର ମହାନବମୀର ମଧ୍ୟ ରାତ୍ରିରେ ରବୀନ୍ଦ୍ର ବଳିଜେନାଙ୍କୁ ପ୍ରତୀକ ବଳି ଦିଆଯାଇଛି।
ପରଂପରା ଅନୁସାରେ ଶାରଦୀୟ ଦୁର୍ଗାପୂଜାର ମୂଳାଷ୍ଠମୀଠାରୁ ରବୀନ୍ଦ୍ର ବଳିଜେନା ନିଜ ଘରେ ପୂଜାର୍ଚ୍ଚନା ପରେ ମା’ ଭଗବତୀ ଙ୍କ ନିକଟରେ ବଳି ପଡିବା ପାଇଁ ନିଜ ଘର ଏବଂ ସଂସାରିକ ଜୀବନ ଛାଡି ବାଣପୁରର ଦକ୍ଷ ପ୍ରଜାପତି ଙ୍କ ମନ୍ଦିରରେ ଆସି ରହିଥିଲେ । ନବମୀ ପୂଜାର ନିଶାର୍ଦ୍ଧରେ ମା’ ଭଗବତୀଙ୍କ ପୂଜକମାନେ ବଳିଜେନାଙ୍କୁ ମା’ ଙ୍କ ସମ୍ମୁଖରେ ରଖି ପୂଜାର୍ଚ୍ଚାନା କରିଥିଲେ । ମା’ ଙ୍କ ଠାରୁ ଆଜ୍ଞାମାଳ ମିଳିବା ପରେ ତାହା ବଳିଜେନାଙ୍କ ଗଳାରେ ପଡିଥିଲା । ତାପରେ ବଳିଜେନା ଙ୍କୁ ମା’ ଭଗବତୀ ଙ୍କ ନିକଟରେ ପ୍ରତୀକ ନରବଳି ଭାବେ ସମର୍ପିତ କରାଯାଇଥିଲା । ସମର୍ପଣ ପରେ କିଛି ସମୟ ପାଇଁ ବଳି ଜେନା ଚେତାଶୂନ୍ୟ ହୋଇଥିଲେ । ଏହି ପ୍ରଥା ତଥା ପରମ୍ପରା ଶହଶହ ବର୍ଷ ହେଲା ପ୍ରଚଳିତ ହୋଇ ଆସୁଛି ବୋଲି ପୂଜକ ନୃସିଂହ ପ୍ରସାଦ ମିଶ୍ର କହିଛନ୍ତି ।