ଜୁଲିଆନ ଆସେଞ୍ଜଙ୍କ ପ୍ରତ୍ୟର୍ପଣକୁ ବ୍ରିଟେନରେ ବିରୋଧ, ପାର୍ଲିଆମେଣ୍ଟ ବାହାରେ ମାନବ ଶୃଙ୍ଖଳା କଲେ ଶହ ଶହ ପ୍ରଦର୍ଶନକାରୀ

Published By : Prameya-News7 Bureau | October 09, 2022 IST

ନୂଆଦିଲ୍ଲୀ: ୱିକିଲିକ୍ସର ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କ ଆମେରିକା ପ୍ରତ୍ୟର୍ପଣ ନିଷ୍ପତ୍ତିକୁ ବ୍ରିଟେନରେ ବିରୋଧ। ଶହ ଶହ ପ୍ରଦର୍ଶନକାରୀ ଜୁଲିଆନ ଆସେଞ୍ଜଙ୍କ ସମର୍ଥନରେ ବ୍ରିଟେନ ପାର୍ଲିଆମେଣ୍ଟ ବାହାରେ ମାନବ ଶୃଙ୍ଖଳା କରି ସମର୍ଥନ ଜଣାଇଛନ୍ତି। ଏହାସହ ପ୍ରତ୍ୟର୍ପଣକୁ ନିଷ୍ପତ୍ତିକୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି।

ରିପୋର୍ଟ ଅନୁସାରେ, ପାର୍ଲିଆମେଣ୍ଟ ହାଉସ ସାମନାକୁ ଆରମ୍ଭ ହୋଇଥିବା ଏହ ମାନବ ଶୃଙ୍ଖଳା ଥେମ୍ସ ନଦୀ ଉପରେ ଥିବା ୱେଷ୍ଟମିନିଷ୍ଟର ବ୍ରିଜ ଯାଏଁ ଲମ୍ୱିଥିଲା। ଏହି ସମୟରେ ପ୍ରଦର୍ଶନକାରୀ ବିଭିନ୍ନ ନାରାବାଜି କହିଥିଲେ। ହାତରେ ପୋଷ୍ଟର ଧରି ‘ଫ୍ରି ଆସେଞ୍ଜ, ପ୍ରତ୍ୟର୍ପଣ ରଦ୍ଦ’ ନାରା ଦେଇଥିଲେ। ଏହାସହ ‘ସାମ୍ୱାଦିକତା ଅପରାଧ ନୁହେଁ’ ଏବଂ ‘ଯୁଦ୍ଧ ଅପରାଧର ବିଚାର କର, ଆସେଞ୍ଜଙ୍କ ନୁହେଁ’ ଲେଖା ହୋଇଥିବା ପୋଷ୍ଟର ଧରି ବିରୋଧ କରିଥିଲେ ପ୍ରଦର୍ଶନକାରୀ। ପ୍ରଦର୍ଶନକାରୀଙ୍କ ମଧ୍ୟରେ ବ୍ରିଟେନ ପାର୍ଲିଆମେଣ୍ଟର ପୂର୍ବତନ ବିରୋଧୀ ଦଳ ନେତା ଜେରେମି କର୍ବିନ୍ ସାମିଲ ଥିବା ଦାବି କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ଜୁନ ମାସରେ ଜୁଲିଆନ ଆସେଞ୍ଜଙ୍କ ଆମେରିକା ପ୍ରତ୍ୟର୍ପଣ ଉପରେ ମୋହର ମାରିଥିଲେ ତତ୍କାଳୀନ ବ୍ରିଟେନ ଗୃହ ମନ୍ତ୍ରୀ ପ୍ରୀତି ପଟେଲ। ଏହାପରେ ଆମେରିକାରେ ଆସେଞ୍ଜଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଚାଲିବ । ଆସେଞ୍ଜ ଆମେରିକାରେ ୱାଣ୍ଟେଡ୍ । ତାଙ୍କ ବିରୁଦ୍ଧରେ ଆମେରିକାରେ ପ୍ରାୟ ୧୮ଟି ମାମଲା ରୁଜୁ ହୋଇଛି । ଆସେଞ୍ଜଙ୍କ ନାଁରେ ଆମେରିକା ମିଲିଟାରୀର ବହୁ ଗୁରୁତ୍ୱପୂର୍ଣ୍ଣ ଏବଂ କୂଟନୈତିକ ଗୁପ୍ତ ତଥ୍ୟ ପ୍ରକାଶ କରିବା ଅଭିଯୋଗ ରହିଛି । ଏହି ତଥ୍ୟ ପ୍ରକାଶ କରି ସେ ଲୋକଙ୍କ ଜୀବନ ବିପଦରେ ପକାଇଥିବା ୱାଶିଂଟନ କହିଥିଲା।

ଜୁଲିଆନଙ୍କ ସମର୍ଥକ ତାଙ୍କୁ ସରକାର ବିରୋଧୀ ହିରୋ ଦର୍ଶାଉଛନ୍ତି । ଆଫାଗାନିସ୍ତାନ ଏବଂ ଇରାକରେ ଆମେରିକା କରୁଥିବା ଭୁଲକୁ ସାମନାକୁ ଆଣିଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଛି । ସାମ୍ୱାଦିକତା ଏବଂ ବାକ ସ୍ୱାଧୀନତା ଉପରେ ଏହା ରାଜନୀତି ପ୍ରେରିତ ଆକ୍ରମଣ ବୋଲି ତାଙ୍କ ସମର୍ଥକ ଅଭିଯୋଗ କରୁଛନ୍ତି ।

ତେବେ ପଟେଲଙ୍କ ନିଷ୍ପତ୍ତି ଚୂଡାନ୍ତ ନୁହେଁ ଏବଂ ଆଷ୍ଟ୍ରେଲିଆ ଜନ୍ମିତ ଆସେଞ୍ଜଙ୍କ ୧୦ ବର୍ଷର ଆଇନଗତ ଲଢେଇର ଅନ୍ତ ନୁହେଁ । ବ୍ରିଟେନ ଗୃହ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ବିରୋଧରେ ସେ ଲଣ୍ଡନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ । ତେବେ ଏହି ମାମଲାକୁ ବଢାଇବା ପାଇଁ କୋର୍ଟଙ୍କ ଅନୁମୋଦନ ଜରୁରୀ ହେବ । ଯଦି ଏପରି ନହୁଏ ତେବେ ଶେଷ ରାସ୍ତା ଭାବେ ଆସେଞ୍ଜ ୟୁକେ ସୁପ୍ରମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ । କିନ୍ତୁ ଯଦି ଆବେଦନ ଖାରଜ ହୁଏ ତେବେ, ଏହାର ୨୮ ଦିନ ଭିତରେ ଆସେଞ୍ଜଙ୍କ ପ୍ରତ୍ୟାର୍ପଣ ହେବ।

ଉଲ୍ଲେଖଯୋଗ୍ୟ ଯେ, ଆମେରିକାରେ ଜୁଲିଆନ ଆସେଞ୍ଜ ଉପରେ ଆଫଗାନିସ୍ତାନ-ଇରାନ ଯୁଦ୍ଧ ସମୟରେ ଚାଲିଥିବା ସୈନ୍ୟ ଅପରେସନରେ ଜଡିତ ୫୦ ହଜାର ଗୁପ୍ତ ଫାଇଲ୍ସ ସାର୍ବଜନୀନ କରିଥିବା ଅଭିଯୋଗ ରହିଛି । ଏହି ମାମଲାରେ ତାଙ୍କ ବିରୁଦ୍ଧରେ ମକୋଦ୍ଦମା ଚାଲିଛି । ଆସେଞ୍ଜଙ୍କ ପ୍ରତ୍ୟର୍ପଣ ପାଇଁ ଆମେରିକା ଅନେକ ବର୍ଷ ଧରି ପ୍ରୟାସ ଜାରି ରଖଛି । ଗତ ବର୍ଷ ଫେବ୍ରୁଆରୀ ଆସେଞ୍ଜଙ୍କ ଓକିଲ କୋର୍ଟରେ କହିଥିଲେ, ଯଦି ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ କରାଯାଏ କିମ୍ୱା କଡା ସୁରକ୍ଷା ଥିବା ସ୍ଥାନରେ ରଖାଯାଏ ତେବେ ସେ ଆତ୍ମହତ୍ୟା କରିପାରନ୍ତି । ଏହାର ଜବାବରେ ଆମେରିକା ସରକାର କହିଥିଲେ, ଆସେଞ୍ଜଙ୍କୁ କଠୋର ଦଣ୍ଡ ଦିଆଯିବନି ଏବଂ ତାଙ୍କର ଧ୍ୟାନ ରଖାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.