୯ବର୍ଷ ବୟସରେ ମରିବାକୁ ଚାହୁଁଛି ଏହି ବାଳକ : କ’ଣ ତା’ର ଦୁଃଖ? ଭିଡିଓ ଦେଖି ସମସ୍ତେ ବିବ୍ରତ, ସାହାଯ୍ୟ କରିବାକୁ ଆଗେଇ ଆସିଲେ ସେଲିବ୍ରିଟି
22/02/2020 at 1:50 PM

ନୂଆଦିଲ୍ଲୀ ୨୨/୨: ସୋସିଆଲ ମିଡିଆରେ ଏବେ ଜଣେ ୯ବର୍ଷ ବୟସ୍କ ବାଳକର ଭିଡିଓ ଖୁବ୍ ଭାଇରାଲ୍ ହେବାକୁ ଲାଗିଛି। ଏହି ଭିଡିଓ ଏତେ ମର୍ମସ୍ପର୍ଶୀ ହୋଇଛି ଯେ ଲୋକେ ଏହି ବାଳକକୁ ସମର୍ଥନ କରିବା ପାଇଁ ଆଗକୁ ଆସିଛନ୍ତି। ୯ବର୍ଷ ବୟସ୍କ ଏହି ବାଳକ ଆତ୍ମହତ୍ୟା କରିବାକୁ ଚାହୁଁଛି କାରଣ ସେ ବାମନ ହେବା ଯୋଗୁଁ ପିଲାମାନେ ତାକୁ ଥଟ୍ଟା ପରିହାସ କରୁଛନ୍ତି।
ହଲିଉଡଠୁ ଆରମ୍ଭ କରି ବଲିଉଡ ଯାଏଁ ସେଲିବ୍ରିଟିମାନେ ଏହି ବାଳକର ଭିଡିଓକୁ ସେୟାର କରୁଛନ୍ତି। ହଲିଉଡ ଅଭିନେତା ହ୍ୟୁଗ୍ ଜ୍ୟାକମ୍ୟାନ୍ ଏବଂ ଜେଫ୍ରି ଡିନ ମାର୍ଗନ୍ ଏହି ବାଳକକୁ ସମର୍ଥନ କରିବା ପାଇଁ ଭିଡିଓକୁ ସେୟାର କରି କହିଛନ୍ତି ଯେ ସେ ଏହି ବାଳକର ସାଙ୍ଗ।
ଜ୍ୟାକମ୍ୟାନ୍ ବାଳକକୁ ସମର୍ଥନ କରିବା ପାଇଁ ଭିଡିଓ ପୋଷ୍ଟ କରି କହିଛନ୍ତି,‘ କ୍ବାର୍ଡ଼େନ ତୁମେ ଅତ୍ୟନ୍ତ ମଜବୁତ ଯେତିକି ତୁମେ ନିଜକୁ ଜାଣିଛ ତାଠୁ ବି ଅଧିକ। ତୁମକୁ ମୋ ଭଳି ଏକ ସାଙ୍ଗ ମିଳିଛି। ସମସ୍ତେ ଦୟା କରି ପରସ୍ପର ପ୍ରତି ଉଦାର ହୁଅନ୍ତୁ। କାହାକୁ ବି ପରିହାସ କରିବା ଅନୁଚିତ୍। ଜୀବନ ଅତ୍ୟନ୍ତ ଜଟିଳ। ଆମକୁ ଏହା ଧ୍ୟାନ ରଖିବା ଉଚିତ୍ ଯେ ଆମ ସାମନାରେ ଥିବା ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି ଜିନିଷ ପାଇଁ ସଂଘର୍ଷ କରୁଛି। ଉଦାର ହୁଅନ୍ତୁ’।

ଜେଫ୍ରି ଡିନ ମାର୍ଗନ୍ ମଧ୍ୟ ଏପରି ଏକ ଭିଡିଓ ସେୟାର କରି କହିଛନ୍ତି,‘ ମୁଁ ଚାହୁଁଛି ଯେ ତୁମେ ଏହା ଜାଣି ରଖ ଯେ ମୁଁ ତୁମ ସାଙ୍ଗ। ତୁମେ ଏଯାଏଁ ମୋତେ ଭେଟି ନାହଁ କିନ୍ତୁ ଆମେ ସାଙ୍ଗ ହୋଇ ପାରିବା। ତୁମ ମାଆ ମୋତେ ମ୍ୟାସେଜ କରି ପାରନ୍ତି। ଏଠାରେ ଦେଶ ସାରା ତୁମର ବହୁତ ସାଙ୍ଗ ଅଛନ୍ତି। ଆମେ ତୁମ ସହ ଅଛୁ।’

ଭାଇରାଲ୍ ହୋଇଥିବା ଏହି ଭିଡିଓରେ ପିଲାଟି କହୁଛି ଯେ ‘କେହି ଆସି ତାକୁ ମାରି ଦିଅନ୍ତୁ।’ ଭିଡିଓରେ ବାଳକର ମାଆ କହୁଛନ୍ତି,‘୯ବର୍ଷ ବୟସ ବାଳକକୁ ଚିଡ଼ାଇବାର ଏହି ଫଳ ମିଳିଛି। ଯିଏ ସ୍କୁଲ୍ ଯିବାକୁ ଚାହୁଁଛି,ପଢ଼ିବାକୁ ଚାହୁଁଛି। କିନ୍ତୁ ପ୍ରତ୍ୟେକ ଦିନ ତା’ ସହ କିଛି ନା କିଛି ଘଟୁଛି। ଭିଡିଓରେ ବାଳକଟି ଅତ୍ୟଧିକ କାନ୍ଦୁଛି। ଏହି ବାଳକଟି ଆକ୍ରୋଣ୍ଡୋପ୍ଲାସିଆ ନାମକ ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।
