ଆନନ୍ଦପୁର ୦୮/୦୧: ଏକ ଭଡା ଘରେ ରହି ଦୀର୍ଘଦିନ ହେବ ନକଲି ବିଦେଶୀ ମଦ ପ୍ରସ୍ତୁତି କରି କାରବାର କରୁଥିଲେ ଜଣେ ବିହାରି ଯୁବକ। ତାଙ୍କୁ ଏବେ ଗିରଫ କରିଛି କେନ୍ଦୁଝର ଜିଲ୍ଲା ଅବକାରୀ ବିଭାଗର ସ୍ପେଶାଲ ସ୍କ୍ୱାର୍ଡ। ଏହି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁର ଥାନା ଶୈଲଙ୍ଗ ଗ୍ରାମରେ।
ଚଢାଉ ସମୟରେ ଗିରଫ ଅଭିଯୁକ୍ତ ଓମ ପ୍ରକାଶ ଗୁପ୍ତା ରହୁଥିବା ଘରୁ ୨୧ଲିଟର ୮୮୦ମିଲିମିଟର ନକଲି ବିଦେଶୀ ମଦ, ୩୨୦ଟି ଠିପି, ୨୪୧ଟି ମଦ ବୋତଲ ଲେବୁଲ୍ ସହ କାରବାରରେ ବ୍ୟବହୃତ ମୋଟସାଇକେଲ ଜବତ କରାଯାଇଛି। ଏହାସହ ନଗଦ ୧୫ହଜାର ଟଙ୍କା ଓ ୨ଟି ମୋବାଇଲ୍ ଫୋନ୍ ବି ଜବତ କରିଛି ଅବକାରୀ ସ୍କ୍ୱାର୍ଡ ଟିମ୍।
ଓମ୍ ପ୍ରକାଶ ଏଠାରେ ମଦ ପ୍ରସ୍ତୁତ କରି ସେଗୁଡିକୁ ମୟୁରଭଞ୍ଜ ଜିଲ୍ଲାର କିଛି ବ୍ୟକ୍ତିଙ୍କୁ ଚାଲାଣ କରୁଥିବା ଜଣା ପଡିଛି। ତେବେ ଏହି କାରବାରରେ ଅନ୍ୟ କେଉଁମାନଙ୍କ ସଂପୃକ୍ତି ରହିଛି ତାର ଖୋଳତାଡ଼ ଆରମ୍ଭ କରିଛି ଜିଲ୍ଲା ଅବକାରୀ ବିଭାଗ। ନକଲି ମଦ କାରବାର ନେଇ ଗୁଇନ୍ଦା ଖବର ପାଇ ଚଢାଉ ପରେ ଏହି ସଫଳତା ମିଳିଥିବା କହିଛନ୍ତି ଅବକାରୀ ବିଭାଗ ସ୍ପେଶାଲସ୍କ୍ୱାର୍ଡ ଇନିସପେକ୍ଟର।