ବିପୁଳ ପରିମାଣର ଗଞ୍ଜେଇ ଜବତ; ୪ ଚୋରା ଚାଲାଣକାରୀ ଗିରଫ

Published By : Prameya-News7 Bureau | July 05, 2022 IST

ବାରିପଦା ୦୫/୦୭ : ବାରିପଦା ପୋଲିସକୁ ବଡ଼ ସଫଳତା ମିଳିଛି। ୩ଟି ଗାଡ଼ି ସହିତ ୩କ୍ୱିଣ୍ଟାଲ ୮୦ କିଲୋ ଗଞ୍ଜେଇ ଜବତ କରିବା ସହିତ ୪ ଚାଲାଣକାରୀଙ୍କୁ ପୋଲିସ ଗିରଫ କରିଛି। ମୟୁରଭଞ୍ଜରେ ଗଞ୍ଜେଇ ଚୋରା ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କେବେ ଯାତ୍ରିବାହୀ ବସରୁ ତ କେବେ ରାଜ୍ୟ ବାହାରର ଗାଡ଼ିରୁ ନିୟମିତ ବ୍ୟବଧାନରେ କ୍ୱିଣ୍ଟାଲ୍ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହେଉଛି। ପୁଣି ସୋମବାର ଆନ୍ତରାଜ୍ୟ ଚୋରା ଚାଲାଣ ବେଳେ ବାରିପଦା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି।

୩ଟି ଗାଡ଼ିରେ ଜାଲି ନମ୍ବର ପ୍ଲେଟ୍ ଲଗାଇ ୩ କ୍ୱିଣ୍ଟାଲ ୮୦ କିଲୋ ଗଞ୍ଜେଇ କୋରାପୁଟ୍ରୁ ଝାଡ଼ଖଣ୍ଡ ଚୋରା ଚାଲାଣ ହେଉଥିଲା। ବାରିପଦା ପୋଲିସ ଖବର ପାଇ ୩ଟି ଗାଡ଼ି ଅଟକାଇବା ବେଳେ ଗଞ୍ଜେଇ ଚୋରଙ୍କ ସହିତ ମୁହାଁମୁହିଁ ହୋଇଥିଲା। ଘଟଣାସ୍ଥଳରୁ ଗାଡ଼ି ୩ଟି ଖସିଯିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ପୋଲିସ ସେମାନଙ୍କୁ କଳେବଳେ କୌଶଳେ କାବୁ କରିଥିଲା। ୨ଟି ଗାଡ଼ି ବାରିପଦାରେ ଧରା ହୋଇଥିବା ବେଳେ ଗୋଟିଏ ଗାଡିକୁ ପିଛାକରି ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜଗନ୍ନାଥଖୁଣ୍ଟାରେ ପୋଲିସ ଧରିଥିଲା

ଏହି ଘଟଣାରେ ପୋଲିସ ୪ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ଏହି ଗ୍ୟାଙ୍ଗ୍‌ର ମୟୁରଭଞ୍ଜ ସହିତ କୌଣସି ସମ୍ପର୍କ ନାହିଁ  କେବଳ ମୟୁରଭଞ୍ଜ ବାଟ ଦେଇ ଏହା ଚାଲାଣ କରାଯାଉଥିଲା ବୋଲି ପୋଲିସ କହିଛି। ତେବେ ଏହି ରାକେଟ୍ର ଚେର କେତେଦୂର ଲମ୍ବିଛି ତାହା ଅଧିକ ତଦନ୍ତ କଲେ ଜଣା ପଡିବ ବୋଲି ମୟୁରଭଞ୍ଜ ଆରକ୍ଷି ଅଧିକ୍ଷକ ରିଷିକେଶ ଡି ଖିଲାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.