ବଡ଼ ବଡୁଆ ହୋ, ଅନ୍ଧାରେ ଆସ, ଆଲୋକେ ଯାଅ : ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପୟା ଶ୍ରାଦ୍ଧ ପାଇଁ ପ୍ରବଳ ଭିଡ

Published By : Prameya-News7 Bureau | November 07, 2018 IST

ପୁରୀ ୭/୧୧ : ଦୀପାବଳି ଅବସରରେ ଶ୍ରୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁ ବାଇସି ପାହାଚରେ ପୟାଶ୍ରାଦ୍ଧ ଦେବା ସହ ସିଂହଦ୍ବାର ସମ୍ମୁଖରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିଛନ୍ତି । ଏଥିପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଭୁବେନଶ୍ବରର ଲିଙ୍ଗରାଜ ପୀଠରେ ମଧ୍ୟ ଶହ ଶହ ଶ୍ରଦ୍ଧାଳୁ ପୟାଶ୍ରାଦ୍ଧା ଦେବା ସହ ବଡବଡୁଆ ଡାକୁଛନ୍ତି । .. ବଡ଼ ବଡୁଆ ହୋ, ଅନ୍ଧାରେ ଆସ, ଆଲୋକେ ଯାଅ, ଗଙ୍ଗା ଯାଅ, ଗୟା ଯାଅ, ଶ୍ରୀକ୍ଷେତ୍ର ଯାଅ, ବାଇଶି ପାହାଚେ ଗଡ଼ ଗଡ଼ଉ ଥାଅ ।.. ମହାଳୟାରେ ମର୍ତ୍ତ୍ୟକୁ ଆସିଥିବା ପିତୃ ପୁରୁଷଙ୍କ ଆଜି ପ୍ରତ୍ତ୍ୟାବର୍ତ୍ତନର ଦିନ । ସେଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର । ହଜାର ହଜାର ଶ୍ରଦ୍ଧାଳୁ ବାଇସି ପାହାଚରେ ପୟାଶ୍ରାଦ୍ଧ ଦେବା ସହ ସିଂହଦ୍ବାର ସମ୍ମୁଖରେ କାଉଁରିଆ କାଠି ଜାଳି ବଡବଡୁଆ ଡାକିଛନ୍ତି । ଏହି ଅବସରରେ ଶ୍ରଦ୍ଧାଳୁ ଦଶ ବିଶ୍ବଦେବ ଓ ଋୁଷି ମାନଙ୍କୁ ମଧ୍ୟ ପିଣ୍ଡ ଓ ଶ୍ରାଦ୍ଧ ଦେଇଛନ୍ତି । ମନ୍ଦିର ଭିତରେ ଓ ବାହାରେ ୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ବି ଭିଡ଼ ନିୟନ୍ତ୍ରଣରେ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଧାଡ଼ି ଦର୍ଶନ ଯୋଗୁଁ ସିଂହଦ୍ବାର ସମ୍ମୁଖ ବ୍ୟାରିକେଡ଼ ଭିତରେ ଠେଲା ପେଲା ହୋଇଥିଲା। ପ୍ରବଳ ଖରା ଯୋଗୁଁ ଅନେକ ଭକ୍ତ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ପୟାଶ୍ରାଦ୍ଧ ପାଇଁ ଲିଙ୍ଗରାଜଙ୍କ କ୍ଷେତ୍ରରେ ବି ଦିନ ତମାମ ଲାଗିଥିଲା ଗହଳି ଚହଳି । ବିନ୍ଦୁସାଗରରେ ଶହ ଶହ ଶ୍ରଦ୍ଧାଳୁ ପ୍ରୟାଶ୍ରାଦ୍ଧ ଦେଇଛନ୍ତି । ସନ୍ଧ୍ୟାରେ ବଡ଼ବଡ଼ୁଆଙ୍କୁ ସ୍ମରଣ କରୁଛନ୍ତି । ଏଥିପାଇଁ ଲିଙ୍ଗରାଜ ମନ୍ଦିର, ବିନ୍ଦୁସାଗର କୂଳରେ ପ୍ରବଳ ଭିଡ଼ ଲାଗିଥିଲା । ସଂଧ୍ୟାରେ ଘରେ ଘରେ ଚାଲିଛି ବଡବଡୁଆ ଡକା । କାଉଁରିଆ କାଠି ଜାଳି ପିତୃପୁରୁଷଙ୍କୁ ସ୍ମରଣ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.