ହାୱଡା-ଟିଟଲାଗଡ଼ ଇସ୍ପାତ୍ ଏକ୍ସପ୍ରେସ୍ର ଭାଙ୍ଗିଲା କପଲିଂ, ଯାତ୍ରୀ ସୁରକ୍ଷିତ
8/01/2023 at 3:03 PM

ସନ୍ତରାଗାଛି ୮।୧: ହାୱଡା-ଟିଟଲାଗଡ଼ ୧୨୮୭୧ ଇସ୍ପାତ ଏକ୍ସପ୍ରସ୍ର ଦୁଇଟି ବଗି ମଧ୍ୟରେ ଥିବା କପଲିଂ ରବିବାର ଭାଙ୍ଗି ଯାଇଛି। ଦକ୍ଷିଣ-ପୂର୍ବ ରେଲୱେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଟ୍ରେନଟି ଷ୍ଟେସନକୁ ପ୍ରବେଶ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଟ୍ରେନର ବେଗ ଧିମା ଥିବା ଯୋଗୁ ସେଭଳି କୌଣସି ବିପଦଜନକ ପରିସ୍ଥିତି ଉପୁଜି ନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ରେଳବାଇ ଅଧିକାରୀ କହିଛନ୍ତି।

ନିର୍ଦ୍ଧାରିତ ରହଣୀ ପରିବର୍ତ୍ତେ ଇସ୍ପାତ ଏକ୍ସପ୍ରେସ୍କୁ ରବିବାର ସନ୍ତରାଗାଛି ଷ୍ଟେସନରେ ରୋକା ଯାଇଥିଲା। ଟ୍ରେନ ଷ୍ଟେସନକୁ ପ୍ରବେଶ କରୁଥିବା ବେଳେ ଦୁଇଟି ବଗିକୁ ଯୋଡୁଥିବା କପଲିଂ ଅଲଗା ହୋଇଯାଇଥିଲା। ପ୍ରଭାବିତ ବଗିକୁ ଟ୍ରେନରୁ ପୃଥକ କରାଯିବା ପରେ ଗନ୍ତବ୍ୟ ଉଦ୍ଦେଶ୍ୟରେ ଛଡା ଯାଇଥିଲା। ଏଥିଲାଗି ଟ୍ରେନକୁ ଦୀର୍ଘ ଦୁଇଘଣ୍ଟା ପର୍ଯ୍ୟନ୍ତ ସନ୍ତ୍ରାଗାଛି ଷ୍ଟେସନରେ ଅଟକି ରହିବାକୁ ପଡିଥିଲା।

ଦକ୍ଷିଣ-ପୂର୍ବ ରେଳବାଇ ଅଧିକାରୀଙ୍କ ସୂଚନା ଅନୁସାରେ ଇଞ୍ଜିନ ପଛପଟେ ତୃତୀୟ ଓ ଚତୁର୍ଥ ବଗିକୁ ଯୋଡୁଥିବା କପଲିଂଟି ଭାଙ୍ଗି ଯାଇଥିଲା। ଏହି ଟ୍ରେନଟି ହାୱଡାରୁ ଓଡିଶାର ଟିଟଲାଗଡକୁ ଯାଉଛି। ଏହି ଦୁର୍ଘଟଣା ଯୋଗୁ ଟ୍ରେନକୁ ପ୍ଲାଟଫର୍ମରେ ସକାଳ ୯ଟା ୫ ମିନିଟ୍ରୁ ୧୦ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଅଟକାଇ ରଖା ଯାଇଥିଲା। କପଲିଂ ବଦଳିବା ପରେ ଟ୍ରେନ ଗନ୍ତବ୍ୟ ଉଦ୍ଦେଶ୍ୟରେ ଯାତ୍ରା କରିଛି।