ଫଟା ନୋଟକୁ କ’ଣ କରିଥାଏ RBI ? ଜାଣନ୍ତୁ କିଛି ରୋଚକ ତଥ୍ୟ…
26/03/2023 at 12:27 PM

ନୂଆଦିଲ୍ଲୀ ୨୬।୦୩; କାଗଜ ନୋଟ୍ ସାଧାରଣତଃ ସମସ୍ତଙ୍କ ପାଖରେ ରହିଥାଏ । ବେଳେବଳେ ସେଥିରୁ କିଛି ଚିରିଫାଟି ଯାଇଥାଏ ତ, ଆଉ କିଛି ଜଳିଯାଇଥାଏ । ଏହି ଚିରାଫଟା ନୋଟକୁ ପାଖରେ କେହି ରଖିବାକୁ ପସନ୍ଦ କରିନଥାନ୍ତି । ଏମିତିକି ଏହାକୁ ଗ୍ରହଣ କରିବାକୁ ଲୋକେ ମନା କରିଦିଅନ୍ତି । ଏକ୍ଷେତ୍ରରେ ଆପଣ କଣ କରିବେ ? ଏହାକୁ ନେଇ ଯେକୌଣସି ବ୍ୟାଙ୍କରେ ବଦଳାଇ ପାରିବେ । ଏଥିପାଇଁ ବ୍ୟାଙ୍କ ଆପଣଙ୍କ ଠାରୁ କୌଣସି ଶୁଳ୍କ ଆଦାୟ କରେ ନାହିଁ । କାରଣ ଚିରାଫଟା ନୋଟକୁ ଗ୍ରହଣ କରିଥାଏ ଆରବିଆଇ । କିନ୍ତୁ ଏହି ଚିରାଫଟା ନୋଟକୁ ନେଇ ଆରବିଆଇ କଣ କରିଥାଏ, ଜାଣିଛନ୍ତି କି । ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଆରବିଆର ନିୟମ ଅନୁଯାୟୀ, ଯଦି କୌଣସି ପ୍ରକାରର ନୋଟ୍ ସଂପୂର୍ଣ୍ଣ ଚିରିଗଲା କିମ୍ବା ପୂରା ନୋଟ ଦୁଇରୁ ତିନି ଖଣ୍ଡ ଅଲଗା ହୋଇଯାଇଛି ତେବେ ଏହାକୁ ପରିବର୍ତ୍ତନ କରାଯାଇପାରେ । କିନ୍ତୁ ଏଥିପାଇଁ ଜାରି ହୋଇଛି ଏକ ନିର୍ଦ୍ଦିଷ୍ଟ ସୀମା ବା ନିୟମ । ବ୍ୟକ୍ତି ଏକ ସମୟରେ ସର୍ବାଧିକ 20 ଟି ନୋଟ୍ ପରିବର୍ତ୍ତନ କରିପାରିବ । କିନ୍ତୁ ସେମାନଙ୍କର ମୋଟ ମୂଲ୍ୟ ୫ ହଜାରରୁ ଅଧିକ ହେବା ଉଚିତ୍ ନୁହେଁ । କିନ୍ତୁ ମନେରଖିବାକୁ ହେବ ଯେ ନୋଟର ଅବସ୍ଥା ଯେତେ ଖରାପ ହେବ, ଏହାର ମୂଲ୍ୟ ମଧ୍ୟ ସେତେ କମ ହେବ ।

ତେବେ ଆରବିଆଇ ସେହି ଖରାପ ନୋଟଗୁଡ଼ିକୁ ପ୍ରଚଳନରୁ ହଟାଇ ଦେଇଥାଏ । ଏହା ବଦଳରେ ନୂଆ ନୋଟ୍ ଛାପିବାର ଦାୟିତ୍ବ ଆରବିଆଇର ରହିଥାଏ । ପୂର୍ବରୁ ଖରାପ ନୋଟଗୁଡକୁ ପୋଡି ଦିଆଯାଉଥିଲା । କିନ୍ତୁ ବର୍ତ୍ତମାନ ସମୟରେ ସେଗୁଡିକ ଛୋଟ ଖଣ୍ଡରେ ପୁନଃ ବ୍ୟବହାର କରାଯାଏ । ପରେ ଏହି ଜିନିଷଗୁଡ଼ିକରୁ କାଗଜ ତିଆରି ଜିନିଷ ନିର୍ମାଣ କରାଯାଏ । ଯାହା ବଜାରରେ ବିକ୍ରି ହୁଏ ।