ନୂଆଦିଲ୍ଲୀ ୨୪।୪: ଭାରତରେ ୨୦୨୪ ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଯାହା ଦେଶରେ ୧୯ ଏପ୍ରିଲ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଭାରତରେ ନିର୍ବାଚନ ଆୟୋଗ ନିର୍ବାଚନ କରାଇଥାନ୍ତି। ଏଥର ସାଧାରଣ ନିର୍ବାଚନରେ ସାରା ଦେଶରେ ୯୬.୮ କୋଟିରୁ ଅଧିକ ଲୋକେ ଭୋଟ ଦେବେ। ତେବେ ଗଣତନ୍ତ୍ରର ମହାପର୍ବ ପାଳନ ଏତେ ଶସ୍ତା ନୁହେଁ। ଏତେ ବଡ଼ ଧରଣର ନିର୍ବାଚନ କରାଇବାକୁ ବିପୁଳ ବ୍ୟୟ ହୋଇଥାଏ। ଏହି ଖର୍ଚ୍ଚ ଗତ କିଛି ଦଶନ୍ଧୀ ହେଲା ବଢିବଢି ଚାଲିଛି।
୧୯୫୧-୫୨ ମସିହାରେ ନିର୍ବାଚନ କାଳରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦.୫ କୋଟି ଟଙ୍କା ବ୍ୟୟ ହୋଇଥିଲା। ତେବେ ୧୯୫୭ ନିର୍ବାଚନରେ ବ୍ୟୟ ପରିମାଣ ସାମାନ୍ୟ କମିଥିଲା। ତେବେ ଏହା ପରବର୍ତ୍ତି ସବୁ ନିର୍ବାଚନରେ ଏହି ବ୍ୟୟ ବଢ଼ିବଢି ଚାଲିଛି ଓ ଖର୍ଚ୍ଚ ବି ବେଶ୍ ବଢିଛି। ‘ଫାଷ୍ଟପୋଷ୍ଟ’ ରିପୋର୍ଟ ଅନୁସାରେ ୨୦୧୯ ଲୋକସଭା ନିର୍ବାଚନରେ ୫୦,୦୦୦ କୋଟି ଅର୍ଥାତ ୭ ବିଲିୟନ ଡଲାର ବ୍ୟୟ ହୋଇଥିଲା। ତେବେ ଏହାପୂର୍ବରୁ ଅନୁଷ୍ଠିତ ହୋଇଥିବା ୨୦୧୪ ସାଧାରଣ ନିର୍ବାଚନରେ ୩,୮୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାର ହିସାବ ରହିଛି। ଏହି ବ୍ୟୟ ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବାବଦ ବ୍ୟୟ ୬.୫ ବିଲିୟନ ଡଲାର ଠାରୁ ମଧ୍ୟ ଅଧିକ।
ଏଥିରେ ପ୍ରତି ଭୋଟ ପିଛା ବ୍ୟୟର ହିସାବ କଲେ ୧୯୫୧ ମସିହାରେ ଯେଉଁ ଭୋଟ ପିଛା ୬ ପଇସା ଖର୍ଚ୍ଚ ହେଉଥିଲା ୨୦୧୪ ସାଧାରଣ ନିର୍ବାଚନ ବେଳକୁ ତାହା ୪୬ ଟଙ୍କାକୁ ପହଞ୍ଚିଯାଇଛି। ନିର୍ବାଚନ ଅଭିଯାନ ବାବଦ ବ୍ୟୟ ଲଗାତାର ବଢିବଢି ଚାଲିଛି। ଏପରି ଖର୍ଚ୍ଚ ବୃଦ୍ଧିର ଅସଂଖ୍ୟ କାରକ ମଧ୍ୟ ରହିଛି। ଯେଉଁଥିରେ ସୋସିଆଲ ମିଡିଆର ବୃଦ୍ଧି ହେଉଥିବା ପ୍ରଭାବ ଓ ରାଜନୈତିକ ଅଭିଯାନ ପାଇଁ ବଢୁଥିବା ଚାହିଦା ମଧ୍ୟ ରହିଛି। ଏଥିରେ ନିର୍ବାଚନ ପାଇଁ ଇଲେକ୍ଟ୍ରୋନିକ ଭୋଟିଂ ମେସିନ କ୍ରୟ ଖର୍ଚ୍ଚ ସବୁଠୁ ଅଧିକ। ଏହା ଛଡା ପ୍ରଶାସନିକ ବ୍ୟୟ ଯେଉଁଥିରେ ଅଧିକାରୀମାନଙ୍କ ପାରିଶ୍ରମିକ, ଟ୍ରେନିଂ ସେସନ ଓ ସଚେତନତା ଅଭିଯାନ ମଧ୍ୟ ସାମିଲ।
କେବଳ ଏତିକି ନୁହେଁ ନିର୍ବାଚନ ପ୍ରକ୍ରିୟାକୁ ସୁବିଧାଜନକ କରିବା ପାଇଁ ଯେଉଁ ଅଧିକାରୀମାନଙ୍କ ଡ୍ୟୁଟି ରହୁଛି ସେମାନଙ୍କୁ ଦୈନିକ ୩୫୦ ଓ ପୋଲିଂ ଅଧିକାରୀଙ୍କୁ ଦୈନିକ ୨୫୦ ଟଙ୍କା ହିସାବରେ ପାରିଶ୍ରମିକ ମିଳିଥାଏ । ତେବେ ଲୋକସଭା ନିର୍ବାଚନ ବାବଦ ବ୍ୟୟ କେବଳ କେନ୍ଦ୍ର ସରକାର ବହନ କରନ୍ତି ନାହିଁ। ଏଥି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟୟ କରିଥାନ୍ତି। ରାଜ୍ୟ ବିଧାନସଭା ନିର୍ବାଚନ ଖର୍ଚ୍ଚ ସମ୍ପୂର୍ଣ୍ଣ ରୂପେ ରାଜ୍ୟ ସରକାର ବହନ କରନ୍ତି। ହେଲେ ଯେଉଁଠି ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି ହୁଏ ସେଠାରେ ଖର୍ଚ୍ଚ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମାନ ବଣ୍ଟା ହୋଇଥାଏ।