ମହାଭାରତ ଏବଂ ରାମାୟଣର କାହାଣୀ ସମସ୍ତଙ୍କୁ ଆକର୍ଷିତ କରିଥାଏ। ଏହି ଦୁଇ ପୁରାଣର କିନ୍ତୁ ମୁଖ୍ୟ ଚରିତ୍ର ସମ୍ପର୍କରେ ସମସ୍ତେ ପ୍ରାୟ ଅବଗତ। କିନ୍ତୁ ଏହି ପୁରାଣଗୁଡ଼ିକର ଏମିତି ଅନେକ ପାତ୍ର,ପାତ୍ରୀ ଅଛନ୍ତି ଯାହାଙ୍କ ସମ୍ପର୍କରେ ବିଶେଷ ଆଲୋଚନା ହୋଇନଥାଏ। ରାମାୟଣର ଏମିତି ଏକ ଚରିତ୍ର ହେଉଛନ୍ତି ମନ୍ଦୋଦରୀ। ଲଙ୍କାପତି ରାବଣଙ୍କ ପତ୍ନୀ ମନ୍ଦୋଦରୀଙ୍କୁ ସପ୍ତସତୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ମନ୍ଦୋଦରୀ କାହା ଝିଅ,ରାବଣଙ୍କ ସହ ତାଙ୍କର କିଭଳି ବିବାହ ହେଲା ଏବଂ ଶ୍ରୀରାମଚନ୍ଦ୍ରଙ୍କ ଦ୍ବାରା ରାବଣ ବଧ ହେବାପରେ ସେ କ’ଣ କଲେ ଏମିତି ଅନେକ ପ୍ରଶ୍ନ ମନକୁ ଆନ୍ଦୋଳିତ କରିଥାଏ। ଆସନ୍ତୁ ଜାଣିବା ମନ୍ଦୋଦରୀଙ୍କ ସମ୍ପର୍କରେ-
ସ୍ବର୍ଗରେ ଥିବା ବହୁ ପରୀ ବା ଅପସରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମାଧୁରୀ। ମାଧୁରୀ ଅତ୍ୟନ୍ତ ଲାସ୍ୟମୟୀ ଓ ସୁନ୍ଦରୀ ଥିଲେ। ଥରେ ମାଧୁରୀ କୈଳାସ ପର୍ବତରେ ପହଞ୍ଚିଥିଲେ। ଦେବୀ ପାର୍ବତୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସେ ଭଗବାନ ଶଙ୍କରଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ପାର୍ବତୀ ପହଞ୍ଚିଯାଇଥିଲେ। ମାଧୁରୀଙ୍କ ଦେହରେ ଶିବଙ୍କର ଭସ୍ମ ଲାଗିଥିବା ଦେଖି ଉତକ୍ଷିପ୍ତ ହୋଇଉଠିଥିଲେ। କ୍ରୋଧର ବଶବର୍ତ୍ତୀ ପାର୍ବତୀ ମାଧୁରୀଙ୍କୁ ଅଭିଶାପ ଦେଇ ବେଙ୍ଗ କରିଦେଇଥିଲେ।
ଶାପମୁକ୍ତ କରିବା ପାଇଁ ପାର୍ବତୀଙ୍କ ନିକଟରେ ବହୁ ଅନୁନୟ କରିବା ପରେ ମଧ୍ୟ ପାର୍ବତୀ ଶାନ୍ତ ହୋଇନଥିଲେ। ମାଧୁରୀଙ୍କ ଶାପ ପ୍ରତ୍ୟାହାର ପାଇଁ ପ୍ରଭୁ ଶଙ୍କର ମଧ୍ୟ ପାର୍ବତୀଙ୍କୁ ଅନୁରୋଧ କରିଥିଲେ। ଫଳରେ ପାର୍ବତୀ ଅଭିଶାପକୁ ହ୍ରାସ କରିଥିଲେ। ମାଧୁରୀ ଯଦି ୧୨ବର୍ଷ ତପସ୍ୟା କରନ୍ତି ତାହେଲେ ପୁଣି ନିଜ ସ୍ବରୂପ ଫେରିପାରିବେ ବୋଲି ପାର୍ବତୀ କହିଥିଲେ। କୈଳାସ ପର୍ବତରେ ଥିବା ଏକ ଗଭୀର କୂପ ମଧ୍ୟରେ ବେଙ୍ଗରୂପୀ ମାଧୁରୀ କଠୋର ତପସ୍ୟାରେ ନିମଗ୍ନ ହୋଇଥିଲେ।
ସେତେବେଳେ ପୃଥିବୀରେ ମୟଦାନବ ନାମରେ ଜଣେ ଅସୁର ରାଜୁତି କରୁଥିଲେ। ତାଙ୍କର ପତ୍ନୀ ଥିଲେ ହେମା। ହେମା ଜଣେ ପର୍ବତନାରୀ ଥିଲେ। ମୟଦାନବ ଏବଂ ହେମାଙ୍କର ଦୁଇପୁତ୍ର ଥିଲେ। ସେମାନଙ୍କ ନାମ ଥିଲା- ମାୟାବୀ ଏବଂ ଦୁଳୁଭୀ। କିନ୍ତୁ ଉଭୟ ମୟ ଏବଂ ହେମାଙ୍କ ଗୋଟିଏ କନ୍ୟା ସନ୍ତାନ ଚାହୁଁଥିଲେ। କନ୍ୟା ସନ୍ତାନଟିଏ ପାଇବା ପାଇଁ ତପସ୍ୟା ରାସ୍ତା ବାଛିଥିଲେ। କୈଳାସ ପର୍ବତରେ ମୟ ଦମ୍ପତି ତପମଗ୍ନ ହୋଇଥିଲେ।
ଇତି ମଧ୍ୟରେ ୧୨ବର୍ଷ ସରିଆସୁଥିଲା। ମାଧୁରୀ ଅଭିଶାପ ମୁକ୍ତ ହୋଇ ସ୍ବଦେହ ପାଇଲେ। କିନ୍ତୁ ସେ ରହିଥିବା କୂପ ଏତେ ଗଭୀର ଥିଲା ଯେ, ତା ଭିତରୁ ବାହାରିବା ସମ୍ଭବ ନଥିଲା। ସେଥିପାଇଁ ସାହାଯ୍ୟ ଲାଗି ସେ ଚିତ୍କାର କଲେ। ମାଧୁରୀଙ୍କ ଚିତ୍କାର ନିକଟରେ ତପମଗ୍ନ ଥିବା ମୟଦମ୍ପତିଙ୍କ କାନରେ ପଡ଼ିଥିଲା। ସେମାନେ ତପସ୍ୟାରୁ ଉଠି କୂଅପାଖକୁ ଆସି ମାଧୁରୀଙ୍କୁ କୂପ ମଧ୍ୟରୁ ଉଦ୍ଧାର କରିଥିଲେ। ମୟଦମ୍ପତି ଭାବିଥିଲେ ମାଧୁରୀ ହେଉଛନ୍ତି ତାଙ୍କ ତପସ୍ୟାର ଫଳ। ସେଥିପାଇଁ ସାହାଯ୍ୟ ମାଧୁରୀଙ୍କୁ ସେମାନେ କନ୍ୟା ହିସାବରେ ସେମାନେ କରିବାସହ ମନ୍ଦୋଦରୀ ବୋଲି ନାମକରଣ କରିଥିଲେ।
ମୟଦାନବଙ୍କ କନ୍ୟା ମନ୍ଦୋଦରୀଙ୍କ ରୂପଲାବଣ୍ୟ ସମ୍ପର୍କରେ ସବୁଠି ଚର୍ଚ୍ଚା ହେବାକୁ ଲାଗିଲା। ଏକଦା ମୟଦାନବଙ୍କ ପୁରୀକୁ ଲଙ୍କାପତି ରାବଣ ବୁଲିବାକୁ ଯାଇଥିବାବେଳେ ମନ୍ଦୋଦରୀଙ୍କୁ ଦେଖି ତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ ଏବଂ ମନ୍ଦୋଦରୀଙ୍କ ସହ ବିବାହ କରିବାକୁ ଇଛ୍ଛା ପ୍ରକାଶ କରିଥିଲେ। ମୟାସୁର କିନ୍ତୁ ମନ୍ଦୋଦରୀଙ୍କୁ ରାବଣଙ୍କ ସହ ବିବାହ ଦେବାକୁ ଚାହୁଁନଥିଲେ। ରାବଣ ଶିବଙ୍କ ଭକ୍ତ ଏବଂ ମହାଜ୍ଞାନୀ ହୋଇଥିବାରୁ ରାବଣଙ୍କୁ ବିବାହ କରିବା କ୍ଷେତ୍ରରେ ମନ୍ଦୋଦରୀଙ୍କ କିନ୍ତୁ କୈାଣସି ଆପତ୍ତି ନଥିଲା। ତେବେ ପିତାଙ୍କ କଥାରେ ସେ ନୀରବ ରହିଥିଲେ।
ମନ୍ଦୋଦରୀଙ୍କୁ ବିବାହ ପାଇଁ ରାବଣ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ଫଳରେ ତ୍ରିପୁର ବିଜୟୀ ରାବଣ କ୍ଷୁବ୍ଧ ହୋଇଥିଲେ। ମନ୍ଦୋଦରୀଙ୍କୁ ସେ ଜୋର ଜବରଦସ୍ତ ଉଠାଇ ନେଇ ବାହା ହୋଇଥିଲେ। ମନ୍ଦୋଦରୀ ହୋଇଥିଲେ ଲଙ୍କାର ପାଟରାଣୀ।
ମନ୍ଦୋଦରୀ ଜଣେ ପବିତ୍ର ଏବଂ ଧର୍ମଭୀରୁ ନାରୀ ଥିଲେ। ରାବଣଙ୍କୁ ସର୍ବଦା ସତପଥରେ ପରିଚାଳିତ କରିବାକୁ ଉଦ୍ୟମ କରୁଥିଲେ। ସୀତାଙ୍କୁ ଚୋରି କରି ଆଣିବାପରେ ରାବଣଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ। ସୀତାଙ୍କୁ ନେଇ ଶ୍ରୀରାମଚନ୍ଦ୍ରଙ୍କ ପାଖରେ ଛାଡ଼ି ଆସିବାକୁ ଅନୁରୋଧ କରିଥିଲେ। ‘ସୀତା ହରଣ ରାବଣ ମରଣ’ ବୋଲି ରହିଥିବା ଅଭିଶାପ ସମ୍ପର୍କରେ ମନ୍ଦୋଦରୀ ଜାଣିଥିଲେ। ସେଥିପାଇଁ ସେ ବାରମ୍ବାର ରାବଣଙ୍କୁ ଏ ସମ୍ପର୍କରେ ସଚେତନ କରାଇଥିଲେ। କିନ୍ତୁ ରାବଣ ତାଙ୍କ କଥା ଜମା ଶୁଣିନଥିଲେ। ଫଳରେ ଆରମ୍ଭ ହୋଇଥିଲା ରାମ-ରାବଣ ଯୁଦ୍ଧ।
ମନ୍ଦୋଦରୀଙ୍କ କଥା ରାବଣ ଶୁଣିନଥିଲେ ମଧ୍ୟ ମନ୍ଦୋଦରୀ କେବେ ଜଣେ ନାରୀ ତଥା ପାଟରାଣୀର କର୍ତ୍ତବ୍ୟରୁ ବିଚ୍ୟୁତ ହୋଇନଥିଲେ। ସ୍ବାମୀଙ୍କ ଉପରେ ସମସ୍ତ ସ୍ନେହ ଓ ପ୍ରେମ ଅଜାଡ଼ି ଦେବା ସହ ତାଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଆସୁଥିଲେ। ଯୁଦ୍ଧରୁ ବିଜୟୀ ହୋଇ ଫେରିବା ପାଇଁ ଶୁଭ ମନାସି ସ୍ବାମୀଙ୍କ କପାଳରେ ତିଳକ ଲଗାଇ ତାଙ୍କୁ ଯୁଦ୍ଧକ୍ଷେତ୍ରକୁ ପଠାଇଥିଲେ।
ରାବଣ ଏବଂ ମନ୍ଦୋଦରୀଙ୍କ ତିନୋଟି ପୁତ୍ର ସନ୍ତାନ ଥିଲେ। ସେମାନେ ହେଲେ ମେଘନାଦ,ଅତିକାୟ ଏବଂ ଅକ୍ଷୟ କୁମାର। ଏ ସମସ୍ତଙ୍କ ମଧ୍ୟରେ ମେଘନାଦ ଥିଲେ ଅତ୍ୟନ୍ତ ବୀର ଯୋଦ୍ଧା। ଏମାନେ ମଧ୍ୟ ଏହି ଯୁଦ୍ଧରେ ପ୍ରାଣ ହରାଇଥିଲେ। ରାବଣଙ୍କୁ ରାମଚନ୍ଦ୍ର ବଧ କରିବା ପରେ ମନ୍ଦୋଦରୀ ରଣକ୍ଷେତ୍ରରେ ପହଞ୍ଚିଥିଲେ। ଶ୍ରୀରାମଚନ୍ଦ୍ରଙ୍କୁ ଦେଖିବାପରେ ସେ ବୁଝିସାରିଥିଲେ ଯେ,ଶ୍ରୀରାମଚନ୍ଦ୍ର ହେଉଛନ୍ତି ନର ଦେହରେ ସ୍ବୟଂ ନାରାୟଣ। ବିଷ୍ଣୁଙ୍କ ଅବତାର।
ରାବଣଙ୍କୁ ବଧ କରିବା ପରେ ରାବଣଙ୍କ ଭାଇ ବିଭୀଷଣଙ୍କୁ ଶ୍ରୀରାମଚନ୍ଦ୍ର ସ୍ବର୍ଣ୍ଣାଳଙ୍କାର ରାଜ ପଦରେ ଅଭିଷିକ୍ତ କରିଥିଲେ। ବିଭୀଷଣଙ୍କ ସ୍ବାମୀ ହିସାବରେ ବରଣ କରିବା ପାଇଁ ରାବଣଙ୍କ ବିଧବା ପତ୍ନୀ ମନ୍ଦୋଦରୀଙ୍କୁ ପରାମର୍ଶ ଦେଇଥିଲେ। ରାମଚନ୍ଦ୍ରଙ୍କ ଏହି ପରାମର୍ଶ ଶୁଣିବାପରେ ନିଜକୁ ଗୋଟିଏ କୋଠରୀ ମଧ୍ୟରେ ଦୀର୍ଘ ଦିନ ଧରି ବନ୍ଦ କରି ରଖିଥିଲେ।
ବିଭୀଷଣଙ୍କ ଅଭିଷେକ ପରେ ସୀତାଙ୍କୁ ନେଇ ପ୍ରଭୁ ରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରୁଥିବାବେଳେ ମନ୍ଦୋଦରୀ ବନ୍ଦ କୋଠରୀ ମଧ୍ୟରୁ ପଦାକୁ ଆସି ବିଭୀଷଣଙ୍କୁ ବିବାହ କରିବାକୁ ସମ୍ମତି ପ୍ରଦାନ କରିଥିଲେ।
ବିଭିନ୍ନ ପୁରାଣରେ ଭିନ୍ନ ଭିନ୍ନ ପ୍ରସଙ୍ଗ ରହିଛି। ରାବଣଙ୍କ ମୃତ୍ୟୁ ପାଇଁ ବିଭୀଷଣଙ୍କ ବିଶ୍ବାସଘାତକତା ଦାୟୀ ବୋଲି କିଛି ସ୍ଥାନରେ କୁହାଯାଇଥିବାବେଳେ ଅନ୍ୟ କେତେକ ସ୍ଥାନରେ ସ୍ବୟଂ ମନ୍ଦୋଦରୀଙ୍କୁ ଦାୟୀ କରାଯାଇଛି।