ବୈଶ୍ୱିକ ରାଜନୀତିରେ ଜି-7 ଭୂମିକା କ'ଣ, ଭାରତ ପାଇଁ କେତେ ଗୁରୁତ୍ୱ ରଖୁଛି ଏହି ମଞ୍ଚ ?

Published By : Prameya-News7 Bureau | June 13, 2024 IST

ନୂଆଦିଲ୍ଲୀ: ଜି-7 ଦୁନିଆର ସାତ ସବୁଠାରୁ ଶକ୍ତିଶାଳୀ ଏବଂ ଉଦ୍ୟୋଗ ଦୃଷ୍ଟିରୁ ସବୁଠୁ ସମୃଦ୍ଧ ଦେଶଙ୍କ ସଂଗଠନ । ଏହି ସଂଗଠନ ଅନେକ ଦୃଷ୍ଟିରୁ ଦୁନିଆକୁ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ରୂପେ ପ୍ରଭାବିତ କରିଥାଏ । ନାଟୋ, ଇୟୁ ବା ୟୁଏନ ପରି ଜି-7 ଏକ ଅଫିସିଆଲ୍ ସଂଗଠନ ନୁହେଁ, କିନ୍ତୁ ଏହା ଅନେକ ବୈଶ୍ୱିକ ସମସ୍ୟାର ସମାଧାନ କରିବାରେ ବଡ଼ ଭୂମିକା ଗ୍ରହଣ କରିଛି । ଆମେ ଜି-7କୁ ନେଇ ଚର୍ଚ୍ଚା ଏଥିପାଇଁ କରୁଛୁ କାରଣ ଜୁନ୍ ୧୩ରୁ ଇଟାଲୀର ଅପୁଲିଆରେ ଜି-7ର ବାର୍ଷିକ ବୈଠକ ଆରମ୍ଭ ହେବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ୫୦ତମ ଜି-7 ବୈଠକରେ ଭାଗ ନେବେ । ଭାରତ ଜି-7ର ସଦସ୍ୟ ନାହିଁ, କିନ୍ତୁ ଆଉଟ୍‌ରିଚ୍‌ ଦେଶ ଭାବେ ଏହି ବୈଠକରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପାଇଛି । ତେବେ ଜି-7ର ବୈଶ୍ୱିକ ରାଜନୀତିରେ ଭୂମିକା ଏବଂ ଏହା ଭାରତ ପାଇଁ କାହିଁକି ଗୁରୁତ୍ୱ ତାହା ଜାଣିବା ।

ବୈଶ୍ୱିକ ରାଜନୀତିରେ ଜି-7ର ଗୁରୁତ୍ୱ ଏତେ ଅଧିକ କାହିଁକି ଏଥିରୁ ବୁଝାଯାଇ ପାରିବ ଯେ ଏହା ଏକ ଗ୍ଲୋବାଲ ପଲିସି ଫୋରମ୍ । ଏଥିରେ ସାମିଲ ସାତ ଦେଶ ମିଶି ପୂରା ଦୁନିଆକୁ ପ୍ରଭାବିତ କରିବା ପ୍ରସଙ୍ଗ ଉପରେ ଚର୍ଚ୍ଚା କରନ୍ତି । ଅର୍ଥବ୍ୟବସ୍ଥା ଦୃଷ୍ଟିରୁ ଦୁନିଆର ୯ ସବୁଠୁ ବଡ଼ ଦେଶ ମଧ୍ୟରୁ ସାତ ଜି-7ର ସଦସ୍ୟ । ଏହି ଦେଶଗୁଡ଼ିକର ଅର୍ଥନୀତି ୪୫ ଟ୍ରିଲିୟନ ଡଲାର । ଦୁନିଆର ଜିଡିପିରେ ଏହି ସାତ ଦେଶର ଭାଗ ୪୩ ପ୍ରତିଶତ ରହିଛି । ପ୍ରତି ବ୍ୟକ୍ତି ଆୟ ମାମଲାରେ ଦୁନିଆର ୧୫ ଶୀର୍ଷ ଦେଶ ମଧ୍ୟରେ ସାତ ଜି-7ର ସଦସ୍ୟ । ଜି-7 ଦେଶ ଦୁନିଆର ୧୦ ସବୁଠାରୁ ବଡ଼ ରପ୍ତାନକାରୀ ଦେଶଙ୍କ ମଧ୍ୟରେ ସାମିଲ । ଏହା ବ୍ୟତୀତ ଜି-7ର ସଦସ୍ୟ ରାଷ୍ଟ୍ର ଜାତିସଂଘକୁ ଦାନ ଦେବାରେ ଦୁନିଆର ୧୦ ଦେଶଙ୍କ ମଧ୍ୟ ସାମିଲ ଅଛନ୍ତି ।

ଜାପାନ, ଫ୍ରାନ୍ସ, ଇଟାଲୀ, ଜର୍ମାନୀ, ବ୍ରିଟେନ, ଆମେରିକା ଏବଂ କାନାଡା । ଏହି ଦେଶଙ୍କ ମୋଟ ଜନସଂଖ୍ୟା ଦୁନିଆର ୧୦ ପ୍ରତିଶତ । ମୋଟ ଜିଡିପିରେ ଦୁନିଆର ୪୦ ପ୍ରତିଶତ । ୟୁଏନ୍ ସିକ୍ୟୁରିଟି କାଉନସିଲର ସ୍ଥାୟୀ ସଦସ୍ୟଙ୍କ ମଧ୍ୟରେ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ । ଏହି ସବୁ ପରେ ବି ଏହି ସଂଗଠନ ପାଇଁ ଭାରତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦେଶ ଅଟେ । ଅପରପଟେ ଭାରତ ପାଇଁ ମଧ୍ୟ ଜି-7 ସଂଗଠନ ଗୁରୁତ୍ୱପୂର୍ଣ୍ଣ ବହନ କରେ । ଭାରତର ଗୁରୁତ୍ୱ ପଛରେ ଅନେକ କାରଣ ରହିଛି, ଯେଉଁଥିରେ ସର୍ବପ୍ରଥମ ହେଉଛି ଦୁନିଆରେ ଭାରତ ଶକ୍ତି ଏବଂ ଭୂମିକା ଲଗାତାର ବଢିବାରେ ଲାଗିଛି । ଭାରତ ଦୁନିଆର ପଞ୍ଚମ ବୃହତ ଅର୍ଥନୀତି । ଦୁନିଆର ସବୁଠୁ ଅଧିକ ଜନସଂଖ୍ୟା ଥିବା ଦେଶ । ବୈଶ୍ୱିକ ମଞ୍ଚରେ ଭାରତ ନିଜ ପକ୍ଷକୁ ଗତ କିଛି ବର୍ଷରେ ମଜଭୁତ ସହ ଉପସ୍ଥାପନ କରୁଛି । ଭାରତରେ ରାଜନୀତିକ ସ୍ଥିରତା କାରଣରୁ ଏହା ଜି-7 ସଦସ୍ୟ ଦେଶଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଜି-7 ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀ ପିଏମ୍ ଜର୍ଜିଆ ମେଲୋନୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏହା ବ୍ୟତୀତ ଅନେକ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ତାଙ୍କର ବର୍ତ୍ତା କାର୍ଯ୍ୟକ୍ରମ ରହିଛି । ଜି-7 ଆଉଟରିଚ୍ ଅଧିବେଶନରେ ପିଏମ୍ ମୋଦୀ ଅଲଜିରିଆ, ଦକ୍ଷିଣ ଆଫ୍ରିକା ପରି ଦେଶଙ୍କ ସହ ଚର୍ଚ୍ଚା କରିବେ । ଏଥିରେ ରକ୍ଷା, ଉର୍ଜା ଏବଂ ଭବିଷ୍ୟତରେ ହେବାକୁ ଥିବା ସହଯୋଗ ଉପରେ ଚର୍ଚ୍ଚା କରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.