କେମିତି ଥିଲା ନ୍ୟୁଜିଲାଣ୍ଡ ବନାମ ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ୍ର ଶେଷ ଓଭରର ରୋମାଞ୍ଚ, ଏମିତି ପଲଟିଲା ବାଜି
13/03/2023 at 5:00 PM

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ଖ୍ରୀଷ୍ଟଚର୍ଚ୍ଚରେ ଖେଳା ଯାଇଛି। ଏହି ମ୍ୟାଚ୍ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୧-୨୩ ଅନ୍ତର୍ଗତରେ ଖେଳା ଯାଇଛି। ମୁକାବିଲା ବେଶ ସଂଘର୍ଷପୂର୍ଣ୍ଣ ଏବଂ ରୋମାଞ୍ଚକର ଭାବେ ସମାପ୍ତ ହୋଇଛି। ଶେଷ ଓଭରରେ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ଦରକାର ଥିଲା ୮ ରନ ଏବଂ ଦଳ ଏହା କରି ଦେଖାଇଛି। ନ୍ୟୁଜିଲାଣ୍ଡ ଉକ୍ତ ମ୍ୟାଚ୍କୁ ୨ ଓ୍ଵିକେଟ୍ରେ ଜିତି ନେଇଛି। ଚାଲନ୍ତୁ ଜାଣିବା କେମିତି ଥିଲା ଶେଷ ଓଭରର ରୋମାଞ୍ଚ।
ନ୍ୟୁଜିଲାଣ୍ଡର ଏହି ସ୍ମରଣୀୟ ବିଜୟ ସହ ଭାରତ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ରେ ପ୍ରବେଶ କରିଛି। ମ୍ୟାଚ୍ ଡ୍ର ରହିଥିଲେ ବି ଭାରତ ଫାଇନାଲ୍ରେ ପହଞ୍ଚିଥାନ୍ତା। ଏମିତି ଲାଗୁଥିଲା ଏହି ମ୍ୟାଚ୍ ଡ୍ର ଅଭିମୁଖେ ଆଗକୁ ବଢୁଛି, ମାତ୍ର ପୂର୍ବତନ ଅଧିନାୟକ କେନ ଓ୍ଵିଲିୟମସନ ଏମିତି ହେବାକୁ ଦେଇନଥିଲେ। ସେ ମ୍ୟାଚ୍ର ଶେଷ ବଲ୍ ପର୍ଯ୍ୟନ୍ତ କ୍ରିଜ୍ରେ ଜମି ରହିଥିଲେ ଏବଂ ଦଳକୁ ଜିତାଇ ହିଁ ପାଭିଲିୟନ ଫେରିଛନ୍ତି।
ଶେଷ ଓଭରରେ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ୮ ରନ ଦରକାର ଥିଲା ଏବଂ ହାତରେ ଥିଲା ୩ ଓ୍ଵିକେଟ୍। କେନ ଓ୍ଵିଲିୟମସନ ଶତକ ଅର୍ଜନ କରି କ୍ରିଜରେ ଥିଲେ। ଶେଷ ଓଭର ବୋଲିଂ କରିଥିଲେ ଶ୍ରୀଲଙ୍କାର ଅସିଥା ଫର୍ଣ୍ଣାଡୋ। ପ୍ରଥମ ବଲ୍ରେ ଓ୍ଵିଲିୟମସନ ଏକ ରନ ନେଇଥିଲେ। ଯେମିତି ସେ ଦ୍ଵିତୀୟ ରନ ଦୌଡିବାକୁ ଉଦ୍ୟମ କରନ୍ତେ ଖସି ପଡିଥିଲେ। ଏମିତି ଲାଗୁଥିଲା ମ୍ୟାଚ୍ ଡ୍ର ହୋଇଯିବ।
ତେବେ ପରବର୍ତ୍ତୀ ବଲ୍ରେ ମ୍ୟାଟ୍ ହେନରୀ ଏକ ରନ ନେଇଥିଲେ। ତୃତୀୟ ବଲ୍ରେ କେନ ଓ୍ଵିଲିୟମସନ ସଟ୍ ଖେଳି ଦୁଇ ରନ ଦୌଡିଥିଲେ, ମାତ୍ର ମ୍ୟାଟ୍ ହେନରୀ ନନ ଷ୍ଟ୍ରାଇକ୍ ଏଣ୍ଡରେ ରନ ଆଉଟ୍ ହୋଇଥିଲେ। ଏହିପରି ଶେଷ ୩ ବଲ୍ରୁ ନ୍ୟୁଜିଲାଣ୍ଡକୁ ଦରକାର ଥିଲା ୫ ରନ। ଚତୁର୍ଥ ବଲ୍ରେ ଓ୍ଵିଲିୟମସନ ପଏଣ୍ଟରେ ଚୌକା ମାରିଥିଲେ ଏବଂ ସ୍କୋର ବରାବର ରହିଥିଲା।
ଅସିଥା ଫର୍ଣ୍ଣାଡୋ ଓ୍ଵିଲିୟମସନଙ୍କୁ ପଞ୍ଚମ ବଲ୍ ବାଉନ୍ସ ମାରିଥିଲେ, ଯାହା ବହୁତ ଉଚ୍ଚରେ ଥିଲା। ସମସ୍ତଙ୍କୁ ଲାଗିଲା ଏହା ଓ୍ଵାଇଡ୍ ଦିଆଯିବ। ଶେଷ ବଲ୍ରେ ଜିତିବା ପାଇଁ ନ୍ୟୁଜିଲାଣ୍ଡକୁ ଦରକାର ଥିଲା ୧ ରନ। ମ୍ୟାଚ୍ର ଶେଷ ବଲ୍କୁ ଫର୍ଣ୍ଣାଡୋ ପୁଣି ଥରେ ବାଉନ୍ସ ରଖିଥିଲେ। ବଲ୍କୁ ଓ୍ଵିଲିୟମସନ ଖେଳି ପାରିନଥିଲେ ହେଁ ରନ ପାଇଁ ଦୌଡିଥିଲେ। ଶ୍ରୀଲଙ୍କା ରନ ଆଉଟ୍ କରିବାକୁ ଚେଷ୍ଟା କରିଥିଲେ ହେଁ ସେତେବେଳକୁ ଓ୍ଵିଲିୟମସନ କ୍ରିଜ୍ରେ ପହଞ୍ଚି ସାରିଥିଲେ। ଏହି ପରି ମ୍ୟାଚ୍କୁ କିଓ୍ଵି ଦଳ ୨ ଓ୍ଵିକେଟ୍ରେ ଜିତି ନେଇଛି।
ନ୍ୟୁଜିଲାଣ୍ଡ ବନାମ ଶ୍ରୀଲଙ୍କା ଟେଷ୍ଟର ଶେଷ ଓଭର
ପ୍ରଥମ ବଲ୍- ୧ ରନ
ଦ୍ଵିତୀୟ ବଲ୍- ୧ ରନ
ତୃତୀୟ ବଲ୍- ୧ ରନ ଏବଂ ରନ ଆଉଟ୍
ଚତୁର୍ଥ ବଲ୍- ଚୌକା
ପଞ୍ଚମ ବଲ୍- ବାଉନ୍ସର(ଡଟ୍)
ଷଷ୍ଠ ବଲ୍- ବାଇ ଭାବେ ଏକ ରନ