ନିଆଁ ଲାଗି ପୋଡ଼ିଗଲା ୮ ବଖରା; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

Published By : Prameya-News7 Bureau | May 09, 2022 IST

ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକ୍‌ ବିଷ୍ଣୁପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ଅଗ୍ନିକାଣ୍ଡ। ନିଆଁ ଲାଗି ୮ ବଖରା ଘର ଭସ୍ମୀଭୂତ ହୋଇଥିବା ସୂଚନା ମିଳିଛି। ଜଗନ୍ନାଥପୁର ଗ୍ରାମର କାହ୍ନୁଚରଣ ପଣ୍ଡାଙ୍କ ବାସଗୃହରେ ନିଆଁ ଲାଗିଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି।

ଅଗ୍ନିକାଣ୍ଡ ଯୋଗୁ ରୋଷେଇ ଘର , ଗୁହାଳ ସମେତ ୮ ବଖରା ଘର ପୋଡ଼ି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।  ନିଆଁର ତୀବ୍ରତା ଏତେ ଥିଲା ଯେ ପାଖକୁ ଯିବା ପାଇଁ କେହି ଗ୍ରାମବାସୀ ସାହସ ଜୁଟାଇ ପାରିନଥିଲେ। ଖବର ପାଇ ଭଣ୍ଡାରିପୋଖରୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ମିଶି ନିଆଁକୁ ଆୟତ୍ତ କରିଥିଲେ।

ଅଗ୍ନିକାଣ୍ଡରେ ଘରର ଆସବାବପତ୍ର ସହିତ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଖବର ପାଇ ସ୍ଥାନୀୟ ସରପଞ୍ଚ ଅମୂଲ୍ୟ ନାୟକ ଅଗ୍ନି ବିପନ୍ନଙ୍କ ନିକଟରେ ପହଞ୍ଚି ତତ୍କାଳ ଅନୁକମ୍ପାମୂଳକ ସାହାଯ୍ୟ ଯୋଗାଇଦେଇଛନ୍ତି। ଏହାସହିତ ଯଥାଶୀଘ୍ର କ୍ଷୟକ୍ଷତି ଆକଳନ କରି ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରଶାସନକୁ ସରପଞ୍ଚ ଅନୁରୋଧ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.