କାନପୁର ୨୩।୧୦: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ କାନପୁର ଇନ୍ଦିରାନଗର ଦୟାନନ୍ଦ ବିହାରସ୍ଥିତ ଏକମାତ୍ର ସମ୍ପତ୍ତି ଘରଟିକୁ ବିକି ଦେଇଛନ୍ତି। ଏହି ଘରଟିକୁ ଡାକ୍ତର ଦମ୍ପତ୍ତି ଶ୍ରୀତି ବାଲା ଓ ଡା.ଶରଦ କଟିୟାର କିଣିଛନ୍ତି। ପୂର୍ବରୁ କୋବିନ୍ଦ ଆନନ୍ଦ କୁମାରଙ୍କ ନାମରେ ପାୱାର ଅଫ ଆଟର୍ଣ୍ଣି କରିଦେଇଥିଲେ। ଏହି ଆଟର୍ଣ୍ଣି ବଳରେ ଶୁକ୍ରବାର କାନପୁରରେ ଘରର ରେଜେଷ୍ଟ୍ରି ହୋଇଯାଇଛି।
ଇନ୍ଦିରା ନଗର ଦୟାନନ୍ଦ ବିହାର ଏମ୍ ବ୍ଲକରେ କୋବିନ୍ଦଙ୍କର ଏହି ଘରଟି ଥିଲା। ରାଷ୍ଟ୍ରପତି ଥିବା କାଳରେ ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦ ଅନେକବାର ଏହି ଘରକୁ ବୁଲି ଆସିଛନ୍ତି। ରାଜ୍ୟସଭା ସଦସ୍ୟ ରାମନାଥ କୋବିନ୍ଦ ରାଷ୍ଟ୍ରପତି ହେବା ପରେ ତାଙ୍କ ଘରଟିକୁ ସୁରକ୍ଷା ଘେରରେ ରଖା ଯାଇଥିଲା। ପ୍ରୋଟକଲ ଅନୁସାରେ ଏକ କମ୍ପାନୀ ପୋଲିସ ଫୋର୍ସ ଘରର ଜଗା ରଖା କରୁଥିଲେ। ରାଷ୍ଟ୍ରପତିଙ୍କ ଘର ଲାଗି ଅଞ୍ଚଳଟି ଭିଆଇପି ଅଞ୍ଚଳରେ ଗଣା ଯାଉଥିଲା।
{"id":699474,"width":843,"height":562,"sizeSlug":"full","linkDestination":"none"}ଦୟାନନ୍ଦ ବିହାରକୁ ନଗରନିଗମ, ବିଦ୍ୟୁତ ଓ ବନ ବିଭାଗ ଆଦି ଗୁରୁତ୍ୱ ଦେଉଥିବା ବେଳେ ଅଞ୍ଚଳଟି ସବୁ ସୁବିଧାରେ ପରିପୂର୍ଣ୍ଣ। ରାଷ୍ଟ୍ରପତି ଭାବେ କୋବିନ୍ଦଙ୍କ କାର୍ଯ୍ୟକାଳ ପୂରଣ ହେବା ପରେ ପ୍ରୋଟକଲ ଓ ପରମ୍ପରା ଅନୁସାରେ ତାଙ୍କୁ ଦିଲ୍ଲୀରେ ଆବାସ ଆବଣ୍ଟିତ କରାଯାଇଛି। ଏଣୁ କୋବିନ୍ଦ ଓ ତାଙ୍କ ପରିବାର ଏବେ ଦିଲ୍ଲୀରେ ରହିବେ। ତେବେ ତାଙ୍କ ଘରଟିକୁ କିଣିଥିବା ଡାକ୍ତର ଶରଦ ଘର ଲାଗି ବେଶ୍ ଖୁସି ଅଛନ୍ତି। ରାଷ୍ଟ୍ରପତିଙ୍କ ଘରେ ତାଙ୍କ ପରିବାର ରହିବ ଏଥି ଲାଗି ସେ ବିଶେଷ ଖୁସି ଅଛନ୍ତି।
ଶରଦ ଓ ଶ୍ରୀତି ବାଲା ବିଲହୋରରେ ଏକ ଘରୋଇ ହସ୍ପିଟାଲ ଚଳାଉଛନ୍ତି ଓ ସେମାନେ କାହ୍ନା ଶ୍ୟାମରେ ରହୁଥିଲେ। ଏବେ ରାଷ୍ଟ୍ରପତିଙ୍କ ଘର କିଣିସାରିଥିବାରୁ ଶରଦ ଓ ଶ୍ରୀତିଙ୍କର ଏହା ନୂଆ ଠିକଣା ହେବ। ପୂର୍ବତନ ରାଷ୍ଟ୍ରପତି ଗାଁରେ ଥିବା ତାଙ୍କ ଜମିଜମା ପୂର୍ବରୁ ଦାନ କରିସାରିଛନ୍ତି। ରାଷ୍ଟ୍ରପତିଙ୍କ ଜମିରେ ସ୍କୁଲ ଓ ଗାଁର ସାମୂଦାୟିକ କାର୍ଯ୍ୟଲାଗି ଗ୍ରାମବାସୀ କଲ୍ୟାଣ ମଣ୍ଡପ ନିର୍ମାଣ କରିଛନ୍ତି।