ରାଜଧାନୀରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ସାଢେ ୧୧ ସୁଦ୍ଧା ୩୮ ଟପିଲା ପାରଦ
22/05/2023 at 2:07 PM

ଭୁବନେଶ୍ୱର ୨୨/୦୫: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ସକାଳୁ ସକାଳୁ ରହୁଛି ତାତିର ପ୍ରକୋପ । ପାରଦ ଉପର ମୁହାଁ । ଘରୁ ବାହାରିବା ହୋଇପଡୁଛି ମୁସ୍କିଲ୍ । ସକାଳେ ଯେନତେନ ପ୍ରକାର ଚଳିଯାଉଛି । ହେଲେ ୧୦ଟା ବାଜିଲେ ଆକାଶରୁ ବର୍ଷୁଛି ନିଆଁଝୁଲ୍ ।
ବାହାରକୁ ବାହାରିଲେ ଲାଗୁଛି ସତେ ଯେମିତି ସୂର୍ଯ୍ୟ କରୁଛନ୍ତି ଅଗ୍ନିବର୍ଷା । ଅସହ୍ୟ ଗରମ ସାଙ୍ଗକୁ ଲୋକଙ୍କୁ କଲବଲ କରୁଛି ଗୁଳୁଗୁଳି । ଏହାରି ଭିତରେ ସକାଳ ସାଢେ ୧୧ଟା ସୁଦ୍ଧା ରାଜଧାନୀର ପାରଦ ଟପିଛି ୩୮ ।
ସକାଳ ୧୧.୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୮.୬ ରହିଛି । ସେହିଭଳି ଝାରସୁଗୁଡାର ତାପମାତ୍ରା ରହିଛି ୩୮.୬ ଡ଼ିଗ୍ରୀ । ସମ୍ବଲପୁରର ତାପମାତ୍ରା ୩୮.୪ ଡ଼ିଗ୍ରୀ, ଚାନ୍ଦବାଲିର ପାରଦ ୩୮ ଡ଼ିଗ୍ରୀ, ହୀରାକୁଦ ୩୭.୬ ଡ଼ିଗ୍ରୀ, କେନ୍ଦୁଝରର ତାପମାତ୍ରା ୩୫.୮ ଡ଼ିଗ୍ରୀ, ବାଲେଶ୍ୱରର ପାରଦ ୩୪.୮ ଡ଼ିଗ୍ରୀ, ପୁରୀର ପାରଦ ୩୪.୬ ଡ଼ିଗ୍ରୀ, ପାରାଦୀପର ପାରଦ ୩୩.୪ ଡ଼ିଗ୍ରୀ, ଗୋପାଳପୁରର ତାପମାତ୍ରା ୩୨.୬ ଡ଼ିଗ୍ରୀ ରହିଛି ।