ହଷ୍ଟେଲ ଜେଲ ନୁହେଁ, ନୂଆ ଆଦେଶ ପାଳନ କରନ୍ତୁ ସବୁ ମେଡିକାଲ କଲେଜ; କଟକଣା ଉପରେ ହାଇକୋର୍ଟଙ୍କ ଟିପ୍ପଣୀ
22/12/2022 at 9:57 PM

ନୂଆଦିଲ୍ଲୀ: କେରଳ ହାଇକୋର୍ଟ ଗୁରୁବାର କହିଛନ୍ତି ଯେ ହଷ୍ଟେଲ ଜେଲ ନୁହେଁ ଏବଂ ରାଜ୍ୟର ସବୁ ମେଡିକାଲ କଲେଜକୁ ସରକାରଙ୍କ ନୂଆ ନିର୍ଦ୍ଦେଶ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ପରେ ଛାତ୍ରୀଙ୍କ ପାଇଁ କଟକଣା ଉଠିଯାଇଛି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଛାତ୍ର ଏବଂ ଛାତ୍ରୀଙ୍କୁ ସମାନ ସାମ୍ୱିଧାନିକ ଅଧିକାର ରହିଛି ଏବଂ ହଷ୍ଟେଲରେ ପୁଅଙ୍କ ପରି ଝିଅଙ୍କ ପାଇଁ ମଧ୍ୟ ସବୁ ନିୟମ ସମାନ ରହିବ । କୋଝିକୋଡି ମେଡିକାଲ ହସ୍ପିଟାଲର ଛାତ୍ରୀମାନେ ଗତ ମାସରେ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ରାତି ୯ଟା ପରେ ବାହାରକୁ ଯିବା କଟକଣା ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଛାତ୍ରୀମାନେ କହିଥିଲେ ଯେ ରାତି ୯.୩୦ ପରେ କର୍ଫ୍ୟୁ ଲଗାଯାଇଛି, ଅନ୍ୟପଟେ ପୁଅଙ୍କ ପାଇଁ କୌଣସି ପ୍ରତିବନ୍ଧକ ନାହିଁ ।
ଜଷ୍ଟିସ ଦେବନ ରାମଚନ୍ଦ୍ରନ କହିଥିଲେ, ଝିଅମାନଙ୍କ ସାମ୍ୱିଧାନିକ ଅଧିକାର ରହିଛି । ସେମାନଙ୍କ ସହ ଏହିପରି ଭେଦଭାବପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରାଯାଇ ପାରିବ ନାହିଁ । ହେଷ୍ଟଲ ଜେଲ ନୁହେଁ । ଏହାସହ ଡିସେମ୍ୱର ୬ରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୂଆ ନିର୍ଦ୍ଦେଶ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ କିଛି ନିୟମ କୋହଳ କରାଯାଇଛି । ନୂଆ ନିର୍ଦ୍ଦେଶକୁ ହାଇକୋର୍ଟ ମଧ୍ୟ ସ୍ୱାଗତ କରିଥିଲେ । ରାଜ୍ୟ ମହିଳା ଆୟୋଗ ମଧ୍ୟ କୋର୍ଟଙ୍କୁ କହିଥିଲେ ଯେ ନୂଆ ନିର୍ଦ୍ଦେଶରେ ଲିଙ୍ଗଗତା ସମାନତା ବଜାୟ ରହିବ ।
ଜଷ୍ଟିସ ଦେବନ ରାମଚନ୍ଦ୍ରନ କହିଥିଲେ ଯେ ପରିସରକୁ ସୁରକ୍ଷିତ ରଖିବା ସରକାରଙ୍କ ଦାୟିତ୍ୱ ଅଟେ ଏବଂ ମହିଳା ହଷ୍ଟେଲରେ କର୍ଫ୍ୟୁ ଲଗାଇବା କୌଣସି ଉଦ୍ଦେଶ୍ୟର ସମାଧାନ ନୁହେଁ ।