ମେଡିକାଲ କ୍ଲେମ ଲାଗି ହସ୍ପିଟାଲରେ ଭର୍ତ୍ତି ହେବା ଜରୁରି ନୁହେଁ: ଉପଭୋକ୍ତା ଫୋରମ
16/03/2023 at 4:45 PM

ଭଡୋଦରା ୧୬।୩: ଭଡୋଦରା ଉପଭୋକ୍ତା ଫୋରମ ମେଡିକାଲ ଇନସ୍ୟୋରାନ୍ସ କ୍ଲେମକୁ ନେଇ ଏକ ବଡ଼ ଆଦେଶ ଦେଇଛନ୍ତି। ଫୋରମ କହିଛନ୍ତି ଯେ ଜଣେ ବ୍ୟକ୍ତି ମେଡିକାଲରେ ଭର୍ତ୍ତି ହୁଅନ୍ତୁ କି ନ ହୁଅନ୍ତୁ ବା ୨୪ ଘଣ୍ଟାରୁ କମ୍ ସମୟ ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତୁ ସେ ବୀମା ଦାବି କରିପାରିବେ। ନୂଆ ବୈଷୟିକ ଜ୍ଞାନ କୌଶଳ ବିକଶିତ ହେବା ପରେ ଏବେ ଚିକିତ୍ସା ଖୁବ କମ ସମୟରେ ଓ କେବେ କେବେ ହସ୍ପିଟାଲକୁ ନ ଯାଇ ମଧ୍ୟ କରାଯାଇ ପାରୁଛି। ତେବେ ବୀମା କମ୍ପାନୀ ୨୪ ଘଣ୍ଟା ହସ୍ପିଟାଲରେ ଆଡମିଟ ହୋଇ ନଥିବା କହି ଦାବି ଅଗ୍ରାହ୍ୟ କରି ପାରିବେନି ବୋଲି ଫୋରମ କହିଛନ୍ତି।
ଭଡୋଦରା ଉପଭୋକ୍ତା ଫୋରମ ବୀମାଧାରୀଙ୍କୁ କ୍ଲେମ ବାବଦ ରାଶି ସହିତ ପରବର୍ତ୍ତି ଖର୍ଚ୍ଚ ଓ ମାନସିକ ପୀଡା ଲାଗି ମଧ୍ୟ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭଡୋଦରା ନିବାସୀ ରମେଶ ଚନ୍ଦ୍ର ଯୋଶୀଙ୍କ ପିଟିସନ ଉପରେ ଫୋରମ ଏହି ଆଦେଶ ଦେଇଛନ୍ତି। ଯୋଶୀ ୨୦୧୭ ମସିହାରେ ନ୍ୟାସନାଲ ଇନସ୍ୟୋରାନ୍ସ କମ୍ପାନୀ ଲିମିଟେଡ ବିରୋଧରେ ଅଭିଯୋଗ ରୁଜୁ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ବୀମା କମ୍ପାନୀ ୨୪ ଘଣ୍ଟା ହସ୍ପିଟାଲରେ ରହି ନଥିବାର ଆଧାରରେ ତାଙ୍କ ବୀମା ବାବଦ ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି।
ଯୋଶୀଙ୍କ ପତ୍ନୀଙ୍କୁ ୨୦୧୬ ମସିହାରେ ଡର୍ମେଟୋମାୟୋସାଇଟିସ୍ ହୋଇଥିଲା। ଏଥିପାଇଁ ତାଙ୍କୁ ଅହମ୍ମଦାବାଦର ଲାଇଫ କେୟାର ଇନିଷ୍ଟେଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ ଏଣ୍ଡ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଯୋଶୀଙ୍କ ପତ୍ନୀଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ମାତ୍ର ଦିନଟିଏ ରଖା ଯାଇଥିଲା। ପରଦିନ ହସ୍ପିଟାଲ ତାଙ୍କୁ ଡିଶ୍ଚାର୍ଜ କରିଦେଇଥିଲା। ଏହି ଚିକିତ୍ସା ବାବଦେ ତାଙ୍କର ୪୪ ହଜାର ୪୬୮ ଟଙ୍କା ଖର୍ଚ୍ଚ ହୋଇଥିଲା ଓ ଏଥି ପାଇଁ ସେ ସ୍ୱାସ୍ଥ୍ୟ ବୀମା କରିଥିବା କମ୍ପାନୀରେ କ୍ଲେମ କରିଥିଲେ।
ତେବେ ବୀମା କମ୍ପାନୀ ତାଙ୍କୁ ପଲିସିର କ୍ଲଜ ୩.୧୫ର ଦ୍ୱାହୀ ଦେହି ତାଙ୍କ ଦାବି ଅଗ୍ରାହ୍ୟ କରିଦେଇଥିଲା ଓ କହିଥିଲା ପଲିସିର କ୍ଲଜ ଅନୁସାରେ ବୀମିତ ବ୍ୟକ୍ତି ହସ୍ପିଟାଲରେ ୨୪ ଘଣ୍ଟା ରହିନଥିଲେ। ଏଥିରେ ଯୋଶୀ ବୀମା କମ୍ପାନୀ ବିରୋଧରେ ବଡୋଦରା ଉପଭୋକ୍ତା ଫୋରମରେ ମୋକଦ୍ଦମା ରୁଜୁ କରିଥିଲେ। ଏଥିରେ ସେ ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀ ୨୪ ନଭେମ୍ବର ୨୦୧୬ ଅପରାହ୍ନ ୫ଟା ୩୮ ମିନିଟ୍ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଓ ୨୫ ନଭେମ୍ବର ୨୦୧୬ ସନ୍ଧ୍ୟା ସାଢେ ୭ଟାରେ ହସ୍ପିଟାଲରୁ ଡିଶ୍ଚାର୍ଜ ହୋଇଥିଲେ। ଯାହା ୨୪ ଘଣ୍ଟାରୁ ଅଧିକ ସମୟ ଥିଲା ବୋଲି ସେ କହିଥିଲେ।
ଫୋରମ ଯୋଶୀଙ୍କ ସପକ୍ଷରେ ରାୟ ଦେଇ ବର୍ତ୍ତମାନ ସମୟରେ ଚିକିତ୍ସା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳ ବିକଶିତ ହେବା ପରଠାରୁ ରୋଗୀର ୨୪ ଘଣ୍ଟାରୁ କମ୍ ସମୟରେ ଚିକିତ୍ସା କରାଯାଇ ପାରୁଛି। ପୂର୍ବରୁ ଲୋକେ ଚିକିତ୍ସା ଲାଗି ହସ୍ପିଟାଲରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଡମିଟ ରହୁଥିଲେ। ଏବେ ନୂଆ ବୈଷୟିକ ଜ୍ଞାନ କୌଶଳରେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି ନକରି ଅଥବା କମ ସମୟରେ ଚିକିତ୍ସା କରାଯାଇ ପାରୁଛି। ଏଣୁ ରୋଗୀଙ୍କୁ ହସ୍ପିଟାଲରେ ଆଡମିଟ ମଧ୍ୟ କରାଯାଉନି ବା କମ ସମୟ ପାଇଁ ଆଡମିଟ କରାଯାଉଛି। ତେବେ ବୀମା କମ୍ପାନୀ ରୋଗୀକୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ନଥିବା ବା କମ ସମୟ ଲାଗି ଭର୍ତ୍ତି କରାଯାଇଥିବା କହି ଦାବି ଅଗ୍ରାହ୍ୟ କରିପାରିବେନି ବୋଲି କହିଛନ୍ତି।
ବୀମା କମ୍ପାନୀ ଏହା ନିର୍ଦ୍ଧାରିତ କରିପାରିବେନି ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବା ଦରକାର କି ନା। ତେବେ ଏହି ନିଷ୍ପତ୍ତି ଡାକ୍ତର ନେଇ ପାରିବେ ରୋଗୀର ହସ୍ପିଟାଲରେ କି ଘରେ ଚିକିତ୍ସା କରାଯିବ ବୋଲି ଫୋରମ କହିଛନ୍ତି। ଏଣୁ ଫୋରମ ବୀମା କମ୍ପାନୀକୁ ଦାବି ଅଗ୍ରାହ୍ୟ କରିବା ତାରିଖରୁ ୯ ପ୍ରତିଶତ ସୁଧହାରରେ ଯୋଶୀଙ୍କୁ ତାଙ୍କର କ୍ଲେମ ୪୪,୪୬୮ ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଛଡା ତାଙ୍କୁ କୋର୍ଟକୁ ଆସିବାକୁ ପଡିଥିବାରୁ ଖର୍ଚ୍ଚ ବାବଦକୁ ୨ ହଜାର ଓ ମାନସିକ ପୀଡା ଲାଗି ଅଧିକ ୩ ହଜାର ଟଙ୍କା ପୈଠ କରିବାକୁ କହିଛନ୍ତି।