ବ୍ରହ୍ମପୁର୨୨/୨: ହସ୍ପିଟାଲରେ ଝୁଲିଲା ତାଲା। ପଦାରେ ପଡ଼ିଲା ଗୁରୁଦେବ ହସ୍ପିଟାଲର କଳାକାରନାମା। ଶୁଖିଲାଟାରେ ଗୁରୁଦେବ ହସ୍ପିଟାଲର ଡାକ୍ତର ନେଇଗଲେ ଗୋଟିଏ ନିରୀହ ଜୀବନ। ମହିଳାଙ୍କ ମୃତ୍ୟୁ ପରେ ହସ୍ପିଟାଲ ବିରୋଧରେ ଆସିଥିଲା ସଂଗୀନ ଅଭିଯୋଗ। ଫୋନରେ କଥାବାର୍ତ୍ତା ହୋଇ ହସ୍ପିଟାଲରେ ଚାଲିଛି ଅପରେସନ୍। କିଛି ସମୟ ପାଇଁ ଓଟିରେ ନିୟୋଜିତ ହେଉଛନ୍ତି ଭଡ଼ାଟିଆ ଡାକ୍ତର। ଏଭଳି ଅନେକ ସଂଗୀନ ଅଭିଯୋଗ ଆଣିଥିଲେ ମୃତାଙ୍କ ପରିବାର ଲୋକେ।
ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ଅଭିଯୋଗରେ ନର୍ସିଂହୋମ୍ ସିଲ୍ । ବ୍ରହ୍ମପୁର ନୂଆ ବସ୍ଷ୍ଟାଣ୍ଡ୍ ରୋଡ଼ ବ୍ରହ୍ମାନଗରରେ ଥିବା ଗୁରୁଦେବ ନର୍ସିଂହୋମ୍କୁ ସିଲ୍ କରିଛି ପ୍ରଶାସନ । କ୍ଲିନିକାଲ୍ ଏଷ୍ଟାବ୍ଲିସ୍ମେଣ୍ଟ ଆକ୍ଟ୍ ଅନୁସାରେ ଏହି ନର୍ସିଂହୋମ୍ ବିଭିନ୍ନ ସର୍ତ୍ତାବଳୀ ପୂରଣ କରୁନଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରଶାସନର ଏକ ଟିମ୍ ଏହାକୁ ସିଲ୍ କରିଛି। ଆବଶ୍ୟକ କାଗଜପତ୍ର ଦାଖଲ ପରେ ଜିଲ୍ଲାପାଳ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ବ୍ରହ୍ମପୁର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅଭିଯୋଗ ଅନୁଯାୟୀ ମାର୍କଣ୍ଡେଶ୍ବରନଗର ନିବାସୀ ଐଶ୍ବର୍ଯ୍ୟା ସିଂହଦେଓଙ୍କ ଆପେଣ୍ଡିସାଇଟିସ୍ ଅପରେସନ୍ ପାଇଁ ତାଙ୍କ ସ୍ବାମୀ ଶୁଭ୍ରଜିତ ସାମନ୍ତ ଗୁରୁଦେବ ନର୍ସିଂହୋମ୍ରେ ଭର୍ତ୍ତି କରିଥିଲେ ।
ଗତ ୧୭ ତାରିଖରେ ଐଶ୍ବର୍ଯ୍ୟାଙ୍କୁ ଆପେଣ୍ଡିସାଇଟିସ୍ ଅସ୍ତ୍ରୋପଚାର ପୂର୍ବରୁ ନିଶ୍ଚେତକ ଦିଆଯାଇଥିଲା। ତେବେ ଅପରେସନ୍ ପରେ ତାଙ୍କର ଆଉ ଚେତା ଫେରି ନ ଥିଲା ଏବଂ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଐଶ୍ବର୍ଯ୍ୟାଙ୍କ ମୃତ୍ୟୁ ଘଟିଥିବା ଦର୍ଶାଇ ତାଙ୍କ ସ୍ବାମୀ ଲାଞ୍ଜିପଲ୍ଲୀ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ।