ମୃତ ମହିଳାଙ୍କ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଦେହରେ ଗୁଡାଯାଇଥିବା ଲୁଗା ଖୋଲିଲେ ସମ୍ପର୍କୀୟ: ହେଲେ ଯାହା ଦେଖିଲେ ସେଥିରେ ଅବାକ୍ ହୋଇଗଲେ ସମସ୍ତେ

Published By : Prameya-News7 Bureau | April 10, 2019 IST

ବାଦଲପୁର ୧୦/୪: ଅଧିକାଂଶ ସମୟରେ ହସ୍ପିଟାଲରେ ଦାୟିତ୍ବହୀନତାର ଖବର ସାମନାକୁ ଆସିଥାଏ। ଏପରି ମାମଲାରେ ଦାୟୀ କାହାକୁ କୁହାଯିବ,ହସ୍ପିଟାଲରେ କାମ କରୁଥିବା କର୍ମଚାରୀଙ୍କୁ ନା ହସ୍ପିଟାଲର ଅଭାବନୀୟ ଅବସ୍ଥାକୁ। ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ହାଇଟେକ୍ ସିଟି ନୋଏଡ଼ାରେ।

ଏଠାରେ ରହୁଥିବା ୫୪ବର୍ଷ ବୟସ୍କା ମହିଳା ବାଳା ଦେବୀ କିଡନି ଏବଂ ଲିଭର ସମସ୍ୟାରେ ପୀଡ଼ିତ ଥିଲେ। ପରିବାର ଲୋକେ ତାଙ୍କୁ ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

କର୍ମଚାରୀମାନେ ମୃତ୍ୟୁର ସୂଚନା ତାଙ୍କ ଘରଲୋକଙ୍କୁ ଦେଇଥିଲେ ଏବଂ ଶବକୁ ସିଲ୍ କରି ମୋର୍ଚରୀରେ ରଖି ଦେଇଥିଲେ। ଏହାପରେ ମହିଳାଙ୍କ ଶବ ନେବାକୁ ତାଙ୍କ ଘରଲୋକେ ହସ୍ପିଟାଲକୁ ଆସିଥିଲେ ଏବଂ ମୋର୍ଚରୀରୁ ତାଙ୍କ ଶବ ଘରକୁ ନେଇଯାଇଥିଲେ। ମହିଳାଙ୍କ ଅନ୍ତିମ ସଂସ୍କାରର ପ୍ରସ୍ତୁତି ଚାଲିଥିବାବେଳେ ଶବକୁ ଗାଧୋଇବା ପାଇଁ ଯେତେବେଳେ ଲୁଗା ହଟାଯାଇଥିଲା ସେତେବେଳେ ସମସ୍ତଙ୍କ ପାଦ ତଳୁ ମାଟି ଖସିଗଲା।

ପ୍ରକୃତରେ ଏହି ଶବ ସେହି ମହିଳାଙ୍କ ନଥିଲା ବରଂ ଜଣେ ପୁରୁଷଙ୍କ ଥିଲା। ଏହାପରେ ପରିବାର ଲୋକଙ୍କ ସମେତ ଗାଁଲୋକେ ମଧ୍ୟ କ୍ଷୁବ୍ଧ ହୋଇଥିଲେ ଏବଂ ହସ୍ପିଟାଲକୁ ଯାଇଥିଲେ। ହସ୍ପିଟାଲ ପହଞ୍ଚି ସେଠାରେ ଲୋକେ ହଇଚଇ ସୃଷ୍ଟି କରିଥିଲେ। ତେବେ  ହସ୍ପିଟାଲ ପ୍ରଶାସନ ଲୋକଙ୍କୁ ବୁଝାଇ ସୁଝାଇ ଶାନ୍ତ କରିଥିଲା ଏବଂ ପୁଣିଥରେ ଯାଞ୍ଚ କରି ମହିଳାଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ଏହାପରେ ମହିଳାଙ୍କ ପରିବାର ଲୋକେ କହିଥିଲେ ହସ୍ପିଟାଲ କର୍ମଚାରୀମାନେ କ୍ଷମା ମାଗିବାରୁ ହସ୍ପିଟାଲ ବିରୋଧରେ ମାମଲା ରୁଜୁ କରାଯାଇନଥିଲା। ଏହି ମାମଲାରେ ଫୋର୍ଟିସ୍ ହସ୍ପିଟାଲର ମୁଖ୍ୟ କହିଥିଲେ ଯେ ସେଦିନ ୧୫ମିନିଟ ବ୍ୟବଧାନରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରୁ ଜଣେ ମହିଳା ଏବଂ ପୁରୁଷ ଥିଲେ। ପୁରୁଷଙ୍କ ଶବ ନେବାକୁ ଆସିଥିବା ପରିବାର ଲୋକଙ୍କୁ ଶବ ଚିହ୍ନଟ କରିବାକୁ କୁହାଯିବାରୁ ସେମାନେ ଚିହ୍ନଟ ନକରି ମହିଳାଙ୍କ ଶବକୁ ନେଇ ଯାଇଥିଲେ ଯେଉଁଥିପାଇଁ ଏହି ଭୁଲ୍ ହୋଇଥିଲା।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.