ଭୂକମ୍ପର ୨୧ ଦିନ ପରେ ସାମ୍ନାକୁ ଆସିଲା ଚମତ୍କାର ଘଟଣା, ଭଗ୍ନାବଶେଷ ତଳୁ ଉଦ୍ଧାର ହେଲା ଘୋଡା
2/03/2023 at 11:19 AM

ନୂଆଦିଲ୍ଲୀ ୦୨/୦୩: ପି ତୁର୍କୀ ଓ ସିରିୟାରେ ଫେବ୍ରୁଆରୀ ୬ରେ ଆସିଥିବା ଭୟାନକ ଭୂକମ୍ପ ଯୋଗୁ ବିନାଶ ଲୀଳା ଦେଖିବାକୁ ମିଳିଥିଲା । ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ଇତିମଧ୍ୟରେ ୫୦,୩୨୫ରେ ପହଞ୍ଚିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରତିଦିନ କେଉଁଠି ନା କେଉଁଠି ଭଗ୍ନାବଶେଷ ତଳୁ ମୃତଦେହ ବାହାର କରାଯାଉଛି । ଏବେ ଆଉ ଏକ ଚମତ୍କାର ଘଟଣା ସାମ୍ନାକୁ ଆସିଛି ।
A horse was rescued from the rubble alive in Turkey, 21 days after the earthquake.
— Anton Gerashchenko (@Gerashchenko_en) February 28, 2023
Miracle!
📹: Tansu YEĞEN pic.twitter.com/StsPaJuD9m
ଭୂକମ୍ପର ୨୧ ଦିନ ପରେ ତୁର୍କୀରେ ଭଗ୍ନାବଶେଷ ମଧ୍ୟରୁ ଏକ ଘୋଡ଼ା ଉଦ୍ଧାର କରାଯାଇଛି । ଘୋଡ଼ାଟି ସୁସ୍ଥ ଥିବା ଜଣାପଡ଼ିଛି । ତୁର୍କୀର ବ୍ୟବସାୟୀ ତନସୁ ୟେଗେନ୍ ଘୋଡ଼ାକୁ ଉଦ୍ଧାର କରାଯାଉଥିବା ବେଳର ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି- ଚମତ୍କାର! ଉଦ୍ଧାରକାରୀ ଟିମ୍ ୨୧ ଦିନ ପରେ ଧ୍ୱଂସାବଶେଷ ମଧ୍ୟରୁ ଏକ ଘୋଡ଼ାକୁ ଜୀବନ୍ତ ବାହାର କରିଛନ୍ତି ।
ଏହି ଭିଡିଓକୁ ୩୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଉଲ୍ଲେଖଯୋଗ୍ୟ, ଫେବ୍ରୁଆରୀ ୬ ଭୋର ୪ଟା ୧୭ରେ ତୁର୍କୀ ଓ ସିରିୟାରେ ୩ଟି ବଡ଼ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ପ୍ରଥମ ଭୂକମ୍ପର ତୀବ୍ରତା ୭.୮ ରହିଥିଲା ବେଳେ ଦ୍ୱିତୀୟର ୭.୬ ଓ ତୃତୀୟଟିର ୬.୦ ରହିଥିଲା । ଏହାର କେନ୍ଦ୍ରସ୍ଥଳ ତୁର୍କୀର ଗାଜିଆଣ୍ଟେପ ସହର ରହିଥିଲା । ସିରିୟା ସୀମା ଠାରୁ ଏହା ୯୦ କିଲୋମିଟର ଦୂରରେ ଅବସ୍ଥିତ । ତୁର୍କୀରେ ଏ ପର୍ଯ୍ୟନ୍ତ ଭଗ୍ନାବଶେଷ ମଧ୍ୟରୁ ୪୪,୩୭୪ ଶବ ବାହାର କରାଯାଇଥିବା ବେଳେ ସିରିୟାରେ ଏହି ସଂଖ୍ୟା ୫,୯୫୧ ରହିଛି ।