ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ

Published By : Prameya-News7 Bureau | November 30, 2022 IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ । ଜିଅନ୍ତା ଜଳିଗଲେ ପରିବାର ଲୋକ । ଦୋକାନରେ ନିଆଁ ଲାଗିବା ଯୋଗୁ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ଜଣ ଛୋଟ ପିଲା ଥିବା ଜଣାପଡ଼ିଛି। ୩ଜଣ ଗୁୁରୁତର ଭାବେ ଆହତ ହୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ପିଟିଆଇ ରିପୋର୍ଟ ଅନୁଯାୟୀ, ଫିରୋଜାବାଦର ଜସରାନ ଅଞ୍ଚଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ମଙ୍ଗଳବାର ରାତିରେ ଫର୍ଣ୍ଣଚର ଓ ଇଲୋକ୍ଟ୍ରୋନିସ୍ ଦୋକାନାରେ ନିଆଁ ଲାଗିବା ଯୋଗୁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପୋଲିସର ସୂଚନା ଅନୁଯାୟୀ, ସଟସର୍କିଟ୍ ଯୋଗୁ ନିଆଁ ଲାଗିଥିଲା। ପରେ କ୍ଷଣକ ମଧ୍ୟ ଅଣଆୟତ୍ତ ହୋଇଯାଇଥିଲା । ନିଆଁର ଆଁରେ ଆସି ଗୋଟିଏ ପରିବାରର ୬ଜଣ ଜିଅନ୍ତା ଜଳି ପାଉଁଶ ହୋଇଯାଇଛନ୍ତି । ମୃତକଙ୍କ ମଧ୍ୟରେ ୪ଜଣ ଛୋଟ ପିଲା ଥିବା ଜଣାପଡ଼ିଛି । ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ସହିତ ୩ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଆହତଙ୍କ ଅବସ୍ଥା ସକଂଟାପନ୍ନ ଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ନିଆଁକୁ ଆୟତ୍ତ କରିବାକୁ ୧୮ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲା । ୧୨ଟି ଥାନାର ପୋଲିସ କର୍ମଚାରୀ ଲୋକଙ୍କୁ ଉଦ୍ଧାର କରିଥିଲେ। ଫିରୋଜାବାଦ ଏସପି ଆଶିଷ୍ ତିଓ୍ବାରୀଙ୍କ କହିବା ଅନୁଯାୟୀ, ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଆଁ ଲାଗିଥିବା ସ୍ଥାନରେ ଫଶି ରହିଥିବା ଲୋକଙ୍କୁ ପୋଲିସ ଓ ଦମକଳ ବାହିନୀ ଉଦ୍ଧାର କରିବାରେ ଲାଗିପଡ଼ିଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ନିଆଁରେ ପୋଡ଼ି ହୋଇ ପ୍ରାଣହରାଇଥିବା ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଯୋଗୀ ଆଦିତ୍ୟନାଥ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.