ନ୍ୟୁୟର୍କ: ନିଜ ପାଇଁ ‘କର ବା ମର’ ମୁକାବିଲାରେ ବାଜି ମାରିଛି ପାକିସ୍ତାନ। ନ୍ୟୁୟର୍କର ନସାଉ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍ରେ ପାକିସ୍ତାନ କାନାଡ଼ାକୁ ୭ ଓ୍ଵିକେଟ୍ରେ ହରାଇ ସୁପର-୮ରେ ପହଞ୍ଚିବା ଆଶା ଉଜ୍ଜିବୀତ ରଖି ପାରିଛି। ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ପାକିସ୍ତାନ ଚଳିତ ବିଶ୍ଵକପରେ ପ୍ରଥମ ବିଜୟ ହାସଲ କରିଛି। କାନାଡ଼ା ଦ୍ଵାରା ଧାର୍ଯ୍ୟ ୧୦୭ ରନର ବିଜୟ ଲକ୍ଷ୍ୟକୁ ପାକିସ୍ତାନ ୧୭.୩ ଓଭରରେ ୩ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ମହମ୍ମଦ ରିଜଓ୍ଵାନ ୫୩ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ବେଳେ ଅଧିନାୟକ ବାବର ଆଜମ ୩୩ ରନର ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା କାନାଡ଼ା ୭ ଓ୍ଵିକେଟ୍ ହରାଇ ୧୦୬ ରନ କରିଥିଲା। ଦଳ ପକ୍ଷରୁ ଆରୋନ ଜନସନ ୫୨ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଅନ୍ୟପଟେ ବିଜୟ ସହ ପାକିସ୍ତାନ ଏ ଗ୍ରୁପର ଅଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଛି।
୧୦୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନ ପକ୍ଷରୁ ଓପନିଂ କରିଥିଲେ ମହମ୍ମଦ ରିଜଓ୍ଵାନ ଓ ସାଇମ ଆୟୂବ। ହେଲେ ସାଇମ ମାତ୍ର ୬ ରନ କରି ଆଉଟ୍ ହୋଇଥିଲେ। ଦଳ ପ୍ରଥମ ୬ ଓଭରରେ କେବଳ ୨୮ ରନ ଯୋଡ଼ିଥିଲା ପାକିସ୍ତାନ। ଏହାପରେ ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜଓ୍ଵାନ ଇନିଂସ ସମ୍ଭାଳିଥିଲେ। ଦୁହେଁ ମିଶି ଦଳର ସ୍କୋରକୁ ୧୦ ଓଭରରେ ୫୯ ରନରେ ପହଞ୍ଚାଇଥିଲେ। ବାବର ଓ ରିଜଓ୍ଵାନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୩ ରନ ଯୋଡ଼ି ଦଳର ବିଜୟ ପଥ ସୁଗମ କରିଥିଲେ। ବାବର କ୍ରିଜରେ ସେଟ୍ ଥିବା ସମୟରେ ୧୫ତମ ଓଭରରେ ଥାର୍ଡ ମ୍ୟାନ ଅଞ୍ଚଳରେ ସଟ୍ ଖେଳିବା ଚକ୍କରରେ ଓ୍ଵିକେଟ୍ କିପରଙ୍କୁ କ୍ୟାଚ୍ ଦେଇଥିଲେ। ସେ ୩୩ ରନ କରି ଆଉଟ୍ ହୋଇଥିଲେ। ପାକିସ୍ତାନକୁ ଶେଷ ୫ ଓଭରରେ ୨୨ ରନ ଦରକାର ଥିଲା। ରିଜଓ୍ଵାନ ଦମଦାର ବ୍ୟାଟିଂ କରି ୫୨ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଦଳ ଜିତିବାର ଦ୍ଵାର ଦେଶରେ ପହଞ୍ଚିବା ବେଳେ ଫଖର ଜମାନ ୪ ରନ କରି ଆଉଟ୍ ହୋଇଥିଲେ। କିନ୍ତୁ ରିଜଓ୍ଵାନ ୫୩ ରନରେ ଅପରାଜିତ ରହି ପାକିସ୍ତାନକୁ ୧୭.୩ ଓଭରରେ ୭ ଓ୍ଵିକେଟ୍ରେ ବିଜୟୀ କରାଇଛନ୍ତି।
କାନାଡ଼ା ଇନିଂସ
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କାନାଡ଼ା ପାଇଁ ପ୍ରଥମ ଦୁଇ ଓଭର ଭଲ ରହିଥିଲା। ମାତ୍ର ତୃତୀୟ ଓଭରରେ ନବନୀତ ଢାଲିଓ୍ଵାଲ ୪ ରନ କରି ଆଉଟ୍ ହୋଇଥିଲେ। ପାଓ୍ଵାର ପ୍ଲେ ଶେଷ ହେବା ବେଳକୁ ପରଗତ ସିଂ ୨ ରନ କରି ପାଭିଲିୟନ ଫେରିଥିଲେ। ପ୍ରଥମ ୬ ଓଭରରେ ଦଳ ୨ ଓ୍ଵିକେଟ୍ ହରାଇ ୩୦ ରନ କରିଥିଲା।ଏହାପରେ କାନାଡାଇ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଫଳରେ ଦଳ ୧୦ ଓଭରରେ ୪ ଓ୍ଵିକେଟ୍ ବିନିମୟରେ ୫୫ ରନ କରିଥିଲା। ଭଲ ଫର୍ମରେ ଥିବା ନିକୋଲାସ କିର୍ଟନ ଓ ଶ୍ରେୟସ ମୋଭା କ୍ରମଶଃ ୧ ଓ ୨ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଦମଦାର ବ୍ୟାଟିଂ କରୁଥିବା ଆରୋନ ଜନସନ ୩୯ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ।
ଦଳର ସ୍ଥିତି ସୁଧୁରିବା ବେଳକୁ ଜନସନ ୧୪ତମ ଓଭରରେ ନସୀମ ଶାହଙ୍କ ବଲ୍ରେ କ୍ଲିନ ବୋଲ୍ଡ ହୋଇଥିଲେ। ସେ ୪୪ ବଲ୍ରୁ ୪ ଚୌକା ଏବଂ ୪ ଛକା ସହ ୫୨ ରନ କରିଥିଲେ। ୧୫ତମ ଓଭରରେ କାନାଡ଼ା ୬ ଓ୍ଵିକେଟ୍ ହରାଇ ୭୭ ରନ କରିଥିଲେ। ଅଧିନାୟକ ସାଦ ବିନ ଜଫର ଇନିଂସକୁ ସମ୍ଭାଳିବାକୁ ଉଦ୍ୟମ କରିଥିଲେ। ମାତ୍ର ସେ ୨୧ ବଲରୁ ୧୦ ରନ କରି ଆଉଟ୍ ହୋଇଥିଲେ। ଶେଷ ଓଭର ଗୁଡ଼ିକରେ ଡିଲୋନ ହେଲିଗର ଓ କଲିନ ସନା ଦ୍ରୁତ ବ୍ୟାଟିଂ କରିବାକୁ ଉଦ୍ୟମ କରିଥିଲେ ହେଁ ଦଳକୁ ବଡ଼ ସ୍କୋରରେ ପହଞ୍ଚାଇ ପାରିନ ଥିଲେ। ଅନ୍ତିମ ଓଭରରେ କଲିନ ସନା ୧୩ ରନ ଓ ଡିଲୋନ ହେଲିଗର ୯ ରନ କରି କାନାଡାଇ ଇନିଂସକୁ ୧୦୬ ରନରେ ପହଞ୍ଚାଇଥିଲେ।
ବୋଲିଂରେ ମହମ୍ମଦ ଆମିର ୪ ଓଭରରେ ୧୩ ରନ ଦେଇ ୨ଟି ଏବଂ ହାରିସ ରାଉଫ ୪ ଓଭରରେ ୨୬ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।