ପର୍ଯ୍ୟଟକଙ୍କୁ ୫ ଲକ୍ଷ ବିମାନ ଟିକେଟ ବାଣ୍ଟିବେ ହଂକଂ ସରକାର, ଛବି ସୁଧାରିବାକୁ ଉଦ୍ୟମ…
2/02/2023 at 5:19 PM

ନୂଆଦିଲ୍ଲୀ ୦୨।୦୨ ; ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଏବେ ମିଳିବ ହଂକଂ ଯାତ୍ରାର ସୁବିଧା । ପର୍ଯ୍ୟଟକଙ୍କୁ ମାଗଣାରେ ମିଳିବ ୫ ଲକ୍ଷ ବିମାନ ଟିକେଟ । ଏନେଇ ଘୋଷଣା କରିଛନ୍ତି ହଂକଂ ସରକାର । ‘ହେଲୋ ହଂକଂ’ କ୍ୟାମ୍ପେନ୍ର ଶୁଭାରମ୍ଭ କରିବାକୁ ଯାଉଛନ୍ତି ହଂକଂର ନେତା ଜନ୍ ଲି । ଏନେଇ ବ୍ଲୁମବର୍ଗର ଏକ ସରକାରୀ ବିବୃତ୍ତିରୁ ଜଣାପଡିଛି । ତେବେ ଅଭିଯାନରେ ୨୦୦ରୁ ଅଧିକ ଇଭେଣ୍ଟ ଅନ୍ତର୍ଭୁକ୍ତ କରାଯିବ ।
ଦକ୍ଷିଣ ଚାଇନାର ମର୍ଣ୍ଣ ପୋଷ୍ଟ ଅନୁଯାୟୀ ମାଗଣା ବିମାନ ଟିକେଟ କ୍ୟାଥେ ପାସିଫିକ୍ ଏୟାରୱେ ଏବଂ ବିମାନ କମ୍ପାନୀ ଏଚ୍.କେ ଏକ୍ସପ୍ରେସ ଦ୍ୱାରା ବଣ୍ଟାଯିବ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଅଳ୍ପ କେତେକ ଟିକେଟ୍ ଟ୍ରାଭେଲ ଏଜେନ୍ସି ଦ୍ୱାରା ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ କରାଯିବ ହସ୍ତାନ୍ତର । ଏହି ଟିକେଟ୍ ଗୁଡିକ ଚୀନ୍, ୟୁରୋପ ଏବଂ ଆମେରିକା ସମେତ ଏସିଆର ଯାତ୍ରୀମାନଙ୍କୁ ଦିଆଯିବ । ଏଥିସହିତ ଟିକେଟର ଏକ ଅଳ୍ପ ଅଂଶ ବିଦେଶ ଯାତ୍ରା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ନିକଟକୁ ଯିବ ବୋଲି ରିପୋର୍ଟରେ କୁହାଯାଇଛି ।
ଏହି କ୍ୟାମ୍ପେନ୍ ଆରମ୍ଭ କରାଯିବାର ମୁଖ୍ୟ କାରଣ ହେଉଛି ହଂକଂର ହଜିଯାଇଥିବା ବିଶ୍ୱସ୍ତରୀୟ ପ୍ରତିଛବିକୁ ପୁନରାଦ୍ଧାର କରିବା । ଖବର ଅନୁଯାୟୀ, ୨୦୧୯ରେ ହୋଇଥିବା ହିଂସାତ୍ମକ ପ୍ରତିବାଦ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲା ହଂକଂ ସହର । ଏହାପରେ ପରେ ୨୦୨୦ରେ ଘାରିଥିଲା କରୋନା ସଙ୍କଟ । ଦୀର୍ଘ ଦୁଇ ବର୍ଷରେ କରୋନା କଟକଣା ହଟିବା ପରେ ସହରର ବିଶ୍ୱବ୍ୟାପୀ ପ୍ରତିଛବିକୁ ଫେରାଇବାକୁ ଅଣ୍ଟା ଭିଡିଛି ହଂକଂ ସହର ।
ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ସାମାନ୍ୟ କୋଭିଡ କଟକଣା ହଟିବା ପରେ ୨୦୨୨ରେ ହଂକଂକୁ ପ୍ରାୟ ୬ ଲକ୍ଷ ୫୦ ହଜାର ପର୍ଯ୍ୟଟକ ଯାଇଥିଲେ । ଯାହା ୨୦୨୧ ମସିହାରେ ୯୧ ହଜାରୁ ଅଧିକ ଥିଲା । କିନ୍ତୁ ମହାମାରୀ ପୂର୍ବରୁ ଏହି ସହରକୁ ପ୍ରାୟ ୫୬ ନିୟୁତ ଲୋକ ପରିଦର୍ଶନ ପାଇଁ ଆସୁଥିବାର ରେକର୍ଡ ରହିଥିଲା ।