ଅଟୋ ଚାଳକଙ୍କ ସଚ୍ଚୋଟତା, ମାଲିକଙ୍କୁ ଫେରାଇଲେ ଗହଣାରେ ଭର୍ତ୍ତି ବ୍ୟାଗ୍

Published By : Prameya-News7 Bureau | November 19, 2021 IST

ଇନ୍ଦୋର ୧୯ ।୧୧: ରାସ୍ତାରେ ପଡିଥିବା ନୋଟ୍ ପାଇଲେ ମନ କୁରୁଳି ଉଠେ । ଯଦି ଆପଣ ଟଙ୍କାରେ ଭର୍ତ୍ତି ବ୍ୟାଗ କିମ୍ବା ସୁନାଗହଣା ପଆନ୍ତି ତେବେ କଣ କରିବେ । ହେଲେ ଏହି କ୍ଷେତ୍ରରେ ଜଣେ ଅଟୋ ଚାଳକ ମହନୀୟତାର ପରିଚୟ ଦେଇଛନ୍ତି । ମିଳିଥିବା ସୁନାରେ ଭର୍ତ୍ତି ବ୍ୟାଗକୁ ତାରି ମାଲିକଙ୍କୁ ଫେରାଇଛନ୍ତ । ଏସହି ସହ ସମାଜକୁ ଏହି ବାର୍ତ୍ତା ଦେଇଛନ୍ତି ଯେ, ଏବେ ବି ମଣିଷଙ୍କଠାରେ ମାନବିକତା ଏବଂ ସଚ୍ଚୋଟତା ବଞ୍ଚି ରହିଛି । ଏହି ଘଟଣା ମଧ୍ୟ ପ୍ରଦେଶର ଇନ୍ଦୋର ସହରରେ ଘଟିଛି । ପୋଲିସ ଅଧିକାରୀ ଶୁକ୍ରବାର ଘଟଣା ବିଷୟରେ ସୂଚନା ଦେଇଛନ୍ତି ।

ପୋଲିସ କହିଛି, ମୁମ୍ବାଇରୁ ବସ୍ ଜରିଆରେ ରୋହିତ ବିଶ୍ୱ କର୍ମା ନାମକ ଜଣେ ବ୍ୟକ୍ତି ଇନ୍ଦୋର ଆସିଥିଲେ । ସେ ବସରୁ ଓହ୍ଲାଇବା ପରେ ସହରର ତିନ ଇମଲି ଛକରେ ମହମ୍ମଦ ସଲିମଙ୍କ ଅଟୋ ରିକ୍ସାରେ ବସିଥିଲେ । ହେଲେ ଓହ୍ଲାଇବା ସମୟରେ ସେ ନିଜର ବ୍ୟାଗ୍ ଅଟୋରୁ ନେବା ଭୁଲି ଯାଇଥିଲେ ।

କାଗଜପତ୍ର ଏବଂ ଔଷଧ ଥିଲା

ରୋହିତ କହିଛନ୍ତି, ଏହି ବ୍ୟାଗରେ ସୁନାଗହଣା ସହ ଜରୁରୀ କାଗଜପତ୍ର ଏବଂ ଔଷଧ ଥିଲା। ଏଥିପାଇଁ ସେ ଦିନ ସାରା ସହରର ଭିନ୍ନ ଭିନ୍ନ ସ୍ଥାନରେ ନିଜ ସାମଗ୍ରୀ ଖୋଜିଥିଲେ। ବହୁ ପ୍ରୟାସ ପରେ ବି ସେ ଅଟୋ ଚାଳକଙ୍କ ଠିକଣା ପାଇନଥିଲେ । ପୋଲିସ ଅଧିକାରୀ କହିଛନ୍ତି, ଅଟୋ ଚାଳକ ମହମ୍ମଦ ସଲିମ କାମ ସରିବା ପରେ ଗୁରୁବାର ରାତିରେ ଘରକୁ ଫେରିଥିଲେ । ଅଟୋ ଘରେ ରଖିବା ସମୟରେ ହିଁ ସେ ଏହି ବ୍ୟାଗ୍ ପାଇଥିଲେ । ତୁରନ୍ତ ସେ ଆଜାଦ ନଗର ଆଞ୍ଚଳିକ ଥାନା ଯାଇ ସୁନାଗହଣାରେ ଭର୍ତ୍ତି ବ୍ୟାଗ ଥାନାରେ ଜମା କରିଥିଲେ ।

ସଲିମ କହିଛନ୍ତି, ଏପରିକି ମୁଁ ବ୍ୟାଗ୍ ଖୋଲି ଦେଖିନଥିଲି ଯେ, ତାରି ଭିତରେ କଣ ଅଛି । ଗୁରୁବାର ମୁଁ ଅନେକ ଯାତ୍ରୀଙ୍କୁ ସେମାନଙ୍କର ଲକ୍ଷ୍ୟସ୍ଥଳରେ ପହଞ୍ଚାଇଛି । ଏଥିପାଇଁ ମୋର ମନେ ପଡୁନଥିଲା ଯେ, ଏହି ବ୍ୟାଗଟି କେଉଁ ବ୍ୟକ୍ତିଙ୍କର । ୫୦ ବର୍ଷୀୟ ଅଟୋ ଚାଳକ କହିଛନ୍ତି ମୁଁ ବହୁତ ଖୁସି ଯେ, ଶେଷରେ ବ୍ୟାଗଟି ପ୍ରକୃତ ମାଲିକ ପାଖରେ ପହଞ୍ଚି ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.