Honda Carsର ନୋଏଡା ପ୍ଲାଣ୍ଟ ବନ୍ଦ: ଥମିଲା ଉତ୍ପାଦନ, ଚାକିରୀ ଯିବା ଆଶଙ୍କାରେ ଶହ ଶହ କର୍ମଚାରୀ

Published By : Prameya-News7 Bureau | December 23, 2020 IST

ନୂଆଦିଲ୍ଲୀ ୨୩/୧୨: ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍‌ ଗ୍ରେଟର ନୋଏଡା ସ୍ଥିତ ଦୁଇ କାରଖାନାକୁ ଔପଚାରିକ ବନ୍ଦ ଘୋଷଣା କରିଛି। ବୁଧବାର ଏହି ଘୋଷଣା ହେବା ପରେ କାର କିଣିବାକୁ ଥିବା ଗ୍ରାହକଙ୍କ ମନରେ ଚିନ୍ତା ପଶିଛି। ବହୁ ଲୋକପ୍ରିୟ ମଡେଲ୍‌ ସିଆର-ଭି ଓ ସିଭିକ୍‌ ଏହି ପ୍ଲାଣ୍ଟରୁ ହିଁ ନିର୍ମାଣ ହେଉଥିଲା। ଏହି ମଡେଲ ଏବେ ଉତ୍ପାଦନ ବନ୍ଦ ହୋଇଛି। କେବଳ କାର ଉତ୍ପାଦନ ବନ୍ଦ ହେଲା ତାହା ନୁହେଁ ଏଠାରେ କାର୍ଯ୍ୟ କରୁଥିବା ହଜାରେ କର୍ମଚାରୀଙ୍କ ଚାକିରୀ ଯିବା ଭୟ ମଧ୍ୟ ଘାରିଛି। ତେବେ ୧୯୯୭ରେ ଅସ୍ତିତ୍ବ ପାଇଥିବା ପ୍ଲାଣ୍ଟର ମେଣ୍ଟେନାନ୍ସ ପାଇଁ ବନ୍ଦ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

୧୯୯୫ରେ ଗ୍ରେଟର ନୋଏଡାରେ ହୋଣ୍ଡା କାରର ପ୍ଳାଣ୍ଟ ନିର୍ମାଣ ହୋଇଥିଲା। ୧୯୯୭ରେ ଏହି ପ୍ଲାଣ୍ଟରୁ କାର ଉତ୍ପାଦନ ଆରମ୍ଭ ହୋଇଥିଲା। ହୋଣ୍ଡା ସିଟି, ସିଆର-ଭି, ହୋଣ୍ଡା ସିଭିକ୍‌ ସହିତ ଅନ୍ୟ ମଡେଲ୍‌ ଏହି ଠାରେ ହିଁ ଉତ୍ପାଦନ ହେଉଥିଲ। ଏଠାରେ ପ୍ରତିଦିନ ପାଖାପାଖି ୪୪୦ କାର ଓ ପ୍ରତି ବର୍ଷ ପାଖାପାଖି ଲକ୍ଷେ କାର ଉତ୍ପାଦନ ହେଉଥିଲା । କମ୍ପାନୀରେ ୯୦୦ ଲୋକ କାମ କରୁଥିଲେ।

ଗତ ୩ ମାସରେ କାର ବିକ୍ରିରେ ଗତି ବଢ଼ିଥିବା ବେଳେ କମ୍ପାନୀ ବନ୍ଦ କରିବାକୁ ନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। କମ୍ପାନୀର କହିବା କଥା ହେଲା କରୋନା କାଳରେ କାର ବିକ୍ରି କମୁଛି। ଅନ୍ୟପଟେ କମ୍ପାନୀରେ ୯୦୬ କର୍ମଚାରୀ କାମ କରୁଥିବା ବେଳେ ୨୭ ଜାନୁଆରୀରୁ ୧୭ ଫେବୃଆରୀ ମଧ୍ୟରେ ୨୭୮ ଜଣ କର୍ମଚାରୀଙ୍କୁ ଭିଆରଏସ୍‌ ଦିଆଯାଇଛି। କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଯଦିଓ କାର ନିର୍ମାଣ ବନ୍ଦ ରହିବ କିନ୍ତୁ ଅନୁସନ୍ଧାନ ଜାରି ରହିବ।

ବର୍ତ୍ତମାନ ସମସ୍ତ ମଡେଲ କାର ନିର୍ମାଣ ପାଇଁ ରାଜସ୍ଥାନର ଟାପୁକାରା ପ୍ଲାଣ୍ଟ ଉପରେ କମ୍ପାନୀ ନିର୍ଭର କରିବ। କମ୍ପାନୀ ଚଳିତବର୍ଷ ନିଜର କର୍ମଚାରୀଙ୍କ ପାଇଁ ସ୍ବେଚ୍ଛାକୃତ ଅବସର ବା ଭିଆରଏସ୍‌ ଯୋଜନା ଆଣିଥିଲା ଯାହାଦ୍ବାରା କମ୍ପାନୀର ଉତ୍ପାଦନ କ୍ଷମତା ବୃଦ୍ଧି ହୋଇପାରିବ। ଟାପୁକାରା ପ୍ଲାଣ୍ଟର ବାର୍ଷିକ କ୍ଷମତା ୧.୮ ଲକ୍ଷ କାର। ରାଜସ୍ଥାନ ସ୍ଥିତ ଟାପୁକାରା ପ୍ଲାଣ୍ଟରେ ୫୫୦୦ କର୍ମଚାରୀ କାମ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.