କରିତକର୍ମା ହୋମଗାର୍ଡ: ସାଦା ପୋଷାକରେ ଗାଡିଚାଳକଙ୍କଠୁ ଆଦାୟ କରୁଛନ୍ତି ବଟି, ଦେଉଛନ୍ତି ଧମକ, ଭିଡିଓ ଭାଇରାଲ୍

Published By : Prameya-News7 Bureau | December 14, 2021 IST

ସାଲେପୁର ୧୪।୧୨: ନାଁ ସନ୍ତୋଷ କୁମାର ମହାନ୍ତି।  ନିଶ୍ଚିନ୍ତ କୋଇଲି ଥାନାରେ ଅଛନ୍ତି ହୋମଗାର୍ଡ। କିନ୍ତୁ ସେ ଜଣେ ଅଭ୍ୟାସଗତ ଠକ ବୋଲି ଜଣାପଡିଛି। ସାଦା ପୋଷାକରେ ବିଳମ୍ବିତ ରାତିରେ ଗାଡି ଅଟକାଇ ଆଦାୟ କରନ୍ତି ଦାଦା ବଟି। ଯିଏ ନଦେଲା ତାକୁ ବଡ  ବଡିଆ ପୋଲିସ ଅଧିକାରୀଙ୍କ ନାଁ ନେଇ ଧମକ ଚମକ ଦିଅନ୍ତି। ଡ୍ରାଇଭରମାନଙ୍କୁ ପୋଲିସିଆ ନିୟମର ପାଠ ପଢାନ୍ତି। ସାଦା ପୋଷାକରେ କଟକ  ଚାନ୍ଦବାଲି ରାସ୍ତାରେ ବିଳମ୍ବିତ ରାତ୍ରିରେ ଗାଡିଚାଳକଙ୍କୁ ବଟି ଦେବାକୁ ଧମକ ଦେଉଥିବାର ଭିଡିଓ ଭାଇରାଲ୍ ହୋଇଛି। ଏହା ପରେ ଯାଇ ଏହି କରିତକର୍ମା ହୋମଗାର୍ଡଙ୍କ କାରନାମା ସାମ୍ନାକୁ ଆସିଛି।

ସବୁଠୁ ବଡ କଥା ହୋମଗାର୍ଡରେ ନିଯୁକ୍ତ ହେବା ପୂର୍ବରୁ ସନ୍ତୋଷ ନିଜକୁ ପୋଲିସ କର୍ମଚାରୀଙ୍କ ପରିଚୟ ଦେଇ ଗାଡିମାନଙ୍କରୁ ଦାଦାବଟି ଆଦାୟ କରିଥିବା ଜଣା ପଡିଛି। ସେ ନିୟମିତ ରାତିରେ ମଦ ପିଇ ରାଜରାସ୍ତାରେ ନିଜକୁ ପୋଲିସିଆ କହି ଚାଳକଙ୍କ ପ୍ରତି ଜୁଲୁମ କରନ୍ତି। ତେବେ ଏ ନେଇ କୌଣସି ଥାନାରେ ତାଙ୍କ ବିରୋଧରେ ଏଫଆଇଆର ମଧ୍ୟ ନାହିଁ। ହୋମଗାର୍ଡ ହେବା ପରେ ତାଙ୍କର ପ୍ରାଦୁର୍ଭାବ ଆହୁରି ବଢି ଯାଇଛି। କାରଣ ସେ ଦିନରେ ଅଫିସରଙ୍କୁ ତେଲ ମାରନ୍ତି ଆଉ ରାତିରେ ଗାଡି ଅଟକାଇ ଦାଦା ବଟି ଆଦାୟ କରନ୍ତି। ସେ ଏମିତି ନିୟମିତ ଗାଡିଚାଳକଙ୍କଠୁ ବଟି ଆଦାୟ କରନ୍ତି।

ନିକଟରେ ଭାଇରାଲ୍ ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ, ହୋମଗାର୍ଡ ମହୋଦୟ ସାଦା ପୋଷାକରେ ଏକ ଭାରିଯାନକୁ ଅଟକାଇ ଜରିମାନା ନାଁରେ ଡ୍ରାଇଭରଙ୍କ ସହ ଯୁକ୍ତିତର୍କ କରୁଛନ୍ତି। ହୋମଗାର୍ଡଙ୍କ ସାହାସକୁ ମାନିବାକୁ ପଡିବ। ବିନା ପିସିଆର ଏବଂ ବିନା ପୋଲିସ କର୍ମଚାରୀରେ ନିଜର ବହପ ଦେଖାଇବାକୁ ପଛାଇ ନାହାନ୍ତି। ଡ୍ରାଇଭରଙ୍କୁ ଥାନା ଯିବାକୁ ମଧ୍ୟ କହୁଛନ୍ତି। ଏପରିକି ଜଣେ ଆଇଆଇସି ମ୍ୟାଡମଙ୍କ କଥା କହୁଛନ୍ତି ହୋମଗାର୍ଡ। ଡ୍ରାଇଭରଜଣକ ନିଜର ପରିଚୟ ଓଡିଶା ଡ୍ରାଇଭର ମହାସଂଘର ସଭାପତି ବୋଲି ଦେଇଛନ୍ତି। ଏପରିକି ଆପଣ ଯେ କୌଣସି ପୋଲିସ ଅଧିକାରୀଙ୍କ ସହ କଥା କରାଇଦେବାକୁ ସେ ହୋମଗାର୍ଡକୁ କହୁଥିବା ୨ ମିନିଟ୍ ୧୨ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି। ତେବେ ଗାଡିଚାଳକଙ୍କ ତର୍କରେ ହୋମଗାର୍ଡଙ୍କ ପାଟି ଖନି ମାରି ଯାଉଥିବା ଦେଖିବାକୁ ମିଳିଛି। କେବଳ ସେ ଏକା ନୁହନ୍ତି ଏମିତି ଅନେକ ପୋଲିସ କର୍ମଚାରୀ ବେଆଇନ ଭାବେ ଗାଡିଚାଳକଙ୍କଠୁ ବଟି ଆଦାୟ କରୁଥିବା ଭିଡିଓରେ ଗାଡିଚଳକ କହୁଥିବା ଶୁଣିବାକୁ ମିଳିଛି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.