ବାହାନଗା ଦୁର୍ଘଟଣାରେ ମୃତକଙ୍କ ପାଇଁ ହୋମ ଯଜ୍ଞ, ମନ୍ଦିରରେ ପୂଜାର୍ଚ୍ଚନା କଲେ ଡୁମୁଡୁମା ବାସୀ
12/06/2023 at 10:59 AM

ଭୁବନେଶ୍ୱର ୧୧/୦୬: ବାଲେଶ୍ୱର ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ହୋମ ଯଜ୍ଞ । ଜାଗମରା ରାମେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି ଜାଗମରା ଡୁମୁଡୁମା ବାସୀ । ସେମାନଙ୍କ ଅମର ଆତ୍ମାର ସତଗତି ପାଇଁ ପ୍ରାର୍ଥନା କରୁଛନ୍ତି । ସମୂହ ଦୀପ ଦାନ କରିବା ସହିତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।
ସୂଚନା ଥାଉକି, ବାହାନଗା ରେଳ ଦୁର୍ଘଟଣାକୁ ଏହାରି ଭିତରେ ୧୧ ଦିନ ବିତିଗଲାଣି । ତଥାପି ସେଦିନର ସେହି କାଳ ରାତିର ଦୃଶ୍ୟ ଲୋକଙ୍କ ମନରୁ ଲିଭିନି । ଶତାଧିକ ଯାତ୍ରୀ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଏକ ହଜାରରୁ ଅଧିକ ଆହତ ହୋଇଥିଲେ । ସ୍ଥାନୀୟ ବାସିନ୍ଦା ମୃତାହତଙ୍କୁ ଉଦ୍ଧାର କରିଥିଲେ । ଏହାକୁ ନେଇ ବାହାନଗାରେ ମୃତକଙ୍କ ଉଦ୍ଦେଶ୍ୟରେ ରବିବାର ସାମୂହିକ ଦଶାହ କର୍ମ ଅନୁଷ୍ଠିତ ହୋଇଥିଲା ।
୧୨୦ରୁ ଅଧିକ ଲୋକ ରୀତିନୀତି ଅନୁସାରେ ମୁଣ୍ଡନ ହୋଇଥିଲେ । ଏଥିସହ ସୋମବାର ଓ ମଙ୍ଗଳବାର ଦୁଇଦିନ ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହର ନାମଯଜ୍ଞ, ଅଖଣ୍ଡ ଗାୟତ୍ରୀ ଯଜ୍ଞ, ସର୍ବଧର୍ମ ପ୍ରାର୍ଥନା ସଭା, ଶ୍ରଦ୍ଧାଞ୍ଜଳି, ସାମୂହିକ ବେଦପାଠ, ଶାନ୍ତି ଶୋଭାଯାତ୍ରା ଓ ଦୀପଦାନ ସହ ବିଶେଷ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହୋଇଛି । କେବଳ ବାଲେଶ୍ୱର ବାହାନଗା ନୁହେଁ ରାଜଧାନୀରେ ଭୁବନେଶ୍ୱରରେ ବି ହେଉଛି ସାମୂହିକ ନାମ ଯଜ୍ଞ ।