ନୂଆଦିଲ୍ଳୀ, ୧୩/୦୧: ଦିଲ୍ଳୀର କଂଝାବାଲା କେସ୍ ମାମଲାରେ ଗୃହମନ୍ତ୍ରାଳୟର ନିର୍ଦ୍ଦେଶ। ଅଭିଯୁକ୍ତଙ୍କ ଉପରେ ଲାଗିବ ହତ୍ୟା ଧାରା। ଦିଲ୍ଳୀ ପୋଲିସ୍ର ସ୍ବତନ୍ତ୍ର କମିଶନର ଶାଳିନୀ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଯାଞ୍ଚ କମିଟି ତରଫରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ (ଏମଏମଏ) କୁ ରିପୋର୍ଟ ଦିଆଯାଇଛି। ରିପୋର୍ଟ ଆଧାରରେ ଗୃହ ମନ୍ତ୍ରାଳୟ ଦିଲ୍ଳୀ ପୋଲିସ୍ର ଏହି ମାମଲାରେ ଅଭିଯୁକ୍ତ ଉପରେ କଡ଼ା ଆକ୍ସନ ନେବା ପାଇଁ ନିର୍ଦେ୍ଦଶ ଦେଇଛନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ, ଘଟଣାର ଗୁରୁତ୍ବ ଏବଂ ସାକ୍ଷ୍ୟ ଆଧାରରେ ଦିଲ୍ଳୀ ପୋଲିସକୁ କଂଝାବାଲା କେସ୍ର ଅଭିଯୁକ୍ତଙ୍କ ଉପରେ ଏଫଆଇଆରରେ ଆଇପିସି ଧାରା ୩୦୨ (ହତ୍ୟା) ଲଗାଯାଇ ମାମଲା ଯାଞ୍ଚ କରିବା ନିର୍ଦେ୍ଦଶ ଦିଆଯାଇଛି। ଗୃହ ମନ୍ତ୍ରାଳୟ ଦିଲ୍ଲୀ ପୋଲିସକୁ ମାମଲାରେ ଯଥାଶୀଘ୍ର ମାମଲା ଦାୟର କରିବା ପାଇଁ ନିର୍ଦେ୍ଦଶ ଦେଇଛନ୍ତି। ଯାହା ଫଳରେ ଦୋଷୀଙ୍କୁ ଦଣ୍ଡ ମିଳିପାରିବ।
ଏହା ସହ ଗୃହ ମନ୍ତ୍ରାଳୟ ଏହି ମାମଲାରେ ଦିଲ୍ଳୀ ପୋଲିସକୁ ତିନି ପିସିଆର ଭ୍ୟାନ ଏବଂ ଦୁଇ ପିକେଟିଂରେ ଦୁଇ ପୋଲିସ୍ କର୍ମୀଙ୍କୁ ସସପେଣ୍ଡ କରିବାକୁ ନିର୍ଦେ୍ଦଶ ଦେଇଛନ୍ତି। ଆହୁରି ମଧ୍ୟ, ଯାଞ୍ଚରେ କୌଣସି ପ୍ରକାରର ହେଳା କରାନଯିବା ଏବଂ ଯାଞ୍ଚ ସ୍ଥିତି ବିଷୟରେ ଗୃହ ମନ୍ତ୍ରାଳୟକୁ ପ୍ରତି ୧୫ ଦିନରେ ରିପୋର୍ଟ ଦେବାପାଇଁ କୁହାଯାଇଛି।
ଗୃହମନ୍ତ୍ରାଳୟ କହିଛି ଯେ ରାଜଧାନୀରେ ଆଇନ ବ୍ୟବସ୍ଥା ସ୍ଥିତିରେ ସୁଧାର ପାଇଁ କାର୍ଯ୍ୟାନୁଷ୍ଠାନ କରାଯିବା ଦରକାର ଫଳରେ ଲୋକମାନେ ଖାସକରି ମହିଳା ଏବଂ ପିଲାମାନେ ଭୟମୁକ୍ତ ହୋଇପାରିବେ। ଦିଲ୍ଳୀ ଏବଂ ସେହି ଅଞ୍ଚଳରେ ପୋଲିସ୍ ଦ୍ବାରା ଉଚିତ୍ ଯାଞ୍ଚ କରାଯିବା ଯେଉଁଠାରେ ସିସିଟିଭି ନାହିଁ କିମ୍ବା ଯେଉଁ ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟର ବ୍ୟବସ୍ଥା ନାହିଁ। ଏହା ସହ ପ୍ରଶାସନ ସହ ଏସବୁର ବ୍ୟବସ୍ଥା କରିବା ପାଇଁ ମଧ୍ୟ ଉଦ୍ୟମ କରିବ।
ଉଲ୍ଲେଖଯୋଗ୍ୟ, ନୂଆବର୍ଷର ପ୍ରଥମ ଦିନରେ ଜଣେ ଯୁବତୀ ଅଞ୍ଜଳି ସିଂହଙ୍କ ସ୍କୁଟିକୁ ଏକ କାର୍ ଧକ୍କା ଦେଇଥିଲା। ଧକ୍କା ପରେ କାର୍ରେ ଫସିଥିବା ଯୁବତୀଙ୍କୁ ଅଭିଯୁକ୍ତମାନେ ୧୨ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଦିଲ୍ଲୀ ପୋଲିସ୍ ଦ୍ବାରା ସମୁଦାୟ ୭ ଜଣକୁ ଗିରଫ କରାଯାଇଛି।