ମୁମ୍ବାଇ ୦୮/୦୩ : ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ବାହାରୁ ବିସ୍ଫୋଟକ ଭର୍ତ୍ତି ଗାଡି ଜବତ ହେବା ମାମଲାର NIA ତଦନ୍ତ ହେବ । ଗୃହମନ୍ତ୍ରାଳୟ ପକ୍ଷରୁ ସୋମବାର ମାମଲାର ତଦନ୍ତ ଭାର ଜାତୀୟ ତଦନ୍ତକାରୀ ସଂସ୍ଥା (NIA)କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ଏହି ମାମଲାର ତଦନ୍ତ ଭାର ମହାରାଷ୍ଟ୍ର ଆତଙ୍କବାଦ ବିରୋଧୀ ସ୍କ୍ବାଡ୍ (ATS)କୁ ଦାୟିତ୍ବ ଦିଆଯାଇଥିଲା । ବର୍ତ୍ତମାନ, ବିସ୍ଫୋରକ ଗାଡି ଜବତ ଘଟଣାର ତଦନ୍ତ କରିବା ସହିତ ଗାଡି ଡ୍ରାଇଭର ମନସୁଖ ହିରେନ୍ର ସନ୍ଦେହଜନକ ମୃତ୍ୟୁ ଘଟଣାର ମଧ୍ୟ ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ।
ସୂଚନାଯୋଗ୍ୟ, ଗତ ଫେବୃଆରୀ ୨୫ ତାରିଖରେ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାରୁ ସନ୍ଦେହଜନକ ଅବସ୍ଥାରେ ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ଜବତ କରାଯାଇଥିଲା । ଯେଉଁଥିରୁ ଜିଲେଟିନ୍ ଛଡ ମିଳିଥିଲା । ଏହାର କିଛି ଦିନ ପରେ ଅର୍ଥାତ ଗତ ଶୁକ୍ରବାର ଦିନ ଜବତ ବିସ୍ଫୋରକ ବୋଝେଇ ଗାଡିର ଡ୍ରାଇଭର ମନସୁଖ ହେରେନ୍ଙ୍କ ମୃତଦେହ ଏକ ଡ୍ରେନ୍ରୁ ଉଦ୍ଧାର ହୋଇଥିଲା । ମୃତଦେହ ମିଳିବା ପରେ ମାମଲା ଆହୁରୀ ସନ୍ଦେହ ଘେରକୁ ଚାଲିଯାଇଥିଲା । ତେବେ ବର୍ତ୍ତମାନ ଗୃହମନ୍ତ୍ରାଳୟ ପକ୍ଷରୁ ପୁରା ଘଟଣାର ତଦନ୍ତ ଭାର ଏନ୍ଆଇଏକୁ ହସ୍ତାନ୍ତର କରାଯାଇଛି ।