ୟୁନିୟନ ହୋମ୍ ମିନିଷ୍ଟ୍ରି ସ୍ପେଶିଆଲ୍ ଅପରେସନ ମେଡାଲ ୨୦୨୨' ପୁରସ୍କାର ଘୋଷଣା; ସମ୍ମାନିତ ହେବେ ୬୩ ପୁଲିସ ଅଫିସର

Published By : Prameya-News7 Bureau | October 31, 2022 IST

ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପୁରସ୍କାର ଘୋଷଣା କଲେ କେନ୍ଦ୍ର ସରକାର। ସୋମବାର କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ 'ୟୁନିୟନ ହୋମ୍ ମିନିଷ୍ଟ୍ରି ସ୍ପେଶିଆଲ୍ ଅପରେସନ ମେଡାଲ ୨୦୨୨' ପୁରସ୍କାର ଘୋଷଣା କରାଯାଇଛି। ସୁରକ୍ଷା କର୍ମୀଙ୍କ ଦ୍ୱାରା ଅତଙ୍କବାଦ, ବର୍ଡର କାର୍ଯ୍ୟାନୁଷ୍ଠାନ, ଆର୍ମସ କଣ୍ଟ୍ରୋଲ(ଅସ୍ତ୍ର ନିୟନ୍ତ୍ରଣ), ଡ୍ରଗ୍ସ ପ୍ରତିରୋଧ ଓ ସୁରକ୍ଷା ଅପରେସନ ଏହି ୪ ଟି ଦିଗରେ ସଫଳ ହୋଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଦିଆଯିବ। ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀରେ ଏହି ପୁରସ୍କାର ପ୍ରଦାନ କରାଯିବ। ଚଳିତ ଥର ମୋଟ ୬୩ ଜଣ ପୁଲିସ ଅଫିସର ଏହି ପୁରସ୍କାର ପାଇବେ।

ତେଲେଙ୍ଗାନା, ପଞ୍ଜାବ, ମହାରାଷ୍ଟ୍ର ଏବଂ ଜାମ୍ମୁ-କାଶ୍ମୀର ଓ ଦିଲ୍ଲୀରୁ ଏହି ଅଫିସରମାନେ ପୁରସ୍କାର ପାଇବେ।  ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମବାର୍ଷିକୀରେ  'ରନ୍ ଫର ୟୁନିଟି' କାର୍ଯ୍ୟକ୍ରମେ ଅଫିସରମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ।

ସୂଚନା ଥାଉକି ୨୩ ଜୁଲାଇ ୨୦୧୮ରେ କେନ୍ଦ୍ର ଗୃହମନ୍ତ୍ରାଳୟ ଦ୍ୱାରା ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ, ଓ ସେଣ୍ଟ୍ରାଲ ପୁଲିସ ଅର୍ଗାନାଇଜେସନ, ସେଣ୍ଟ୍ରାଲ ଆର୍ମ୍ଡ ପୁଲିସ ଫୋର୍ସ, ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକୁ ଏହି ପୁରସ୍କାର ଦିଆଯାଉଛି। କେବଳ ଉପରୋକ୍ତ ୪ଟି ଦିଗରେ କୃତକାର୍ଯ୍ୟ ହୋଇଥିଲେ ଯାଇ ପୁରସ୍କାର ମିଳିବ। ଏଥିପାଇଁ ସ୍ୱତନ୍ତ୍ର ଅପରେସନର ୩ ମାସ ଭିତରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା କେନ୍ଦ୍ର ଗୃହମନ୍ତ୍ରାଳୟକୁ ଦେବାକୁ ପଡ଼ିବ।

ଏହାପରେ ଗୃହମନ୍ତ୍ରାଳୟର ଏକ କମିଟି ସମସ୍ତ ନାମାଙ୍କନ ଏବଂ ରିକୋମେଣ୍ଟସବୁ ଦଖିବେ। ଏହାପରେ ଯୋଗ୍ୟ ବିବେଚିତ ଅଫିସରଙ୍କୁ କେନ୍ଦ୍ର ଗୃହମନ୍ତ୍ରାଳୟର ସ୍ୱାକ୍ଷର ଥିବା ଏକ ପ୍ରମାଣପତ୍ର ଓ ଏକ ମେଡାଲ ଦିଆଯିବ। ପ୍ରତି ବର୍ଷ ଅକ୍ଟୋବର ୩୧ ତାରିଖରେ ଏହି ପୁରସ୍କାର ଦିଆଯାଇ ଆସୁଛି। ସାଧାରଣତଃ ୩ଟି ସ୍ୱତନ୍ତ୍ର ଅପରେସନକୁ ଏହି ପୁରସ୍କାର ପାଇଁ ବିଚାରକୁ ନିଆଯାଉଛି। ତେବେ ସ୍ୱତନ୍ତ୍ର ପରିସ୍ଥିତି ଏହି ପୁରସ୍କାର ୫ସ୍ପେଶାଲ ଅପରେସନ ପାଇଁ ଦିଆଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.