ରାତି ପାହିଲେ ପବିତ୍ର ମହାଶିବରାତ୍ରି, ରାତି ୧୦ରେ ଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ
17/02/2023 at 10:50 PM

ଭୁବନେଶ୍ଵର: ରାତି ପହିଲେ ପବିତ୍ର ମହାଶିବରାତ୍ରି। ଏଥିପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର। ଶୈବପୀଠଗୁଡ଼ିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥା କରାଯିବା ସହ ମନ୍ଦିରକୁ ସାଜସଜ୍ଜା କରାଯାଉଛି।ଏଥିପାଇଁ ଉଭୟ ମନ୍ଦିର ଓ ପୋଲିସ ପ୍ରଶାସନ ପ୍ରସ୍ତୁତ ରହିଛନ୍ତି । ସେପଟେ ସାରା ରାଜ୍ୟର ଶୈବପୀଠ ଏବଂ ମନ୍ଦିରଗୁଡିକରେ ଜାଗର ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ସଜେଇ ହେଲାଣି ଏକାମ୍ର ପୀଠ । ରାତି ପାହିଲେ ହର ହର ଶିବ ସମ୍ଭୁ ଧ୍ବନିରେ ପ୍ରକମ୍ପିତ ହେବ ପରିବେଶ । ମନ୍ଦିର ସମ୍ମୁଖ ଭାଗରେ ଲିଙ୍ଗ ରଖି ଚତୁଃପାଶ୍ୱର୍ରେ ପଡ଼ିଲାଣି ଝୋଟି ରଙ୍ଗୋଲି। ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟର ପହଂଚିଛି । ରାତି ୧୦ ରେ ଉଠିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ଉଦ୍ଦେଶ୍ୟରେ ଭୋର୍ ୩ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପାଦନ ହେବ।

ଏହା ପରେ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇ ରାତି ୧୦ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି। ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ନେଇ ପୋଲିସର ପ୍ରସ୍ତୁତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଏଥିପାଇଁ ୩୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରାତି ୨ ଟାରୁ ସେବାୟତ ପରିବାର ଉତ୍ତର ଦ୍ବାର ଦେଇ ପ୍ରବେଶ କରି ଦର୍ଶନ କରିବେ ଓ ପରେ ରାତି ୩ ଟାରୁ ସିଂହ ଦ୍ବାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରିବେ।

ଜାଗର ସମୟରେ ଲିଙ୍ଗରାଜ ମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। କେବଳ ଓଡିଶାରୁ ନୁହେଁ ଦେଶ ବାହାରୁ ଭକ୍ତଙ୍କ ସମାଗମ ହେଉଛି । ତେବେ ଆଜିଠାରୁ ଶ୍ରଦ୍ଧାଳୁ ମାନଙ୍କ ଭିତରେ ବେଶ ଉତ୍କଣ୍ଠ ଦେଖିବାକୁ ମିଳିଛି । ସେମାନେ ଉତ୍ସୁକତାର ସହିତ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଅନାଇ ବସିଛନ୍ତି । ସେହିପରି ବିଭିନ୍ନ ଟ୍ରଷ୍ଟ ପକ୍ଷରୁ ମନ୍ଦିର ସଫା କରିବା ସହିତ ଶ୍ରଦ୍ଧାଳୁ ମାନଙ୍କର ଯେପରି କିଛି ଅସୁବିଧା ନ ହୁଏ ତାଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ସେପଟେ ସାରା ରାଜ୍ୟରେ ଗାଁ ଗହଳିଠୁ ନେଇ ସହର ପର୍ଯ୍ୟନ୍ତ ସମସ୍ତ ଶିବ ମନ୍ଦିରରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ମନ୍ଦିରଗୁଡିକରେ ରଙ୍ଗ ଲଗାଯିବା ସହ ଆଲୋକରେ ସଜା ଯାଇଛି।