ମଙ୍ଗଳବାରଠାରୁ ଆରମ୍ଭ ହୋଇସାରିଛି ହୋଲାଷ୍ଟକ, କରନ୍ତୁନି ଏହିସବୁ କାମ
5/03/2020 at 7:33 PM

ହୋଲି ପୂର୍ବର ୮ ଦିନକୁ ହୋଲାଷ୍ଟକ କୁହାଯାଏ। ଚଳିତବର୍ଷ ହୋଲାଷ୍ଟକ ୩ ମାର୍ଚ୍ଚ ମଙ୍ଗଳବାରଠାରୁ ଆରମ୍ଭ ହୋଇସାରିଛି। ଏହି ଅଷ୍ଟକ ୯ ମାର୍ଚ୍ଚ ଅର୍ଥାତ ହୋଲିକା ଦହନ ପର୍ଯ୍ୟନ୍ତ ପାଳିତ ହେଉଛି। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଫାଲଗୁନମାସ ଶୁକ୍ଳପକ୍ଷ ଅଷ୍ଟମୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ତିଥିକୁ ହୋଲାଷ୍ଟକ ଭାବେ ପାଳନ କରାଯାଏ। ମାର୍ଚ୍ଚ ୯ ତାରିଖ ହୋଲିକା ଦହନ ପରଦିନ ହୋଲି ପର୍ବ ଅନୁଷ୍ଠିତ ହେବ।

ହୋଲାଷ୍ଟକ ୮ ଦିନରେ କୌଣସି ମାଙ୍ଗଳିକ କାର୍ଯ୍ୟ କରାଯାଏନି। ଏହି ସମୟରେ ହୋଇଥିବା ମାଙ୍ଗଳିକ କାର୍ଯ୍ୟକୁ ଅଶୁଭ ବୋଲି କୁହାଯାଏ। ଏଣୁ ଏହି ସମୟରେ କୌଣସି ବିଶେଷ ଯୋଗ ନଥିଲେ ବିବାହ, ମୁଣ୍ଡନ, ନୂତନ ଗୃହପ୍ରବେଶ, ନିର୍ମାଣ କାର୍ଯ୍ୟ ଆଦି କରାଯାଏନି। ହୋଲାଷ୍ଟକ ସମୟରେ କୌଣସି ଯଜ୍ଞ, ହବନ ଓ ଦାନପୂଣ୍ୟ ମଧ୍ୟ ନିଷିଦ୍ଧ। ଏହି ସମୟରେ କରାଯାଉଥିବା ଏପରି କାର୍ଯ୍ୟର ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇନଥାଏ ବୋଲି କୁହାଯାଏ।

ସେହିପରି ହୋଲାଷ୍ଟକ ଶେଷ ନ ହେବା ପର୍ଯ୍ୟନ୍ତ ବାହନ,ଘର ଆଦି କ୍ରୟ ମଧ୍ୟ କରାଯାଏନି। ସେହିପରି ସନ୍ତକ ଭାବେ ମଧ୍ୟ ଏଥିଲାଗି ବହିନା ମଧ୍ୟ କରନ୍ତୁ ନାହିଁ। ଏହି ସମୟରେ ପୂଜାର୍ଚ୍ଚନା କରିବାରେ କିନ୍ତୁ କୌଣସି କଟକଣା ନାହିଁ। ଇଷ୍ଟଦେବଙ୍କ ଭଜନ, ପୂଜନ ଓ ଆରତୀ ଇତ୍ୟାଦି ଏହି ସମୟରେ କରାଯାଇପାରେ। ଏଥିରୁ ଆପଣଙ୍କୁ ଶୁଭ ଫଳ ମିଳିବ।