‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ବହିସ୍କାର କରି ଧାର୍ମିକ ପତାକା ଉଡାଇବାକୁ ଆହ୍ୱାନ ଦେଲେ ଅକାଳୀ ଦଳ ନେତା ମାନ

Published By : Prameya-News7 Bureau | August 10, 2022 IST

ନୂଆଦିଲ୍ଲୀ: ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ପାଇଁ କେନ୍ଦ୍ର ସରକାର ସମେତ ସାରା ଦେଶ ଚାହିଁ ବସିଥିବା ବେଳେ ପଞ୍ଜାବର ଅକାଳୀ ଦଳ ନେତା ତଥା ସିମରନଜୀତ ସିଂହ ମାନ ବିବାଦୀୟ ବୟାନ ଦେଇଛନ୍ତି। ମୋଦୀ ସରକାରଙ୍କର ‘ହର ଘର ତିରଙ୍ଗା’ ଅଭିଯାନକୁ ବହିସ୍କାର କରି ଶିଖ୍ ଧର୍ମର ପତାକା ଉଡ଼ାଇବାକୁ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି। କେବଳ ସେତେକି ନୁହେଁ ଭାରୀତୟ ସେନାକୁ ଶତ୍ରୁ ବୋଲି ମଧ୍ୟ ସମ୍ବୋଧନ କରିଛନ୍ତି ସିମରନ।

ଶ୍ର ମାନ କହିଛନ୍ତି “ ଅଗଷ୍ଟ ୧୪-୧୫ ତାରିଖରେ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ନିଜ ନଜ ଘରେ କିମ୍ବା କାର୍ଯ୍ୟାଳୟରେ ନିଶାନ ସାହିବକୁ ଉଡ଼ାନ୍ତୁ। ଦୀପ ସିଦ୍ଧୁ ଆଜି ଆମ ଗହଣରେ ନାହାନ୍ତି। ସେ କହିଥିଲେ ଯେ ଶିଖ୍ ସ୍ୱତନ୍ତ୍ର ଓ ଏକ ଅଲଗା ସମ୍ପ୍ରଦାୟ।”

ଭାରତୀୟ ଯବାନଙ୍କୁ ଶତ୍ରୁ ବୋଲି ଦର୍ଶାଇ ବିଛିନ୍ନତାବାଦୀ ନେତା ଶ୍ରୀ ମାନ କହିଛନ୍ତି ଯେ ଜେନେରାଲ ସିଂହ ଭିଣ୍ଡରୱାଲା(ମୃତ ଖଲିସ୍ତାନୀ ଆତଙ୍କବାଦୀ) ଶତ୍ରୁ ସେନା ସହ ଲଢି ସହିଦ ହୋଇଛନ୍ତି।

ଅନ୍ୟପଟେ ପ୍ରତିବନ୍ଧକ ଲାଗିଥିବା ଶିଖ୍ ଫର ଜଷ୍ଟିସ୍(SFJ) ସଂଗଠନର ପ୍ରତିନିଧିତ୍ୱ କରୁଥିବା ଗୁରୁପନ୍ତ ସିଂହ ପନ୍ନୁ ମଧ୍ୟ ଏକ ଭିଡିଓ ଶେୟାର କରି ପଞ୍ଜାବ ଲୋକଙ୍କୁ ତିରଙ୍ଗା ଜଳାଇବା ଓ ସ୍ୱାଧିନତା ଦିବସରେ ଖଲିସ୍ତାନୀ ପତାକା ଉଡ଼ାଇବାକୁ ଅନୁରୋଧ କରିଛି।  

ଅକାଳୀ ଦଳର ନେତାଙ୍କର ଏଭଳି ବୟାନକୁ ଦୃଢ଼ ନିନ୍ଦା କରିଛି ଆପ୍ ଓ ବିଜେପି। ତିରଙ୍ଗା ଅଭିଯାନକୁ ବହିସ୍କାର କରିବା ତାଙ୍କର ପ୍ରକୃତ ଚରିତ୍ର ଦର୍ଶାଉଛି ବୋଲି ଆପ୍ ପ୍ରବକ୍ତା ମଲବିନ୍ଦର ସିଂହ କହିଛନ୍ତି। ତାଙ୍କ କଥାକୁ ଅଧିକ ଗୁରୁତ୍ୱ ଦିଆଯିବା କଥା ନୁହେଁ ବୋଲି ସେ କହିଛନ୍ତି। ସେହିପରି ଅକାଳୀ  ଦଳର ଆଉ ଜଣେ ନେତା ଦଲଜୀତ ସିଂହ ଚିମା ମଧ୍ୟ ମାନଙ୍କ ବୟାନକୁ ନିନ୍ଦା କରିବା ସହ ତିରଙ୍ଗା ଉପରେ ପଞ୍ଜାବ ଲୋକଙ୍କର ଗର୍ବ ରହିଛି ବୋଲି ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.