ଆର୍ଜେଣ୍ଟିନା ଟୁର୍‌ ପାଇଁ ୨୨ ଜଣିଆ ଦଳ ଘୋଷଣା କଲା ହକି ଇଣ୍ଡିଆ

Published By : Prameya-News7 Bureau | March 30, 2021 IST

ନୂଆଦିଲ୍ଲୀ, ୩୦/୦୩: ଆସନ୍ତା ମାସ ୧୧ ଏବଂ ୧୨ ତାରିଖରେ ଆର୍ଜେଣ୍ଚିନାର ବୁଏନସ୍‌ ଏୟାରେସ୍‌ ଠାରେ ଆନ୍ତର୍ଜାତିକ ହକି ଫେଡେରେସନ୍‌ ଆୟୋଜିତ ହକି ପ୍ରେ ଲିଗ୍ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ହକି ଇଣ୍ଡିଆ ପ୍ରସ୍ତୁତ ହୋଇଛି । ମଙ୍ଗଳବାର ଏନେଇ ହକି ଇଣ୍ଡିଆ ୨୨ ଜଣିଆ ଦଳଙ୍କ ନାମ ପ୍ରକାଶ କରିଛି ।

ଭାରତୀୟ ଦଳ ଏବଂ ଆର୍ଜେଣ୍ଟିନାର ଘରୋଇ ଦଳ ମଧ୍ୟରେ ଏନେଇ ଏପ୍ରିଲ୍‌ ୬ ଏବଂ ୭ ତାରିଖରେ ଅଭ୍ୟାସ ମ୍ୟାଚ୍ ଅନୁଷ୍ଠିତ ହେବ । ଟୋକିଓ ଅଲମ୍ପିକ୍ସ ପାଇଁ ପୁଣି ଏପ୍ରିଲ୍ ମାସ ୧୩ ଓ ୧୪ ତାରିଖରେ ଅଭ୍ୟାସ ମ୍ୟାଚ୍‌ ଖେଳାଯିବ ।  

ତେବେ ଭାରତ ଏବଂ ଅଲମ୍ପିକ୍‌ ଚମ୍ପିଆନ୍‌ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଭାରତର ଅଭିଜ୍ଞ ଖେଳାଳୀ ସାମିଲ୍‌ ହେବା ନେଇ ସୂଚନା ମିଳିଛି । ବ୍ୟକ୍ତିଗତ କାରଣରୁ ଇଉରୋପ ଟୁର୍‌ରୁ ବାଦ୍‌ ପଡ଼ିଥିବା ମିଡ୍‌ ଫିଲ୍ଡର୍‌ ଏବଂ ସ୍କିପର୍‌ ମନ୍‌ପ୍ରିତ୍‌ ସିଂହ ଏହି ଲିଗ୍‌ରେ ଦଳକୁ ଫେରିବେ । ସେହିପରି ଅଭିଜ୍ଞ ଏବଂ ଡ୍ରାଗ୍‌ଫ୍ଲିକ୍‌ ସ୍ପେସିଆଲିଷ୍ଟ ରୁପିନ୍ଦର ପାଲ୍‌ ସିଂହ, ପୂର୍ବ ମ୍ୟାଚ୍‌ରେ ବାଦ୍‌ ପଡ଼ିଥିବା ବରୁନ୍‌ କୁମାର ପୁଣିଥରେ ଦଳକୁ ଫେରିବା ନେଇ ହକି ଇଣ୍ଡିଆ ସ୍ପଷ୍ଟ କରିଛି ।

ଅଧିନାୟକ ମନପ୍ରୀତ ସିଂହ ଏବଂ ଉପ-ଅଧିନାୟକ ହରମାନପ୍ରୀତ ସିଂହଙ୍କ ନେତୃତ୍ୱରେ ଏହି ଲିଗ୍‌ ଭାରତ ଖେଳିବ । ୨୨ ଜଣିଆ ଦଳରେ ଗୋଲକିପର ପି.ଆର ଶ୍ରୀଜେଶ ଏବଂ କୃଷ୍ଣ ବାହାଦୂର ମଧ୍ୟ ଅଛନ୍ତି। ଅମିତ ରୋହିଦାସ, ଗୁରୁନ୍ଦର ସିଂ, ହରମାନପ୍ରୀତ ସିଂ, ସୁରେନ୍ଦର କୁମାର, ବୀରେନ୍ଦ୍ର ଲାକ୍ରା, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ରାଜ କୁମାର ପାଲ, ନୀଳକାନ୍ତ ଶର୍ମା, ଶ୍ୟାମଶର ସିଂ, ଗୁରୁଜନ୍ତ ସିଂ, ଦିଲପ୍ରୀତ ସିଂ, ମନଦୀପ ସିଂ ଏବଂ ଲଲିତ କୁମାର ଉପାଧ୍ୟାୟ ପୂର୍ବ ଟୁର୍‌ ପରି ଅପରିବର୍ତ୍ତିତ ରହିଛନ୍ତି।  ଏହି ଦଳରେ ଜସକରନ୍ ସିଂ, ସୁମିତ ଏବଂ ଶିଲାନନ୍ଦ ଲାକ୍ରା ମଧ୍ୟ ଅଛନ୍ତି ଯେଉଁମାନେ କି ଏକ ବର୍ଷ ପରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.