ଡିସେମ୍ୱର ୨୫ରେ ଓଡ଼ିଶା ପହଞ୍ଚିବ ହକି ବିଶ୍ୱକପ୍ ଟ୍ରଫି; ବଡ଼ଦିନରେ ସୋଆ କ୍ୟାମ୍ପସ୍ ପରିଭ୍ରମଣ କରିବ ଟ୍ରଫି
23/12/2022 at 7:05 PM

ଭୁବନେଶ୍ୱର ୨୩/୧୨: ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତା ଆସନ୍ତା ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବେଳେ ଏହାର ଟ୍ରଫି ଡିସେମ୍ୱର ୨୫ ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରକୁ ଆସିବ। ଭାରତ ସହିତ ୧୬ଟି ଦେଶ ଏହି ବିଶ୍ୱକପ୍ରେ ଭାଗ ନେଉଥିବା ବେଳେ ଡିସେମ୍ବର ବଡ଼ଦିନରେ ଏହି ଟ୍ରଫି ଭୁବନେଶ୍ୱର ସହର ସାରା ବୁଲିବ। ଏହି ଟ୍ରଫି ବର୍ତ୍ତମାନ ସାରା ଦେଶରେ ବୁଲି ବୁଲି ପ୍ରଦର୍ଶିତ ହେଉଥିବା ବେଳେ ଆସନ୍ତା ଡିସେମ୍ବର ୨୫ରେ ଭୁବନେଶ୍ୱରରେ ପହଞ୍ଚିବ ଏବଂ ସାଧାରଣ ଜନତା ଏହାକୁ ଦେଖିବା ପାଇଁ ସହରର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ କରାଯିବ।
ଏହି ଟ୍ରଫିଟି ସୋଆର କ୍ୟାମ୍ପସ-୨ ସଂଲଗ୍ନ ନୂଆ ଷ୍ଟାଡିୟମ୍ରେ କିଛି ସମୟ ପାଇଁ ରଖାଯିବାର କାର୍ଯ୍ୟକ୍ରମ ଥିବା ବେଳେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ ଓ କର୍ମକର୍ତାମାନେ ଏହି ଟ୍ରଫିକୁ ଦେଖିବାର ସୁଯୋଗ ପାଇବେ। ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ସୋଆ ପକ୍ଷରୁ ଏହି ଟ୍ରଫିକୁ ସ୍ୱାଗତ କରିବେ। ଏନ୍ସିସି କ୍ୟାଡେଟ୍ମାନେ ପରେଡ୍ ମାର୍ଚ୍ଚ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ଯୋଜନା ରହିଛି।
ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ବିଶ୍ୱକପ ହକି ଚାମ୍ପିଅନସିପ୍ ଅନୁଷ୍ଠିତ ହେଉଥିବା ବେଳେ ୨୦୧୮ରେ ଆୟୋଜିତ ହୋଇଥିବା ବିଶ୍ୱକପ୍ ଚାମ୍ପିଅନ୍ସିପ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜନ କରାଯାଇଥିଲା। ହକି ବିଶ୍ୱକପ୍ର ୧୫ତମ ସଂସ୍କରଣର ମ୍ୟାଚଗୁଡ଼ିକ ଚଳିତ ଥର ଓଡ଼ିଶାର ଦୁଇଟି ସ୍ଥାନ- ଭୁବନେଶ୍ୱରରେ ଥିବା କଳିଙ୍ଗ ଷ୍ଟାଡିୟମ୍ ଏବଂ ରାଉରକେଲାରେ ଥିବା ନୂଆ ନିର୍ମିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ରେ ଖେଳାଯିବାର ଆୟୋଜନ କରାଯାଇଛି।