କଟକ ୧୧/୦୧: ବାରବାଟୀ ଷ୍ଟାଡିୟମ୍ରେ ହକି ବିଶ୍ୱକପ୍ ୨୦୨୩ର ଉଦଘାଟନୀ ଉତ୍ସବ ଆରମ୍ଭ ହୋଇଛି। ଏହି ଉତ୍ସବକୁ ଦେଖିବାପାଇଁ ସେଠାରେ ଦର୍ଶକମାନେ ପ୍ରବଳ ଭିଡ଼ ଜମାଇଛନ୍ତି। ହକି ବିଶ୍ୱକପ୍ ପାଇଁ ସମସ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଉଦଘାଟନୀ ଉତ୍ସବରେ ପ୍ରଥମେ ଅରୁଣା ମହାନ୍ତି ଓ ନମିତା ମେଲେକାଙ୍କ ନେତୃତ୍ୱରେ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଛି। ପରେ କଣ୍ଠଶିଳ୍ପୀ ସ୍ନିତି ମିଶ୍ରଙ୍କ ସଂଗୀତରେ ଝୁମି ଉଠିଥିଲେ ସମବେତ ଦର୍ଶକ। ପରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପରି ର ଷ୍ଟାର ତଥା ଓଡିଆ ପୁଅ ଋତୁରାଜ ମହାନ୍ତି ନିଜ ସ୍ଵରରେ ଉଦଘାଟନୀ ଉତ୍ସବ ମାହୋଲକୁ ଆହୁରି ରଙ୍ଗୀନ କରିଥିଲେ।
ସୂଚନାଥାଉକି, ହକି ବିଶ୍ବକପ ଉଦଘାଟନୀ ଉତ୍ସବରରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଅପିଲ୍ କରିଥିଲେ। ଏହି ଉାତ୍ସବରେ ଦର୍ଶକ ଓ ଖେଳାଳୀ ମାନଙ୍କ ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଓଲିଉାଡ୍ ଓ ବଲିଉଡ୍ର ବହୁ ନାମୀଦାମୀ କଳାକାରମାନେ ଏଥିରେ ସାମିଲ୍ ହୋଇ ସେମାନଙ୍କର ଜଲୱା ଦେଖାଇବେ।
ତେବେ ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ବଲିଉଡ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟ୍ଟାନୀ ଆକର୍ଷଣ ସାଜିବେ। ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ମ୍ୟୁଜିକ୍ରେ ଝୁମିବେ ଦର୍ଶକ। ପ୍ରଥମ ଥର କଟକରେ ଦେଖିବାକୁ ମିଳିବ ଅତ୍ୟାଧୁନିକ ଡ୍ରୋନ୍ ଶୋ। କଟକ ଆକାଶରେ ଏକକାଳୀନ ୫ଶହ ଡ୍ରୋନ୍ ଉଡ଼ିବା ସହ ଚିକମିକ୍ ଆଲୁଅରେ ହକି ବିଶ୍ବକପ୍ ସମ୍ବନ୍ଧୀୟ ଚିତ୍ର ପ୍ରଦର୍ଶନ କରାଯିବାର ବ୍ୟବସ୍ଥା ରହିଛି। ବାରବାଟୀରେ ରାଜ୍ୟ କ୍ରୀଡ଼ା ବିଭାଗର ପ୍ରତ୍ୟକ୍ଷ ତତ୍ବାବଧାନରେ ଉଦଘାଟନୀ ଉତ୍ସବ ପାଇଁ ଅତ୍ୟାଧୁନିକ ମଞ୍ଚ ପ୍ରସ୍ତୁତ କରାଯାଇଛି। ବୁଧବାର ଅପରାହ୍ଣ ୩ଟା ୩୦ରୁ ଆରମ୍ଭ ହୋଇଛି। ଏହି ଉତ୍ସବରେ ପ୍ରାୟ ୩୦ହଜାର ଦର୍ଶକଙ୍କ ଲାଗି ବ୍ୟବସ୍ଥା କରାଯାଇଛି। ଟିକେଟ୍ ଓ ପାସ୍ ପାଇଥିବା ଦର୍ଶକମାନେ ଦିନ ୨ଟାରୁ ବାରବାଟୀ ଷ୍ଟାଡିୟମରେ ପ୍ରବେଶ କରିବାର ବ୍ୟବସ୍ଥା ରହିଥିଲା।
ଅନ୍ୟପଟେ ଦର୍ଶକମାନେ ଷ୍ଟାଡିୟମ ଭିତରକୁ କୌଣସି ଖାଦ୍ୟପଦାର୍ଥ, ପାଣି ବୋତଲ କିମ୍ବା ଖୁଚୁରା ପଇସା ନେଇପାରିବେ ନାହିଁ। ଆଇନ୍ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାରବାଟୀ ଷ୍ଟାଡିୟମକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଏଥିରେ ୫୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଏବଂ ୨ଶହ ସୁରକ୍ଷା ଅଧିକାରୀ ନିୟୋଜିତ ହୋଇଛନ୍ତି। ସେହିପରି ହକି ବିଶ୍ବକପ୍ର ଉଦଘାଟନୀ ଉତ୍ସବ ପାଇଁ ବୁଧବାର ଦିନ ୧ଟାରୁ ପରଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି କରାଯାଇଛି। ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ରହିବ। ଛାତ୍ରଛାତ୍ରୀ ମାନେ ଉଦଘାଟନୀ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ ରାଜ୍ୟ ସରକାର ସ୍କୁଲ ଛୁଟି ନିଷ୍ପତ୍ତି ନେଇଛନ୍ତି।