ହକି ବିଶ୍ୱକପ୍ ଟ୍ରଫିକୁ ଭଦ୍ରକରେ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା; ଆୟୋଜିତ ହେଲା ବିଭିନ୍ନ କାର୍ଯ୍ୟକ୍ରମ
9/01/2023 at 4:00 PM

ଭଦ୍ରକ ୦୯/୦୧: ସୋମବାର ପୁରୁଷ ହକି ବିଶ୍ୱକପ ଟ୍ରଫି ଭଦ୍ରକ ଜିଲ୍ଲା ପରିକ୍ରମା କରିଛି। ଟ୍ରଫିକୁ ଜିଲ୍ଲା ପ୍ରଶାସନ ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ସହ ସ୍ୱାଗତ କରାଯାଇଛି। ସକାଳେ ଟ୍ରଫିକୁ ବାସୁଦେବପୁର ନିଆଯାଇଥିଲା। ପରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଏହାକୁ ସ୍ୱାଗତ ପରେ ନେହେରୁ ଷ୍ଟାଡିୟମକୁ ନିଆଯାଇଥିଲା। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ଥିବା ତହସିଲ ରୋଡ଼ରେ ପଥ ଉତ୍ସବରେ ମଧ୍ୟ ଏହି ଟ୍ରଫିକୁ ସମ୍ବର୍ଦ୍ଧନା ଦିଆଯାଇଛି।

ଏହି ଅବସରରେ ବିଭିନ୍ନ ସ୍କୁଲ୍ ଓ କଲେଜ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ଏଥିପାଇଁ ବାଲିରେ ତିଆରି ହୋଇଥିବା ବିଶ୍ୱକପ ଟ୍ରଫିର ବାଲୁକା କଳା ମଧ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା। ଏଥିପାଇଁ ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ସୋମନଙ୍କ କଳା ପ୍ରଦର୍ଶନ କରିଛନ୍ତି।

ଅନ୍ଯପଟେ ଉଦ୍ୟାନ ବିଭାଗ ପକ୍ଷରୁ ଫୁଲ ଓ ପନିପରିବାକୁ ନେଇ ବିଭିନ୍ନ କଳାକୃତି ପ୍ରଦର୍ଶନ କରାଯାଇଛି। ଏହି ପ୍ରଦର୍ଶନୀରେ ବୋଇତାଳୁରେ ତିଆରି ହୋଇଥିବା ସୁସଜ୍ଜିତ ବିଶ୍ୱକପର ପ୍ରତିକୃତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏଥିରେ ଭଦ୍ରକ ବିଧାୟକ, ଭଣ୍ଡାରିପୋଖରୀ ବିଧାୟକ, ଭଦ୍ରକ ସାଂସଦ ଓ ଜିଲ୍ଲାପାଳଙ୍କ ସହିତ ବହୁ ଅତିଥିମାନେ ଯୋଗ ଦେଇଥିଲେ।